December 22, 2024
Home » ରୁପା ତାରକସୀ ହବ୍ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ରୁପା ତାରକସୀ ହବ୍ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

0

କଟକ ତା ୦୭.୧୨.୨୦୨୪ ରିଖ – ରୁପା ତାରକସୀ କାରିଗରଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ତଥା ତାରକସୀ ଶିଳ୍ପର ଉନ୍ନତିକରଣ ନିମନ୍ତେ କଟକରେ ହେବ ତାରକସୀର ଅତ୍ୟାଧୁନିକ ହବ ବା କମନ୍ ଫାସିଲିଟି ସେଂଟର ଅଫ ଏକ୍ସେଲେନ୍ସ ଫର ତାରକସୀ । ଏଥିପାଇଁ ଆଜି କଟକ ଜିଲ୍ଲା ପ୍ରଶାସନ ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ତାରକସୀ ଉତ୍କର୍ଷ କେନ୍ଦ୍ରରେ କାରିଗରମାନଙ୍କ ପାଇଁ ନୂତନ ଜ୍ଞାନକୌଶଳର ଯନ୍ତ୍ରପାତି ଓ ଅତ୍ୟାଧୁନିକ ତାଲିମ୍ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିବ। ଏଥିସହିତ ତାରକସୀ ସାମଗ୍ରୀ ପ୍ରଦର୍ଶନୀ, ଏହାର ବିକ୍ରୀ ତଥା ରପ୍ତାନୀ, ବିନା ଶୁଳ୍କରେ କିପରି ରୁପା କ୍ରୟ କରାଯାଇପାରିବ, ତାରକସୀ ସାମଗ୍ରୀ ତିଆରି ସମୟରେ ଏହାର ନର୍ମାଣ ମୂଲ୍ୟ ବା ମେକିଙ୍ଗ ଚାର୍ଜ କିପରି ହ୍ରାସ କରାଯାଇପାରିବ ତଥା ମାନ ନିର୍ଦ୍ଧାରଣ ସୁବିଧା ଆଦି ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପେଟାନାଳଠାରେ ୭ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ କରାଯାଇଛି । ଆଇଆଇଟି ଭୁବନେଶ୍ୱର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦେବା ପରେ ରାଜ୍ୟ ସରକାରଙ୍କୁ ପ୍ରକଳ୍ପ ଅନୁମୋଦନ ନିମନ୍ତେ ପ୍ରସ୍ତାବ ଦିଆଯିବ । ଆଇଆଇଟି ଭୁବନେଶ୍ୱର କମନ୍ ଫାସିଲିଟି ସେଂଟରର ଡିଜାଇନ, ବୈଷୟିକ ସହାୟତା, ମାର୍କେଟିଂ ପ୍ଲାନ୍‌, ବ୍ରାଣ୍ଡ ତିଆରି କରିବା ଆଦି ରଣନୀତି ପ୍ରସ୍ତୁତ କରିବ ଏବଂ ଏକ ସଫଳ ଉଦ୍ୟୋଗ ସୃଷ୍ଟିି ନିମନ୍ତେ ଟ୍ରେନିଂ ମଡ୍ୟୁଲ ଓ ଷ୍ଟାର୍ଟ ଅପ ମାନଙ୍କୁ ମାର୍ଗଦର୍ଶନ ଆଦି ଯୋଗାଇଦେବ । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏବଂ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ଶ୍ରୀପଦ କରମଲକାରଙ୍କ ଉପସ୍ଥିତିରେ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏନ୍ତ୍ରପ୍ରୁନରସିପ ପାର୍କର ସିଇଓ ଡକ୍ଟର ଶୁଭଙ୍କର ପତି ଏବଂ ସହାୟକ ନିର୍ଦ୍ଦେଶକ ଶିଳ୍ପ, ଡିଆଇସି, ଶ୍ରୀମତୀ ନମିତା ମିଶ୍ର ଏହି ବୁଝାମଣାପତ୍ର ସ୍ୱାକ୍ଷରିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ତାରକସୀ ସଂଘ ଏବଂ ତାରକସୀ କାରିଗର ଉପସ୍ଥିତ ଥିଲେ । ଏହି କମନ୍ ଫାସିଲିଟି ସେଂଟରରେ ଗ୍ରାହକମାନେ ତାରକସୀ କାରିଗରମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବାର ସୁଯୋଗ ମଧ୍ୟ ପାଇପାରିବେ । ଜିଲ୍ଳା ନିବେଶ ପ୍ରୋତ୍ସାହନ ସଂସ୍ଥା (ଦିପା) ଏହି ଉତ୍କର୍ଷ କେନ୍ଦ୍ର ନିର୍ମାଣ ସମ୍ପର୍କିତଜମି ଅଧିଗ୍ରହଣ ଆଦି ମୌଳିକ ଆବଶ୍ୟକତା ପୂରଣ କରିବାରେ ଏହାର ସହାୟତା ଯୋଗାଇ ଦେଉଛି।

କଟକ ଇପିଏ ରୁ ଲଳିତା ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *