ମୁଖ୍ୟ ରାସ୍ତା କଡ଼ରେ ଘାସ, ଘଟୁଛି ଦୁର୍ଘଟଣା
ସୁବର୍ଣ୍ଣପୁର — ସୋନପୁର ବ୍ଲକ ଵିଶିମୁଣ୍ଡା ଆରଏମସି ଛକ ଠାରୁ ମଲ୍ଲିକମୁଣ୍ଡା,ଗଡିଆ ଦେଇ ନାରାୟଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଏବେ ଦୁର୍ଘଟଣା ପ୍ରବଣ ପାଲଟିଛି। ରାସ୍ତା ଓସାରିଆ ଥିବା ସତ୍ତ୍ବେ ବର୍ତ୍ତମାନ ଘାସ ଯୋଗୁଁ ଏହା ସଙ୍କୁଚିତ ହୋଇ ପଡ଼ିଛି।ବିଶେଷ କରି ବୁଲାଣି ସ୍ଥାନରେ ପ୍ରାୟ ଦୁଇରୁ ତିନି ଫୁଟ ପର୍ଯ୍ୟନ୍ତ ଘାସ ହୋଇଛି। ଫଳରେ ବିପରୀତ ଦିଗରୁ ଆସୁଥିବା ବାହନକୁ ଦେଖିବା ସମ୍ଭବପର ହେଉ ନାହିଁ। ତେଣୁ ଅନେକ ସମୟରେ ମୁହାଁମୁହିଁ ଧକ୍କା ହୋଉଛି । ରାସ୍ତାଟି ଅଧିକ ଵୁଲାଣି ହୋଇଥିବାରୁ ବେଳେ ବେଳେ ଚାଳକ ଭାରସାମ୍ୟ ହରାଇ ରାସ୍ତା କଡକୁ ଚାଲିଯାଇ ଦୁର୍ଘଟଣା ଘଟାଇଥାଏ। ବିଶେଷ କରି ଗଡିଆ ଗ୍ରାମ ନିକଟ ରାସ୍ତା ଉଭୟ ପଟ ଘାସ ଯୋଗୁଁ ଏହା ଅଧିକ ସଙ୍କୁଚିତ କରିଛି। ଫଳରେ ଗତ ଅକ୍ଟୋବର ମାସ ୨୯ ତାରିଖ ସନ୍ଧ୍ୟା ସମୟରେ ଜଣେ ଯୁବକ ବିପରୀତ ଦିଗରୁ ଆସୁଥିବା ଗାଡ଼ିକୁ ଦେଖି ନପାରି ଭାରସାମ୍ୟ ହରାଇ ମୃତ୍ୟୁ ବରଣ କରିଥିଲେ । ସେହିପରି ଅର୍ଜୁନପୁର – ବୁର୍ଡା ରାସ୍ତାର କଇଁଫୁଲ ଛକ ଠାରୁ କସୁରପାଲି,ଗଡିଆ, ଦେଉଳି,ତଳିଫଵସି ,ମହୁଲେ ଦେଇ ସିଆଲଝୁରି ଛକ ୫୭ ନମ୍ବର ସୋନପୁର – ବଲାଙ୍ଗୀର ଜାତୀୟ ରାଜପଥ କୁ ସଂଯୋଗ କରିଛି। ଏହି ରାସ୍ତାର ଉଭୟ ପାର୍ଶ୍ଵରେ ପତରା ଜଙ୍ଗଲ ସୃଷ୍ଟି ହୋଇ ରାସ୍ତା ବିପଦ ସଙ୍କୁଳ ହୋଇପଡିଛି। ତେଣୁ ଉଭୟ ଦୁଇ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ରାସ୍ତା । ଏହାକୁ ବିଭାଗ ତୁରନ୍ତ ପରିଷ୍କାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର