ରାୟଗଡ଼ା ଜିଲ୍ଲା ବିଷମକଟକ ସିଡ଼ିପିଓ ଓ କିରାଣି ଭିଜିଲାନ୍ସ ଜାଲରେ

:
ନିଯୁକ୍ତି ପାଇଁ ଲାଞ୍ଚ ନେବା ବେଳେ ୮୦ ହଜାର ଲାଞ୍ଚ ଟଙ୍କା ଜବତ
ରାୟଗଡ଼ା : ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ପାଇଁ ଜଣଙ୍କ ଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବିଷମକଟକ ବ୍ଲକ ସିଡ଼ିପିଓ ଓ କିରାଣୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସିଡ଼ିପିଓ ସୁଶୀଳା ଶବରଙ୍କ ଉପରେ ଭିଜିଲାନ୍ସ ଠାରେ ଦୀର୍ଘ ଦିନରୁ ଅଭିଯୋଗ ରହିଥିଲା । ତେଣୁ ଭିଜିଲାନ୍ସ ସୁଶୀଳାଙ୍କୁ ଲାଂଚ କାରବାର ବେଳେ ଧରିବା ପାଇଁ ନିଜର ଜାଲ ବିଛାଇଥିଲା ।
ସୁଶୀଳାଙ୍କ ସହିତ ତାଙ୍କ ସହଯୋଗୀ ତଥା ବିଭାଗୀୟ କିରାଣି ରାମଚନ୍ଦ୍ର ପାତ୍ରଙ୍କୁ ମଧ୍ୟ ଧରିଛି ରାୟଗଡ଼ା ଭିଜିଲାନ୍ସ । ଉଭୟଙ୍କୁ ଗିରଫ କରି ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା ଜାରି ରଖିଛି ଭିଜିଲାନ୍ସ ବିଭାଗ । ଘଟଣାରୁ ପ୍ରକାଶ ଯେ, ଅଙ୍ଗନବାଡ଼ି କର୍ମୀ ଚାକିରି ପାଇଁ କୁର୍ଲି ପଂଚାୟତର ହୁତେଶି ଗ୍ରାମର ଅଙ୍ଗନବାଡ଼ି କର୍ମୀ ପାଇଁ ୩ଜଣ ଆବେଦନ କରିଥିଲେ । ହୁତେଶି ଗ୍ରାମର ଜଣେ ଡଙ୍ଗରିଆ ମହିଳା ସୀତା ୱାଡ଼କା ହୁତେଶିରେ ଅଙ୍ଗନବାଡ଼ି କର୍ମୀ ପାଇଁ ଆବେଦନ କରିଥିଲେ । ତାଙ୍କ ନିଯୁକ୍ତି ପାଇଁ ସୀତାଙ୍କ ସ୍ୱାମୀ ଲାଲୁ ସିକକା ଓ ସୁଶୀଳାଙ୍କ ମଧ୍ୟରେ ୧ଲକ୍ଷ ଟଙ୍କାର ଲାଂଚ ପାଇଁ ଆଲୋଚନା ହୋଇଥିଲା । ଏହାପରେ ସୁଶୀଳାଙ୍କୁ ପ୍ରଥମେ ଅନଲାଇନ୍ରେ ୨୦ ହଜାର ଟଙ୍କା ଦେଇଥିଲେ ଲାଲୁ । ସୋମବାର ବିଷମକଟକ ବ୍ଲକ କୁମାରଢ଼ାମୁଣି ଛକ ଠାରେ ବଳକା ୮୦ ହଜାର ଟଙ୍କା ନଗଦ ଲାଲୁଙ୍କ ଠାରୁ ନେଇଥିଲେ ସୁଶୀଳା । ତେବେ ଏନେଇ ଭିଜିଲାନ୍ସ ପୂର୍ବରୁ ସୂଚନା ପାଇ ଯୋଜନାବଦ୍ଧ ଭାବେ ସେଠି ଛପି ରହିଥିଲେ । ଲାଂଚ ନେବା ସମ୍ରରେ ସିଡ଼ିପିଓ ସୁଶୀଳା ଓ ତାଙ୍କ ସହଯୋଗୀ କିରାଣି ରାମଚନ୍ଦ୍ର ପାତ୍ରଙ୍କୁ ଭିଜିଲାନ୍ସ ମାଡ଼ି ବସିଥିଲା । ଏହି ଚଢ଼ାଉରେ ଜୟପୁର ଭିଜିଲାନ୍ସ ଟିମର ଦୁଇ ଡିଏସପି ସଦାନନ୍ଦ ପାଣି ଓ ଅଭୟ ପ୍ରଧାନ, ରାୟଗଡ଼ା ଭିଜିଲାନ୍ସ ଇନିସପେକ୍ଟର ତରୁଲତା ବେହେରା ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । ଅନ୍ୟପଟେ ଅଧିକା ତଦନ୍ତ ପାଇଁ ସୁଶୀଳା ଓ କିରାଣି ରାମଚନ୍ଦ୍ରଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )