ରବିବାର ଛୁଟିଦିନ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼
ରବିବାର ଛୁଟିଦିନ ଥିବାରୁ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଭକ୍ତଙ୍କ ଅସମ୍ଭାଳ ଭିଡ଼। ଭିଡ଼ ଏଭଳି ହୋଇଥିଲା ଯେ ସିଂହଦ୍ଵାର ବ୍ୟାରିକେଡ଼ ପୂର୍ଣ୍ଣ ହୋଇଯିବା ପରେ ଭକ୍ତଙ୍କ ଲମ୍ବା ଲାଇନ୍ ବଡ଼ଦାଣ୍ଡର ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ଲାଗି ରହିଥିଲା। ତେବେ ବଡ଼ଦାଣ୍ଡରେ ଖରାରୁ ରକ୍ଷା ପାଇଁ କୌଣସି ସେଡ୍ ବ୍ୟବସ୍ଥା ନଥିବାରୁ ପ୍ରଚଣ୍ଡ ଖରାରେ ସିଝିଥିଲେ ଭକ୍ତ। ଖାଲି ପାଦରେ ପିଚୁ ଉପରେ ଠିଆ ହୋଇଥିବା ଭକ୍ତଙ୍କର ପାଦ ମଧ୍ୟ ପୋଡ଼ି ଯାଇଥିଲା। ଛୋଟ ଛୋଟ ପିଲା, ବରିଷ୍ଠ ନାଗରିକ ଏବଂ ମହିଳାମାନେ ପ୍ରଚଣ୍ଡ ଖରାରେ ଠିଆହୋଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ପାଇଁ ବଡଦାଣ୍ଡରେ କପଡ଼ା ସେଡ୍ ନିର୍ମାଣ ପାଇଁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି। ସେହିପରି ଗୁଳୁଗୁଳି ରୁ ରକ୍ଷା ପାଇଁ ବ୍ୟାରିକେଡ଼ ରେ ଫ୍ୟାନ୍ ବ୍ୟବସ୍ଥା ସହିତ ପାନୀୟଜଳ ର ବ୍ୟବସ୍ଥା ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଜଳ ସିଞ୍ଚନ ବ୍ୟବସ୍ଥା ଶିଘ୍ର କାର୍ଯ୍ୟକାରୀ କରିବାକୁ ଭକ୍ତ ମାନେ ଦାବି କରିଛନ୍ତି। ସେପଟେ ଆଜି ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ମଧ୍ୟ କେତେକ ଭକ୍ତ ଅଣନିଃଶ୍ବାସୀ ହୋଇ ବେହୋସ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଭକ୍ତଙ୍କୁ ସୁରକ୍ଷା ଦେବା ପାଇଁ ଯଥାଶୀଘ୍ର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଭକ୍ତମାନେ ମତ ଦେଇଛନ୍ତି।
