ଶହୀଦ ଲକ୍ଷ୍ମଣ ନାଏକଙ୍କ ଶ୍ରାଦ୍ଧ ଦିବସରେ ଗରିମାମୟ ମାଲ୍ୟାର୍ପଣ
ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ଅସ୍ମିତା ଓ ସ୍ୱାଭିମାନର ଅଦମ୍ୟ ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ ନିର୍ଭୀକତା, ତ୍ୟାଗ ଓ ଦେଶପ୍ରେମର ଉଜ୍ଜ୍ୱଳ ଉଦାହରଣ। ଜନଜାତିମାନଙ୍କ ଅଧିକାର ଓ ସ୍ୱାଧୀନତା ପାଇଁ ତାଙ୍କର ଅବିରତ ସଂଗ୍ରାମ ଏବଂ ବଳିଦାନ ଆଜିମଧ୍ୟ ସମାଜକୁ ପ୍ରେରିତ କରୁଛି। ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଭୀର ଶ୍ରଦ୍ଧା ଓ ଗରିମାମୟ ପରିବେଶରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ସକାଳ ୮ ଘଟିକାରେ ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଏବଂ ସକାଳ ଘ. ୮.୩୦ ମିନିଟ୍ରେ କଳିଙ୍ଗ ହସ୍ପିଟାଲ୍ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ପବିତ୍ର ସ୍ମୃତିକୁ ସ୍ମରଣ କରାଯାଇଥିଲା। ପରବର୍ତ୍ତୀରେ ସକାଳ ୯ ଘଟିକାରେ ଓଡ଼ିଶା ବିଧାନ ସଭା ପାର୍ଶ୍ୱ ଗେଟ୍ ନମ୍ବର–୧ ସ୍ଥିତ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପୁଷ୍ପମାଲ୍ୟ ଅର୍ପଣ କରି ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି ଓ ସାଂସଦ ଶ୍ରୀ ମୁଜିବୁଲ୍ଲା (ମୁନା) ଖାନଙ୍କ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ଗୁରବୀର ସିଂହ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ନିର୍ଦ୍ଦେଶକ ଶ୍ରୀ ଦୀପକ କୁମାର ସାହୁ, ଶବରୀ ସାଂସ୍କୃତିକ ସଂସଦର କର୍ମକର୍ତ୍ତାମାନେ, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀଯୁକ୍ତ ଭାଗବତ ଦାଶ ଓ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହାସହ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଶହୀଦ ଲକ୍ଷ୍ମଣ ନାଏକଙ୍କ ଦେଶପ୍ରେମ, ସଂଗ୍ରାମମୟ ଜୀବନ ଓ ବଳିଦାନ ଜାତି ପାଇଁ ଅନନ୍ୟ ପ୍ରେରଣା ହୋଇ ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।
ଅନିଶା କର
ଲୋକସମ୍ପର୍କ ଅଧିକାରୀ
