ରନ୍ଧନ ଗ୍ୟାସ-ପେଟ୍ରୋଲ- ଡିଜେଲର ଯୋଗାଣ ତଥା ବଣ୍ଟନ ବ୍ୟବସ୍ଥାର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ନିରୀକ୍ଷଣ କମିଟିର ବୈଠକ
ବରଗଡ଼: ବରଗଡ଼ ଜିଲ୍ଲାରେ ଲିକୁଇଫାଇଡ୍ ପେଟ୍ରୋଲିୟମ ଗ୍ୟାସ (ଏଲପିଜି), ପେଟ୍ରୋଲ ଏବଂ ଡିଜେଲ୍ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ନିରୀକ୍ଷଣ କମିଟିର ଏକ ବୈଠକ ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଅଧ୍ୟକ୍ଷତା କରି ଜିଲ୍ଲାରେ ପେଟ୍ରୋଲିୟମ ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲର ଉପଲବ୍ଧତା, ଯୋଗାଣ ପ୍ରଣାଳୀ ଓ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ସମସ୍ତ ଏଲପିଜି ଏଜେନ୍ସି ଓ ପେଟ୍ରୋଲ ପମ୍ପଗୁଡ଼ିକର କାର୍ଯ୍ୟପ୍ରଣାଳୀ ସମୀକ୍ଷା କରିଥିଲେ। ସାଧାରଣ ଲୋକମାନଙ୍କୁ କୌଣସି ଅସୁବିଧା ନ ହେବା ପାଇଁ ପର୍ଯ୍ୟାପ୍ତ ପରିମାଣରର ଉପଲବ୍ଧତା ରଖି ସମୟୋପଯୁକ୍ତ ଭାବେ ଇନ୍ଧନ ବଣ୍ଟନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ କଠୋର ନିରୀକ୍ଷଣ ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ଜିଲ୍ଲାପାଳ ସମସ୍ତ ରନ୍ଧନ ଗ୍ୟାସ ଓ ତୈଳ ଯୋଗାଣ କମ୍ପାନୀର ଯୋଗାଣ ଅଧିକାରୀଙ୍କୁ ଜିଲ୍ଲାରେ ଉପଲବ୍ଧ ପେଟ୍ରୋଲ ଡିଜେଲ ଏବଂ ଏଲପିଜି ଗ୍ୟାସର ଆବଶ୍ୟକତା ତଥା ଉପବ୍ଧତା ବିଷୟରେ ସମୀକ୍ଷା କରିବା ପରେ ଖାଉଟିମାନେ ଅଯଥା ପାନିକ ବୁକିଂ ନକରିବାକୁ ପରାମର୍ଶ ଦେଇ କହିଥିଲେ ଯେ, ଜିଲ୍ଲାର ଆବଶ୍ୟକତା ଅନୁଯାଇ ରନ୍ଧନ ଗ୍ୟାସ ତଥା ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି, ତେଣୁ ଖାଉଟିମାନେ ଅଯଥା ଆତଙ୍କିତ କିମ୍ବା ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କଳାବଜାରୀ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ମନିଟରିଙ୍ଗ କମିଟି, ଦୁଇଟି ଉପଖଣ୍ଡ ସ୍ତରରେ ଟାସ୍କ ଫୋର୍ସ ସ୍କ୍ୱାର୍ଡ ଗଠନ ସହ ପ୍ରତି ବ୍ଳକ ସ୍ତରରେ ସମସ୍ତ ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଳାବଜାରୀରେ ଲିପ୍ତ ବ୍ୟକ୍ତିଙ୍କୁ ଆଇନ ଅନୁଯାଇ କଠୋର ଦଣ୍ଡରେ ଦଣ୍ଡିତ କରାଯିବ।ଏହା ସହ ଖାଉଟିଙ୍କ ଆପତ୍ତି ଅଭିଯୋଗ ଶୁଣିବା ନିମନ୍ତେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ହେଲ୍ପ ଲାଇନ ନମ୍ବର ୦୬୬୪୬–୨୩୩୦୩୩ ଜାରି କରାଯାଇଛି। ଆବଶ୍ୟକ ସ୍ଥଳେ ଖାଉଟି ମନେ ଏହି ହେଲ୍ପ ଲାଇନ ନମ୍ବର କମ୍ବା ଜିଲ୍ଲାର ସମସ୍ତ ତୈଳ ଯୋଗାଣ କମ୍ପାନୀର ଅଧିକାରୀ ତଥା ଏଚପିସିଏଲ୍ ଯୋଗାଣ ଅଧିକାରୀ (୮୩୫୬୮୪୫୭୮୯) ବିପିସିଏଲ୍ ଯୋଗାଣ ଅଧିକାରୀ (୯୯୩୮୦୬୦୭୮୫) ଏବଂ ଆଇଓସିଏଲ୍ ଯୋଗାଣ ଅଧିକାରୀ (୮୨୪୯୧୪୧୫୫୪)ଙ୍କୁ ଯୋଗାଯୋଗ କରି ଜିଲ୍ଲାପାଳ ଅନରୋଧ କରିଛନ୍ତି ।ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହାଙ୍କ ସମେତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ କଳ୍ୟାଣ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଲିଗାଲ ମେଟ୍ରୋଲୋଜିର ଯୁଗ୍ମ ନିୟନ୍ତ୍ରକ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
