ରଥ ନିର୍ମାଣ ଅଗ୍ରଗତି

ଗତ କାଲି ସୁଦ୍ଧା ତିନି ରଥର ୩୫ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ସେଥି ମଧ୍ୟରୁ ତାଳଧ୍ଵଜ ରଥର ୧୪ ଗୋଟି ଚକ ମଧ୍ୟରୁ ୧୧ ଗୋଟି ଚକ ନିର୍ମାଣ ଶେଷ ହୋଇଥିବାବେଳେ, ଦର୍ପ ଦଳନ ରଥର ୧୨ ଗୋଟି ଚକ ମଧ୍ୟରୁ ୧୦ ଗୋଟି ଚକ ଏବଂ ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ୧୪ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା। ବାକି ତାଳଧ୍ଵଜ ରଥର ୩ ଗୋଟି ଚକ ,ଦର୍ପ ଦଳନ ଏବଂ ନନ୍ଦିଘୋଷ ରଥର ୨ ଗୋଟି ଲେଖାଏଁ ମୋଟ ୭ ଗୋଟି ଚକ ପାଇଁ ରହିଥିବା ପଇ ଉପଯୋଗୀ ନହେବା ଦୃଷ୍ଟିରୁ ବରିଷ୍ଠ ତତ୍ତ୍ୱାବଧାରକ ଗତକାଲି ଠାରୁ କଟିଙ୍ଗ ପଇ ଖପୁରିଆ ସ ମିଲ ରୁ କଟିଙ୍ଗ କରାଇ ଆଜି ଅପରାହ୍ନ ସୁଦ୍ଧା ରଥ ଖଳା ଠାରେ ପହଞ୍ଚାଇବାର ବନ୍ଦୋବସ୍ତ କରିଥିଲେ। ଯାହାକି ବାକି ୭ ଗୋଟି ଚକର ନିର୍ମାଣ ପାଇଁ ତିନିରଥ ମହାରଣା ସେବକ ପଇବିନ୍ଧ କାର୍ଯ୍ୟ ଆରମ୍ଭ କରିଛନ୍ତି।
*ଏଥିସହ ତିନି ରଥର ମହାରଣା ସେବକ ମାନେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ତିନିରଥ ର ବାକି ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନିରଥ ର ୮ ଟି ଲେଖାଏଁ ୧୨ ଗୋଟି ଭୂଇଁ ଚଉତା , ୪ ଗୋଟି ଲେଖାଏଁ ମୁହାଁଟ , ୪ଗୋଟି ଲେଖାଏଁ ନିରାଡ଼ି ଏବଂ ୧୨ ଗୋଟି ଲେଖାଏଁ ଭୂଇଁ ଖମ୍ବି ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ହୋଇ ସେଗୁଡ଼ିକର ବିନ୍ଧ କାର୍ଯ୍ୟ ଜାରିରହିଛି।
ଏଥିସହ ତିନିରଥ ର ମୋଟ ୪୪ ଗୋଟି ଯୋକା ରୁ ତିନିରଥ ମହାରଣା ସେବକ ମାନେ ୧୦ ଗୋଟି ଲେଖାଏଁ ଯୋକା ନିର୍ମାଣ ଶେଷ କରିଛନ୍ତି।
ରୂପକାର ସେବକ ମାନେ ତିନି ରଥର ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଅଖ ଦଣ୍ଡା ବିଡିଆ ଏବଂ ଚଉରସ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ଦୋଳବେଦୀ ଠାରେ ସ୍ନାନଯାତ୍ରା ଏବଂ ରଥଯାତ୍ରା ରେ ଆବଶ୍ୟକ କାଠ, ବାଉଁଶ ରେ ନିର୍ମିତ ପୂଜା ସରଞ୍ଜାମ ପାହି
ମହାରଣା ନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )