November 12, 2025
Home » ଲାଞ୍ଜିଗଡ଼:ତିନି ଯୁବତୀ ଶବ ବୋହିନେବା ଘଟଣା,

ଲାଞ୍ଜିଗଡ଼:ତିନି ଯୁବତୀ ଶବ ବୋହିନେବା ଘଟଣା,

0
WhatsApp Image 2025-11-01 at 12.38.50 PM

ପୁଣି ବାସନ୍ଦର ଶିକାର ହେଲେ ଦୁଇ ପରିବାର।

କଙ୍ଗାରୁ କୋର୍ଟର କଡ଼ା ନିର୍ଦ୍ଦେଶ …
“ତୁରନ୍ତ ଗାଁ ଛାଡ଼ିଯାଅ”।

ସାମାଜିକ ବାସନ୍ଦ ଭୟରେ ମୃତକଙ୍କ ଶବକୁ ନଛୁଇଁବା ଓ ପରେ ବାଧ୍ୟ ହୋଇ ଜଣେ ନାବାଳିକାଙ୍କ ସମେତ ତିନି ଜଣ ସମ୍ପର୍କୀୟ ଯୁବତୀ ଶବ ବୋହିନେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।ଲାଞ୍ଜିଗଡ଼ ସହରର ପ୍ରଧାନୀପଡ଼ାରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ସମସ୍ତ ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି। ଅଞ୍ଚଳବାସୀଙ୍କ ମଣିଷପଣିଆ ଓ ମାନବିକତା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ଘଟଣାକୁ ନେଇ ଜିଲ୍ଲା ବ୍ୟାପି ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କୁସଂସ୍କାରୀ ମାନଙ୍କର ଆଉ ଏକ କଙ୍ଗାରୁ କୋର୍ଟ ନିର୍ଦ୍ଦେଶ ସମସ୍ତଙ୍କୁ ଚକିତ କରିଛି।

ଲାଞ୍ଜିଗଡ଼ର ମୃତକ ମହେନ୍ଦ୍ର ଦଳେଇଙ୍କ ଶବ ସତ୍କାରରେ ସାମିଲ ହୋଇଥିବା ତାଙ୍କ ସମ୍ପର୍କୀୟ ଭାଇ ପୂର୍ଣ୍ଣଚନ୍ଦ୍ର ଦଳେଇ ଓ ଅନ୍ୟ ଏକ ପରିବାରକୁ ଗ୍ରାମର କଙ୍ଗାରୁ କୋର୍ଟରେ ଦଣ୍ଡିତ କରିଥିବା ଜଣାଯାଇଛି।ସେମାନଙ୍କୁ ସମାଜରୁ ନିଆଁପାଣି ବାସନ୍ଦ କରିବା ସହିତ ଗାଁ ଛାଡ଼ି ଚାଲିଯିବାକୁ ଖୋଲାଖୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି।ଏହି ଅଭାବନୀୟ ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗୁରୁବାର ସନ୍ଧ୍ୟାରେ କିଛି ଲୋକେ ଗାଁ ରେ ଏକ ବୈଠକ ବସାଇ ଏକତରଫା ଭାବେ ତାଙ୍କୁ ସମାଜରୁ ବାସନ୍ଦ କରିବା ସହିତ ତାଙ୍କ ପରିବାରକୁ ଗାଁ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିବା ପୂର୍ଣ୍ଣଚନ୍ଦ୍ର ଦଳେଇ ଓ ଲିଙ୍ଗରାଜ ଦଳେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହିତ ନେଇଛି। କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଯୁବତୀମାନଙ୍କ ସାହସକୁ ପ୍ରଶଂସା କରିବା ସହିତ ଏହି ଦୁଃଖଦ ଘଟଣାର ଯେପରି ପୁନରାବୃତ୍ତି ନହେବ ସେ ଦିଗରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ସଚେତନ କରାଯିବ ବୋଲି କହିଛନ୍ତି।

ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଲାଞ୍ଜିଗଡ଼ ପୁଲିସ ମୃତକଙ୍କ ଘରକୁ ଯାଇ ସରଜମିନ ତଦନ୍ତ କରିଛି। ସେହିପରି ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ସହାୟତାର ହାତ ବଢାଇବା ସହିତ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥରାଶି ପ୍ରଦାନ କରିଥିବା ବେଳେ ବସନ୍ତପଡ଼ା ସରପଞ୍ଚ ତଥା ଯୁବନେତା ଚାଞ୍ଚେର ମାଝୀ ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି। ଲାଞ୍ଜିଗଡ଼ ର ପ୍ରଧାନୀ ପଡ଼ା ରେ ହୋଇଥିବା ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଆଜି ଜିଲ୍ଲାପାଳ ପାୱାର ସଚିନ ସାମ୍ୱାଦିକ ମାନଙ୍କ ଠାରେ ପ୍ରକାଶ କରିଛନ୍ତି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *