May 9, 2025
Home » ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠାଇବା ବେଳେ ଖସିପଡିଲେ ସେବାୟତ

ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠାଇବା ବେଳେ ଖସିପଡିଲେ ସେବାୟତ

0
WhatsApp Image 2025-02-27 at 10.47.44 AM

ଭୁବନେଶ୍ୱର: ଶିବରାତ୍ରୀ ପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିର ବେଶ ଚଳଚଞ୍ଚଳ ଥିବା ବେଳେ ହଠାତ୍ ବଡ ଅଘଟଣ ଘଟିଛି। ପ୍ରଥମ ଅଘଟଣ ଥିଲା ନିର୍ଦ୍ଦାରିତ ସମୟର ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିବା ବେଳେ ଦ୍ବିତୀୟ ଅଘଟଣ ହେଉଛି ମହାଦୀପ ନେଇ ମନ୍ଦିର ଚୂଡାକୁ ଯାଉଥିବା ବେଳେ ଜଣେ ସେବାୟତ ଖସିପଡିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି।

ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏପରି ଅଘଟଣ ଘଟିଲା। ମହାପ୍ରଭୁଙ୍କ ନିକଟରେ ବିଳମ୍ବରେ ମହାଦୀପ ଉଠିବା ପରେ ସେବାୟତ ଖସିପଡିଛନ୍ତି। ଏହା କେଉଁ ପ୍ରକାର ସଂକେତ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ମହାଦୀପ ଉଠିବା ବେଳେ ଯେଉଁ ଅଘଟଣ ଘଟିଛି ତାହା ଶ୍ରୀଜିଉଙ୍କ ରଥଯାତ୍ରା ସମୟରେ ହୋଇଥିବା ମହା ଅଘଟଣା କଥାକୁ ମନେ ପକାଇ ଦେଇଛି । ତାଳଧ୍ବଜ ରଥରେ ଗୋଟି ପହଣ୍ଡି ସମୟରେ ବଡ଼ଠାକୁର ବଳଭଦ୍ର ଅଣେଇ ହୋଇ ପଡ଼ିଯାଇଥିଲେ । ଏଥିରେ ସେବାୟତମାନେ ଆହତ ମଧ୍ୟ ହୋଇଥିଲେ । ସେତେବେଳେ ଏହି ଅଘଟଣକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।

ସୂଚନା ଅନୁସାରେ ବୁଧବାର ଲିଙ୍ଗରାଜ ମନ୍ଦିରରେ ପ୍ରଥମେ ମନ୍ଦିର ବେଢ଼ା ପରିକ୍ରମା ପରେ ମହାଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା ଓ ତାପରେ ଘଣ୍ଟାଘଣ୍ଟା ଧ୍ୱନିରେ ସେବାୟତ ମହାଦୀପ ଧରି ମନ୍ଦିର ଉପରକୁ ଚଢିବା ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ମନ୍ଦିରର ଠିକ ପାଦଦେଶ ଉପରକୁ ଚଢିବା ବେଳେ ଭାରସାମ୍ୟ ରଖି ନ ପାରି ତଳେ ମୁହଁମାଡି ପଡିଯାଇଥିଲେ।

ସଂଗେ ସଂଗେ ସେଠାରେ ଉପସ୍ଥିତ ଅନ୍ୟ ସେବାୟତ ମାନେ ତାଙ୍କୁ ଉଠାଇ ଆଣି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ପରେ ଅନ୍ୟଜଣେ ସେବାୟତ ମହାଦୀପ ନେଇ ମନ୍ଦିର ଚୁଡାକୁ ଉଠିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାପିଟାଲ ହସ୍ପିଟାଲ ଯାଇ ଆହତ ସେବାୟତଙ୍କୁ ଭେଟିଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, ସେବାୟତଙ୍କ ଚିକିତ୍ସା ଆମର ପ୍ରାଥମିକତା। ଜିଲ୍ଲାପାଳ କହିଛନ୍ତି, ଏଭଳି ଘଟଣା କାହିଁକି ଓ କେମିତି ଘଟିଲା ତାହାର ଅନୁଧ୍ୟାନ କରାଯିବ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *