July 5, 2025
Home » ମୌସୁମୀ ବିରାମ ନେଲା

ମୌସୁମୀ ବିରାମ ନେଲା

0
WhatsApp Image 2025-06-02 at 10.53.46 AM

ଭୁବନେଶ୍ବର: ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଅଳ ଆସିଥିଲା। ମେ’ ୨୪ରେ କେରଳ ଉପକୂଳ ଏବଂ ୪ଦିନ ପରେ ଓଡ଼ିଶାକୁ ଅଗ୍ରସର ହୋଇଥିଲା। ଲାଗୁଥିଲା ସଅଳ ମୌସୁମୀ ଦ୍ବାରା ଏବେଠାରୁ ଭଲ ବର୍ଷା ହେବ। ମାତ୍ର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିଥିଲା। ଉତ୍ତର-ପୂର୍ବ ରାଜ୍ୟ ମୁହାଁ ହୋଇ ଶୁଷ୍କ ବାୟୁକୁ ଆକର୍ଷଣ କରିବା ସହ ମୌସୁମୀ ଅଗ୍ରସରରେ ବାଧା ସୃଷ୍ଟି କରିଛି। ଫଳରେ ମେ’ ୨୯ରୁ ମୌସୁମୀ ବିରାମ ନେଇଛି। ଏହି ପ୍ରକ୍ରିୟା ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଲାଗିରହିବ। ଏହା ଦ୍ବାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଗୁଳୁଗୁଳି ବଢ଼ିଛି ଏବଂ ବିଜୁଳି ଘଡ଼ଘଡ଼ି ବୃଦ୍ଧି ପାଇଁ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ମୌସୁମୀ ବିରାମ ପ୍ରଭାବରେ ଆଶାନୁଯାୟୀ ବୃଷ୍ଟିପାତ ବିଳମ୍ବ ହୁଏ, ଯାହାକି କୃଷି ଓ ଜଳସମ୍ପଦକୁ ପ୍ରଭାବିତ କରିଥାଏ। କିଛି ଅଞ୍ଚଳରେ ମୌସୁମୀ ବର୍ଷାର ଅନୁପସ୍ଥିତି ଦୀର୍ଘକାଳୀନ ଗ୍ରୀଷ୍ମପ୍ରବାହ ପାଇଁ ପାଗ ଅନୁକୂଳ କରେ ତଥା ଗ୍ରୀଷ୍ମପ୍ରବାହ ନହେଲେ ମଧ୍ୟ ଉଚ୍ଚ ତାପମାତ୍ରା ଯୋଗୁ ଗୁଳୁଗୁଳି ବୃଦ୍ଧି, ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ଏବଂ ଚାଷ କାର୍ଯ୍ୟରେ ପ୍ରଭାବ ପକେଇଥାଏ। ଦୀର୍ଘ ସମୟ ଧରି ମୌସୁମୀ ବିରତି ଦ୍ବାରା ମରୁଡ଼ି ପରିସ୍ଥିତି କିମ୍ବା ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି କରିପାରେ। ସେହିପରି ମୌସୁମୀ ବିରାମ ସମୟରେ ବାଦଲ ଆଚ୍ଛାଦନ ହ୍ରାସ ଘଟି ତାପମାତ୍ରା ବୃଦ୍ଧି ଘଟିବା ଦ୍ବାରା ବାୟୁମଣ୍ଡଳ ଉତ୍ତପ୍ତ ହୁଏ ଏବଂ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଜଳୀୟବାଷ୍ପ ଆସିଲେ ବିପଜ୍ଜନକ ବିଜୁଳି ଘଡ଼ଘଡ଼ି ସୃଷ୍ଟି କରିଥାଏ।

ଏହା ପ୍ରଥମ ଘଟଣା ନୁହେଁ। ୨୦୦୯ ମେ’ ୨୩ରେ ମୌସୁମୀ କେରଳ ଉପକୂଳକୁ ଛୁଇଁଥିଲା। ତାହାର ଠିକ୍‌ ଦୁଇଦିନ ପରେ ମୌସୁମୀ ଓଡ଼ିଶା ଉପକୂଳକୁ ଅଗ୍ରସର ହୋଇଥିଲା। ଦକ୍ଷିଣ ଓଡ଼ିଶା ପରିବର୍ତ୍ତେ ପ୍ରଥମ କରି ପାରାଦୀପ ଓ ବାଲେଶ୍ୱରକୁ ମୌସୁମୀ ଅଗ୍ରସର ହୋଇଥିଲା। ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଥିଲା, ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବା ସହ ମୌସୁମୀ ବିରାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମେ’ ୨୬ରୁ ଜୁନ ୨୦ ଯାଏଁ ମୌସୁମୀ ବିରାମ ନେଇଥିଲା। ଫଳରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିଥିଲା।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *