ମୁଖ୍ୟମନ୍ତ୍ରୀଙ୍କ ସହ ନିଲମ୍ବିତ ଭାଜପା ନେତାଙ୍କ ସାକ୍ଷାତ; ବଢୁଛି ରାଜନୈତିକ ଚର୍ଚ୍ଚା
ସୁବର୍ଣ୍ଣପୁର—ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଜଣେ ନିଲମ୍ବିତ ଭାଜପା ନେତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରରେ ପୁଲିସ ଫ୍ଲାଗମାର୍ଚ୍ଚ କରିଥିଲା। ପୁଲିସ ପ୍ରତ୍ୟେକ ସ୍ଥାନରେ ନିୟୋଜିତ ଥିଲେ। ସନ୍ଧାନି କୁକୁର ସହ ମେଟାଲ ଡିଟେକଟର ଯନ୍ତ୍ର ସାହାଯ୍ୟରେ ପୁଲିସ ତନ୍ନ ତନ୍ନ କରି ଲୋକଙ୍କୁ ପରୀକ୍ଷା ପରେ ଭିତରକୁ ଛାଡୁଥିଲା। ଏମିତିକି ସୁରକ୍ଷା ଆଳରେ ପାଣି ବୋତଲ ସୁଦ୍ଧା ଭିତରକୁ ନେବା ମନା ଥିଲା। ଜିଲ୍ଲା ଭାଜପା ପକ୍ଷରୁ କେଉଁ ସବୁ ନେତା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବେ ସେମାନଙ୍କ ନାମ ତାଲିକା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭାଜପା ପକ୍ଷରୁ ଦିଆଯାଇଥିଲା। ତା’ସତ୍ତ୍ୱେ ପୂର୍ବତନ ଜିଲ୍ଲା ସଭାପତି ତଥା ନିଲମ୍ବିତ ଭାଜପା ନେତା ବଳଦେବ ପ୍ରସାଦ ବେଦବାକ ଗତ ରବିବାର( 01/02/2026) ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକ୍ରମର ମଞ୍ଚ ପାର୍ଶ୍ଵରେ ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାକୁ ନେଇ ଦଳ ଏବଂ ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ତାଙ୍କୁ କେଉଁ ସ୍ଥାନରେ କିଏ ସବୁ ସ୍ଵାଗତ ଜଣାଇବେ ସେମାନଙ୍କ ନାମ ତାଲିକା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦିଆଯାଇଥିଲା। ତାଲିକାରେ ନାମ ଥିବା ଭାଜପା ନେତାମାନେ ସେହି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ଓ ବିଦାୟ ନିମନ୍ତେ ହେଲିପ୍ୟାଡ ଏବଂ ମଞ୍ଚ ତଳେ ଅପେକ୍ଷା କରି ରହିଥିଲେ। ହେଲେ ସଭା ମଞ୍ଚ ତଳେ ନିଲମ୍ବିତ ଭାଜପା ନେତା ବଳଦେବ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସମସ୍ତଙ୍କୁ ଚକିତ କରିଥିଲା। ତାଙ୍କର ତାଲିକାରେ ନା’ ନଥିବା ବେଳେ ସେ କିପରି ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇ ପାରିଲେ ତାକୁ ନେଇ ସବୁଠି ଚର୍ଚ୍ଚା। ଏହା ତାଙ୍କ ରାଜନୈତିକ ବିଚକ୍ଷଣତା ଵା ପ୍ରଭାବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ରାଜନୈତିକ ପଣ୍ଡିତଙ୍କ ମତରେ, ନିଲମ୍ବିତ ଭାଜପା ନେତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ଏକ ଭିନ୍ନ ରାଜନୈତିକ ଦିଗ ଆଡକୁ ନିର୍ଦ୍ଦେଶ କରୁଛି। ଯାହାକି ସାଧାରଣରେ ଆଲୋଚନା ହେଉଛି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
