ରାୟଗଡା ବ୍ଳକ ସ୍ତରୀୟ ଚଇତି ୨୦୨୪ ଅନୁଷ୍ଠିତ
ରାୟଗଡା ବ୍ଳକ ସ୍ତରୀୟ ଚଇତି ତା ୧୧.୧୨.୨୦୨୪ ରିଖ ବୁଧବାର ଦିନ ହାଲୁଆ ଗ୍ରାମର ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବ୍ଲକସ୍ତରୀୟ ଚଈତିରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଆପଲାସ୍ଵାମୀ କାଡ୍ରାକା ଯୋଗଦେଇଥିବା ବେଳେ ସକାଳ ସାଢେ ଆଠଟା ସମୟରେ ସମସ୍ତ ୨୮ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ଜନସାଧାରଣ ହାଲୁଆ ସ୍ଥିତ ଝଞ୍ଜ।ବତୀ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଉଥିଲା। ହଳଧର ମିଶ୍ର ନଦୀକୂଳରେ ପୂଜା ଅର୍ଚ୍ଚନା କରିବାପରେ ସଂଗୃହିତ ଜଳକୁ ଚଇତି ମଣ୍ଡପକୁ ବିଶାଳ ଶୋଭାଯାତ୍ରାରେ ଅଣାଯାଇଥିଲା । ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ବିଡିଓ ଅମୂଲ୍ୟ କୁମାର ସାହୁ, ଉପାଧ୍ୟକ୍ଷ ହର ପ୍ରାସାଦ ହେପ୍ରିକା, ଜିଲ୍ଲା ପରିଷଦ ସଦସ୍ୟ ସମେତ ୨୮ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା କଳସ ସହ ପିଠରେ ଆଣି ସ୍ଥାପନ କରିଥିଲେ। ସ୍ଥାନୀୟ ବେଜୁଣୀ ପାରମ୍ପରିକ ରୀତିରେ ପୂଜା ଅର୍ଚ୍ଚନା କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ କାଡ୍ରାକା ଯୋଗଦେଇ ନିଜ ବକ୍ତବ୍ୟରେ ଆମ ସଂସ୍କୃତି ଓ ପରମ୍ପରା ପ୍ରତି ଅଧିକ ଗୁରୁତ୍ୱ ଦେବା ସହ ଏହାକୁ ଉଦ୍ଜୀବିତ ରଖିବା ନିମନ୍ତେ ଆହ୍ଵାନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଡାଃ ଦୟାନିଧି ବାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ଶବର, ପ୍ରାଣୀ ଚିକିତ୍ସା ଉପ ନିର୍ଦ୍ଦେଶକ ଡାଃ ବିରଞ୍ଚି ନାରାୟଣ ମିଶ୍ର, ଜଙ୍ଗଲ ବିଭାଗୀୟ ରେଞ୍ଜ ଅଧିକାରୀ କାମେଶ୍ଵର ଆଚାରୀ, ଜିଲ୍ଲା କଳା ଓ ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ ବଚା , ବ୍ଳକ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଅପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ, ଏନ୍ ଆଇ ସି ର ଜିଲ୍ଲା ସୂଚନା ଅଧିକାରୀ ଏନ୍ ଗୁଣ ଶେଖର ଯୋଗଦେଇ ସ୍ଥାନୀୟ କଳାକାରଙ୍କୁ ସେମାନଙ୍କର ପୂର୍ବ ପୁରୁଷଙ୍କ ଠାରୁ ପ୍ରାପ୍ତ କଳା, ସଂସ୍କୃତି ଓ ପରମ୍ପରା କୁ ଜୀବନ୍ତ ରଖିବାରେ ଅନନ୍ୟ ଯୋଗଦାନ ନିମନ୍ତେ ପ୍ରଚେଷ୍ଟାର ଭୂୟସୀ ପ୍ରସଂଶା କରିଥିଲେ।
ପଲ୍ଲୀଶ୍ରୀ ମେଳାରେ ଦଶ ଗୋଟି ସଚେତନତା ଷ୍ଟଲର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ଆପାଲାସ୍ଵାମୀ କାଡ୍ରାକା ଉଦଘାଟନ କରିଥିଲେ। ଉପସ୍ଥିତ ଅତିଥି ବୃନ୍ଦଙ୍କ ସମେତ ଉପସ୍ଥିତ ଜନ ସାଧାରଣ ଏହା ବୁଲି ଦେଖିଥିଲେ। ଶିକ୍ଷା, ସ୍ଵାସ୍ଥ୍ୟ, ମିଶନ ଶକ୍ତି, ଉଦ୍ୟାନ କୃଷି, କୃଷି ଓ କୃଷକ ସଶକ୍ତିକରଣ , ଜଳଛାୟା , ଜଙ୍ଗଲ , ଜୀବିକା ମିଶନ, ପ୍ରାଣୀ ଚିକିତ୍ସା, ଆବାସ ଯୋଜନା, ମହିଳା ଓ ଶିଶୁ ବିକାଶ ଆଦି ବିଭାଗ ତରଫରୁ ସଚେତନତା ଷ୍ଟଲ୍ ମାନ ଖୋଲା ଯାଇଥିଲା। ଶେଷରେ ସମ୍ପୃକ୍ତ ବିଭାଗ ଗୁଡିକୁ ସମ୍ମାନିତ କରାଯାଇଥିଲା। ବ୍ଳକ ସ୍ତରୀୟ ଶିଶୁଙ୍କ ମଧ୍ୟରେ ସଙ୍ଗୀତ, କୁଇଜ, ତର୍କ, ଚିତ୍ରାଙ୍କନ, ପି ଏମ ପୋଷଣ ସମ୍ପର୍କିତ ହସ୍ତକଳା ଆଦି ପ୍ରତିଯୋଗୀତା ମାନ ଆୟୋଜିତ କରି ପୁରସ୍କୃତ କରାଯାଇଥିଲା।
ସମସ୍ତ ସମିତି ସଭ୍ୟ ଓ ସଭ୍ୟା, ସରପଞ୍ଚ ଏବଂ ସମ୍ବିଧାନର ମୁଖ୍ୟ ସ୍ତମ୍ଭ ମିଡିଆ ବନ୍ଧୁଙ୍କୁ ସ୍ଵତନ୍ତ୍ର ଭାବରେ ସମ୍ମାନୀତ କରାଯାଇଥିଲା। ବିଡିଓ ଅମୂଲ୍ୟ କୁମାର ସାହୁଙ୍କୁ ବ୍ଳକର ବିକାଶରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଚଳିତ ବର୍ଷର ବ୍ଳକ ସ୍ତରୀୟ ଚଇତି ସମ୍ମାନ ପ୍ରଦାନ କରାଯାଇଛି।
ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ ୩୫ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଉତ୍ତମ ଚାରିଗୋଟି ଦଳ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବେ ବୋଲି ଏବିଡିଓ କାଳୁ ଚରଣ ନାୟକ କହିଛନ୍ତି। ନିର୍ଦ୍ଦେଶକ ସୁନୀଲ ଖୁରା ଏବଂ ବ୍ଳକ କଳା ଓ ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ ତାଣ୍ଡି ବିଚାରକ ରୂପେ ଦାଇତ୍ଵ ନିର୍ବାହ କରିଥିଲେ। ଶିକ୍ଷକ ଅଶୋକ ଦାଶ ଓ ନୀଳାଞ୍ଚଳ ମିଶ୍ର ମଞ୍ଚ ସଂଚାଳନ କରିଥିଲେ। ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ଙ୍କ ନେତୃତ୍ୱରେ ସମସ୍ତ ନିର୍ବାହୀ ଅଧିକାରୀ ବିଭିନ୍ନ ବିଭାଗର ଦାଇତ୍ଵ ନିର୍ବାହ କରିଥିଲେ। ବ୍ଳକ ମହିଳା ନିର୍ବାହ ଅଧିକାରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏବିଡିଓ କାଳୁ ଚରଣ ନାୟକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟ ହାଲୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ତାମାରାଓ ବିଡିକା ଆୟୋଜନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ, ବ୍ଳକର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି , କର୍ମଚାରୀ ଓ କଳାକାର ନାଚ ଓ ଗୀତରେ ଅଂଶଗ୍ରହଣ କରିଥିଲେ। ମଣ୍ଡପ ନାଚରେ ଦୁଲୁକି ଉଠିଥିଲା।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ