February 4, 2026
Home » ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଏମ କେ ଏସ ସି ବକ୍ସର ବିହାର ଦଳ ୧-୦ ଗୋଲରେ ବିଜୟୀ

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଏମ କେ ଏସ ସି ବକ୍ସର ବିହାର ଦଳ ୧-୦ ଗୋଲରେ ବିଜୟୀ

0
WhatsApp Image 2025-11-20 at 4.23.41 PM

 

ନୟାଗଡ: ନୟାଗଡ ଲଡ଼ୁକେଶ ଆଥଲେଟିକ ଆସୋସିଏସନ, ଶରଣକୁଳ ଦ୍ୱାରା ଆୟୋଜିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୬୪ତମ ସର୍ବ ଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟର ୪ର୍ଥ ଦିବସ ବୁଧବାର ଦିନ ଗ୍ରୁପ ବି’ର ଖେଳରେ ଏମ.କେ.ଏସ.ସି., ବକ୍ସର, ବିହାର ୧-୦ଗୋଲରେ ସ୍ପୋର୍ଟ୍ସ ହଷ୍ଟେଲ, ନୟାଗଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମାର୍ଦ୍ଧ ଖେଳରେ ଉଭୟ ଦଳ ଆକ୍ରମଣାତ୍ମକ ଭାବେ ଖେଳି ଥିଲେ। ପରେ ୨୮ତମ ମିନିଟରେ ବିହାର ଦଳର ୧୦ ନଂ ଜର୍ସି ଖେଳାଳି ଓକ୍ଟାଭିଅସ ଏକ ଗୋଲ ସ୍କୋର କରି ୧-୦ରେ ଦଳକୁ ଅଗ୍ରଣୀ କରିଥିଲେ। ଦ୍ବିତୀୟାର୍ଦ୍ଧ ଖେଳରେ ଉଭୟ ଦଳର ଖେଳାଳି ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ ସୁଦ୍ଧା ନୟାଗଡ ଦଳ ଗୋଲ ପରିଶୋଧ କରିପାରି ନ ଥିଲେ ।ଫଳରେ ବିହାର ୧-୦ରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି।

ମୁଖ୍ୟଅତିଥି ଭାବେ ଷ୍ଟେଟ ବ୍ୟାଙ୍କ, ଶରଣକୁଳ ଶାଖା ପ୍ରବନ୍ଧକ ମହେଶ୍ୱର ପଣ୍ଡା ଓ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଶରଣକୁଳର ଅଧକ୍ଷ ରାମ ପ୍ରସାଦ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆସୋସିଏସନର ସଭାପତି ସତ୍ୟନାରାୟଣ ପ୍ରଧାନ ଓ କର୍ମକର୍ତ୍ତାଙ୍କ ସହ ମଧ୍ୟାନ୍ତରରେ ପଡିଆ ମଧ୍ୟରେ ରେଫେରୀ ଓ ଖେଳାଳିମାନଙ୍କ ସହ ପରିଚୟ ଆଦାନପ୍ରଦାନ ସହ ଉତ୍ସାହିତ କରିଥିଲେ। ପରିଶେଷରେ ମୁଖ୍ୟ ଅତିଥି ଆଜିର ସର୍ବଶ୍ରେଷ୍ଠ ଖେଳାଳି ଭାବେ ବିହାର ଦଳର ଖେଳାଳି ଓକ୍ଟାଭିଅସଙ୍କୁ ଏକ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ମୁଖ୍ୟ ରେଫେରି ଭାବେ ରାଜୁ ମହାନ୍ତି, ଲାଇନରେ ଜ୍ୟୋତିରଞ୍ଜନ ସ୍ୱାଇଁ, ପ୍ରସନ୍ନ ନାୟକ ସହାୟତା କରିଥିବା ବେଳ ୪ର୍ଥ ରେଫେରୀ ଭାବେ ଜଗନ୍ନାଥ ପରିଡା ଖେଳକୁ ପରିଚାଳନା କରିଥିଲେ। ଗୁରୁବାର ପ୍ରଥମ ସେମିଫାଇନାଲ ଖେଳ ସେଞ୍ଚୁରିଆନ ୟୁନିଭରସିଟି, ଆଫ୍ରିକା ଏକାଦଶ ବନାମ ଗଣ୍ଡରପୁର ଫୁଟବଲ କ୍ଲବ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ସୂଚନା ଦେଇଛନ୍ତି।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *