ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନ ଠାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି l
ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସମସ୍ତ ବିଭାଗର ମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଥିଲେ l ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଜନାଭିମୁଖୀ କାଯ୍ୟକ୍ରମଗୁଡି଼କୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ବୈଠକ ରେ ବଜେଟ 2024-25 ମୁତାବକ ଅଦ୍ୟାବଧି ହୋଇଥିବା ଖର୍ଚ୍ଚ ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ l ଯେଉଁ ସବୁ ବିଭାଗ ରେ ଅଦ୍ୟାବଧି ଖର୍ଚ୍ଚ କମ ହୋଇଛି, ସେହିସବୁ ବିଭାଗକୁ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଅନ୍ୟ ସମସ୍ତ ବିଭାଗ ମାନଙ୍କୁ ମଧ୍ୟ ଅନୁରୂପ ଭାବେ ଆଗାମୀ ବଜେଟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଖର୍ଚ୍ଚ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି lସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର ଉନ୍ନତି, ସାମାଜିକ ସୁରକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା l ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ତରଫରୁ ରାସ୍ତା ଓ ସେତୁ ନିର୍ମାଣର ଅଗ୍ରଗତି ସହ ଓଡ଼ିଶାରେ ଜାତୀୟ ରାଜପଥର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା l
କୃଷି ବିଭାଗ ତରଫରୁ ଶୀତଳ ଭଣ୍ଡାର ଖୋଲାଯିବା ନେଇ ଆଲୋଚନା କରା ଯାଇଥିଲା l ବିଦ୍ୟାଳୟ ଉନ୍ନତିକରଣ, ଜଳସମ୍ପଦ ବିଭାଗ ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା l ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର 4 ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ସହିତ ଆଗାମୀ 2 ୟ କିସ୍ତି ପ୍ରଦାନ ସମ୍ପର୍କିତ ଆଲୋଚନା କରାଯାଇଥିଲା l ଆହୁରି ମଧ୍ୟ ପୁଲିସ ସେବା ସୁଦୃଢ଼ୀକରଣକୁ ଗୁରୁତ୍ୱ ଦିଆଯାଇଛି l ମୁଖ୍ୟମନ୍ତ୍ରୀ ସଚିବ ମାନଙ୍କୁ ନୂଆ ନୂଆ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଛନ୍ତି l ସେ କହିଥିଲେ ଯେ, ଅନେକ ବିଭାଗ ଭଲ କାମ କରିଛନ୍ତି l ମୋଟାମୋଟି ଭାବେ କାର୍ଯ୍ୟ ଓ ଖର୍ଚ୍ଚ ଠିକ ଚାଲିଛି l ସମସ୍ତଙ୍କୁ ବିଭାଗ ପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ l ଆଗାମୀ 2 ମାସ ମଧ୍ୟରେ ବଜେଟ ପୂର୍ବରୁ ବିଭାଗ ମାନେ ଶତ ପ୍ରତିଶତ ଖର୍ଚ୍ଚ ଲକ୍ଷ୍ୟ ହାସଲ ପ୍ରୟାସ କରିବାକୁ କହିଥିଲେ l ଚିରା ଚରିତ ଢାଞ୍ଚାରୁ ବାହାରି ନିଜ ନିଜ ବିଭାଗ ରେ ଦୀର୍ଘ ସୂତ୍ରୀ ଏବଂ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ l ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036 ପାଇଁ 3 ଲକ୍ଷ 20, ହଜାର ପ୍ରସ୍ତାବ ଆସିଛି l ଆମେ ସେଥିରୁ ଭଲ ଭଲ ପ୍ରସ୍ତାବ ଗୁଡି଼କୁ ଗ୍ରହଣ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ଉତ୍କର୍ଷ ଓଡ଼ିଶା ଆୟୋଜନ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରତିଶ୍ରୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ l ନିଜ ନିଜ ବିଭାଗକୁ ଶକ୍ତି ଶାଳୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ l
ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସମସ୍ତ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ l