July 4, 2025
Home » ରାଜ୍ୟ ଖାଦ୍ୟ ଆୟୋଗ କମିଟି ସଦସ୍ୟଙ୍କ ସମୀକ୍ଷା ବୈଠକ

ରାଜ୍ୟ ଖାଦ୍ୟ ଆୟୋଗ କମିଟି ସଦସ୍ୟଙ୍କ ସମୀକ୍ଷା ବୈଠକ

0
WhatsApp Image 2025-03-30 at 3.27.50 PM

ରାଜ୍ୟ ଖାଦ୍ୟ ଆୟୋଗ କମିଟି ସଦସ୍ୟ ସ୍ଥାନୀୟ ମାଲକାନଗିରି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ୨୮/୩/୨୫: ତାରିଖରେ ଏକ ସମୀକ୍ଷା ବୈଠକ କରିଛନ୍ତି। କମିଟି ସଦସ୍ୟ ଦୟାନିଧି ଦାସ ଓ ଅକ୍ଷୟ କୁମାର ବେହେରା ବିଭିନ୍ନ ବିଭାଗର ସମୀକ୍ଷା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ରାସନ୍ କାର୍ଡ ନିମନ୍ତେ ଇ- କେୱାଇସି କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ଯୋଗାଣ ବିଭାଗକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲା ଗସ୍ତ କରି କମିଟି ପ୍ରକାଶ କରିଛନ୍ତି ଯେ ଜିଲ୍ଲାରେ ବସବାସ କରୁଥିବା ଜନଜାତି ସମୁଦାୟ ଅତ୍ୟନ୍ତ ନିରୀହ ଓ ସରଳ ବିଶ୍ୱାସୀ। ତେଣୁ ଜିଳ୍ଲାର ସମସ୍ତ ଉପାନ୍ତ ଅପହଞ୍ଚ ଅଞ୍ଚଳ ଓ ବିଶେଷ ଭାବେ ବଣ୍ଡାଘାଟୀ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମୁଦାୟ ଯେପରି ରାସନ୍ କାର୍ଡ ପାଇବା ସହ ପିଡିଏସ ଚାଉଳ ସୁବିଧାରେ ପାଇ ପାରିବେ ସେଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଦିନରେ ଅପହଞ୍ଚ ଅଞ୍ଚଳରେ ଚାଉଳ ଯୋଗାଇ ଦେବା ସହ ଡିଲର ପଏଣ୍ଟରୁ ହିତାଧୀକାରୀଙ୍କ ଗ୍ରାମକୁ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରିବା ପାଇଁ ମଧ୍ଯ କୁହାଯାଇଛି । ଯଦ୍ୱାରା ଗରିବ ଲୋକଟିର ଦୁଃଖ ଲାଘବ ହୋଇ ପାରିବ ବୋଲି କମିଟି ମତ ରଖିଛନ୍ତି। ତତ୍ ସହିତ ପ୍ରତ୍ୟେକ ବ୍ଲକରେ ସ୍ପେଶିଆଲ ଡ୍ରାଇଭ୍ ମାଧ୍ୟମରେ ଯୋଗ୍ୟ ତଥା ପ୍ରକୃତ ସହାୟତାରୁ ବଞ୍ଚିତ ହେଉଥିବା ହିତାଧିକାରୀଙ୍କ ଚୟନ କରାଯାଉ ବୋଲି କମିଟି କହିଛନ୍ତି। ଏଥି ନିମନ୍ତେ ବିଡିଓ, ଯୋଗାଣ ସହାୟକ ଓ ଏମଆଇ ଙ୍କୁ ନେଇ ଏକ ନେଟୱର୍କ ଗଠନ କରିବାକୁ କୁହାଯାଇଛି । କର୍ମଚାରୀ ମାନଙ୍କୁ କ୍ଷେତ୍ର ଗସ୍ତ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜନଜାତି ବିଦ୍ୟାଳୟର ହୋଷ୍ଟେଲ ଗୁଡିକର ଟଏଲେଟ୍ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ପରିବେଶ ସ୍ଵଚ୍ଛତା, ପାନୀୟ ଜଳ ଓ ଖାଦ୍ୟର ଉତ୍ତମ ମାନ ଉପରେ ଗୁରୁତ୍ୱାରୋପ କରିବାକୁ କୁହାଯାଇଛି । ସେହିପରି ପ୍ରତ୍ୟେକ ବିଦ୍ୟାଳୟରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମିଟି ଏହି ଗସ୍ତରେ ଚିତ୍ରକୋଣ୍ଡା ବଡପଡ଼ା ଏଜୁକେସନାଲ କ୍ୟାମ୍ପସ ପରିଦର୍ଶନ ରେ ଯାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ଏହିଭଳି ଅଭିନବ ଏଜୁକେସନାଲ କମ୍ପ୍ଲେକ୍ସ ଓଡ଼ିଶାରେ କ୍ଵଚିତ୍। ସେହିପରି ପାଙ୍ଗାମ୍ ସ୍ଥିତ ହାଇ ସ୍କୁଲ୍ ପରିଦର୍ଶନରେ ଯାଇ କମିଟି ପ୍ରଶଂସା କରିଛନ୍ତି। ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ସଦର ଏସିଏସଓ ମୁରୁଲି କ୍ରିଷ୍ଣା କମିଟିକୁ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମିଟି ପକ୍ଷରୁ ପ୍ରଭାସ କୁମାର ନାୟକ, ଏସିଏସଓ ପ୍ରଦୀପ ଦାସ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *