“ମୁକ୍ତ କଲମ’ ନିଷ୍ପେସିତଙ୍କ ସ୍ୱର ହେଉ
ସଂପ୍ରତି ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡିଆ କ୍ଷେତ୍ରରେ ଯେଭଳି ପ୍ରତିଦ୍ୱନ୍ଦିତା ସ୍ଥିତି ଉପୁଜିଛି ଏଭଳି କ୍ଷେତ୍ରରେ ସତ୍ୟ ଓ ନିରପେକ୍ଷ ଖବର ବିନା କୌଣସି କାଗଜ ତିଷ୍ଠିବା ଅସମ୍ଭବ। ତେଣୁ ଗଣମାଧ୍ୟମର ସଂଖ୍ୟା ବୃଦ୍ଧି ପାଇବା ଯଦିଓ ସ୍ୱାଗତଯୋଗ୍ୟ ତେବେ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ବିରତ ନ ହେବା ସହ ଠିକଣା ମାର୍ଗରେ ପରିଚାଳିତ ହେଲେ ଗଣତନ୍ତ୍ର ଓ ସୁସ୍ଥ ସମାଜ ତିଷ୍ଠି ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ସାପ୍ତାହିକ “ମୁକ୍ତ କଲମ’ର ୨୯ ତମ ସାମ୍ବତ୍ସରିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାଷାବିତ୍ ପଦ୍ମଶ୍ରୀ ଶ୍ର ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇ ପତ୍ରିକାକୁ ଶତାୟୁ ହେବା ସହିତ ଲୋକପ୍ରିୟତା ପାଇଁ ଆଶିର୍ବାଦ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି କାଗଜ ଛୋଟ ଅବା ବଡ ତାହା ଯେତିକି ବଡକଥା ନୁହେଁ କିଭଳି ଲୋକଙ୍କ ସମସ୍ୟାକୁ ନିର୍ଭିକତାର ସହ ଉପସ୍ଥାପନ କରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ନଚେତ୍ ଆଜିର ବୈଦ୍ୟୁତିକ ଗଣମାଧ୍ୟମର ଯେଭଳି ନିମିଷକ ମଧ୍ୟରେ ଲୋକଙ୍କୁ ଛୁଇଁ ପ୍ରଚାର ପ୍ରସାର ଶୀର୍ଷରେ ରହିଛି ତା ସମ୍ମୁଖରେ କାଗଜ ତିଷ୍ଠିବା ଅସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦୈନିକ ବିଶ୍ୱବାଣୀର ସଂପାଦକ ଅର୍ଜୁନ ମୁଦୁଲି, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ସିରାଜ ଅହମଦ, ପ୍ରସାଦ ରାଓ, ଅଶୋକ ସାହୁ ପ୍ରମୁଖ ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ସାମ୍ବିଧାନିକ ମାନ୍ୟତା ନେଇ ମତ ରଖିଥିଲେ। ପୂର୍ବତନ ଆୟକର କମିଶନର ତଥା ସାହିତ୍ୟିକ ଶ୍ରୀ ଶରତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁକ୍ତ କଲମର ସଂପାଦକ ଜ୍ଞାନରଂଜନ ଦାସ ସ୍ୱାଗତଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅନୁସୂୟା ସାହୁ ମଞ୍ଚ ସଂଯୋଜନା କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
