ମେଗା ସ୍ୱାସ୍ଥ୍ୟ ମେଳା ଓ ଚକ୍ଷୁ ଚିକିତ୍ସା ଶିବିରରେ ଶେଷ ହେଲା ସେବା ମହୋତ୍ସବ ର ଷଷ୍ଠ ଦିବସ

ସୁବର୍ଣ୍ଣପୁର: ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ପକ୍ଷରୁ ବୁରୁବୁଡ଼ା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥିବା ସେବା ଧର୍ମୀ ଦ୍ୱିତୀୟ ରାଜ୍ୟ ସ୍ତରୀୟ ସେବା ମହୋତ୍ସବ ଆଜି ଷଷ୍ଠ ଦିବସରେ ପହଞ୍ଚିଛି l ଷଷ୍ଠ ଦିବସରେ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ମେଳା ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ମେଳା ରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ l ଉକ୍ତ ସ୍ୱାସ୍ଥ୍ୟ ମେଳାରେ ହରଭଙ୍ଗା ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଜନ ସାଧାରଣ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଃଶୁଳ୍କ ଔଷଧ ପାଇ ପାରିଥିଲେ l ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ ଉକ୍ତ ସ୍ୱାସ୍ଥ୍ୟ ମେଳା ପରିଦର୍ଶନ କରିବା ସହିତ ନିଜେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ l ଏହି ସ୍ୱାସ୍ଥ୍ୟ ମେଳା ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଡ଼େନିଗଡ଼ ମେଡିକାଲ ଇନଚାର୍ଜ ଅଫିସର ଡା.ଶ୍ରୀମନ୍ତ ରଞ୍ଜନ ସ୍ୱାଇଁ, ଦନ୍ତ ବିଶେଷଜ୍ଞ ଡା.ମନୋରଞ୍ଜନ, ମେଡିକାଲ ଅଫିସର ଡା. ସୁସ୍ମିତା ଶତପଥି, ମେଡିକାଲ ଅଫିସର ଡା. ସିଦ୍ଧାର୍ଥ ଶଙ୍କର ସାହୁ, ଫାର୍ମାସିଷ୍ଟ, ଷ୍ଟାପ ନର୍ସ,ଏ ଏନ ଏମ, ଆଶା,ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଔଷଧ ବିତରଣ କରିଥିଲେ l ଉକ୍ତ ମେଗା ସ୍ୱାସ୍ଥ୍ୟ ମେଳାକୁ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ସମସ୍ତ ସଦସ୍ୟ, ବଜାର ଆସୋସିଏସନ ତିଲେଶ୍ୱର ସହଯୋଗ କରିଥିଲେ lଅନ୍ୟ ପଟେ ଆସୋସିଏସନ ପକ୍ଷରୁ ଉପାନ୍ତ ତଳଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ( ବୀରମହାରାଜପୁର )ର ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ମାନଙ୍କୁ ନେଇ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l ଉକ୍ତ ଚକ୍ଷୁ ଚିକିତ୍ସା ଶିବିର କୁ ସ୍ଥାନୀୟ ସରପଞ୍ଚ ପ୍ରତିମା କହଁର, ସାଂସଦ ପ୍ରତିନିଧି ରବି ପ୍ରଧାନ, ସମାଜସେବୀ ଜ୍ୟୋତି ରଞ୍ଜନ ସାହୁ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ l ଏହି ଚକ୍ଷୁ ଚିକିତ୍ସା ଶିବିରରେ ଅଂଚଳ ର ପ୍ରାୟ 70 ଜଣ ଚକ୍ଷୁ ରୋଗୀ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଇ ଔଷଧ ନେଇଥିଲେ l ଏହି ଚକ୍ଷୁ ଚିକିତ୍ସା ଶିବିର କୁ ଆସୋସିଏସନ ର ଉପଦେଷ୍ଟା କୁନା ବେହେରା, ସଦସ୍ୟ ସଦାନନ୍ଦ ନାଏକ ପରିଚାଳନା କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର