October 23, 2025
Home » ଶାରଦୀୟ ଦୁର୍ଗାପୂଜା ରେ ପୂଜା ପାଏ ହାଡ଼ିଆ ଭୁତ

ଶାରଦୀୟ ଦୁର୍ଗାପୂଜା ରେ ପୂଜା ପାଏ ହାଡ଼ିଆ ଭୁତ

0
WhatsApp Image 2025-10-01 at 8.54.56 PM

ବିଧି ଓ ପରମ୍ପରା ର ସ୍ଥାନ ହେଉଚି ଶ୍ରୀକ୍ଷେତ୍ର ପୁରୀ। ଏଠାରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ବେଳେ ଶାରଦୀୟ ଦୁର୍ଗାପୂଜା କୁ ମଧ୍ୟ ବେଶ୍ ଧୁମ୍ ଧାମରେ ପାଳନ କରିଥାନ୍ତି ପୁରୀ ସହର ବାସୀ। ତେବେ ଅନ୍ୟ ସ୍ଥାନ ଅପେକ୍ଷା ଶାରଦୀୟ ଦୁର୍ଗାପୂଜା ରେ ଭିନ୍ନ ଭିନ୍ନ ମେଢ଼ ଦେଖିବାକୁ ମିଳିଥାଏ। ଯାହାକି ଅନ୍ୟ କୌଣସି ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିନଥାଏ। ଶାରଦୀୟ ଦୁର୍ଗାପୂଜା ରେ ଦେବୀ ଙ୍କୁ ଆରାଧନା କରାଯିବା ସହ ଭୂତ ପୂଜା ଅନୁଷ୍ଠିତ ହୁଏ। ସେହିପରି ରାମାୟଣ ର ଚରିତ୍ରରେ ଥିବା ସିମ୍ପାତି ଚଢ଼େଇ କୁ ପୂଜା କରାଯାଏ। ବୁଢ଼ା ବୁଢ଼ୀ ମୂର୍ତ୍ତି ମଧ୍ୟ ପୂଜା ଅନୁଷ୍ଠିତ ହୋଇଥାଏ।

ଶ୍ରୀକ୍ଷେତ୍ର ପୁରୀ ରେ ଶାରଦୀୟ ଦୁର୍ଗାପୂଜା ଦେବୀ ଙ୍କ ଆରାଧନା ସହ ଭୂତ କୁ ମଧ୍ୟ କରାଯାଏ। ତେବେ ଭୂତ ରୂପରେ ପୂଜା ପାଉଛି ହଡ଼ିଆ ଭୁତ। ଶ୍ରୀ ମନ୍ଦିର ନିକଟ ରେ ଥିବା ହରଚଣ୍ଡୀ ସାହିରେ ହାଡିଆ ଭୁତ ପୂଜା ପାଉଛନ୍ତି। ହରଚଣ୍ଡୀ ସାହିର ବାସିନ୍ଦା ଆଦିତ୍ୟ ନାରାୟଣ ସାହୁ ଙ୍କ ଘରେ ଏହି ହାଡ଼ିଆ ଭୁତ ମେଢ଼ ପୂଜା ପାଏ। ତେବେ ଆଦିତ୍ୟ କୁହନ୍ତି, ହାଡ଼ିଆ ଭୁତ ପୂଜା ଆମ ପୂର୍ବ ପୁରୁଷ ମାନେ କରିଆସୁଛନ୍ତି। ପିଢ଼ି ପରେ ପିଢ଼ି ଏହି ପୂଜା ପାଳନ କରାଯାଉଛି। ତେବେ କେବେ ଠାରୁ ଏହି ଭୂତ ପୂଜା ଆରମ୍ଭ କରାଗଲା ସେନେଇ କିଛି ସଠିକ୍ ତଥ୍ୟ ଦେଇ ହେବନି । ତେବେ ଆମେ ପାଞ୍ଚ ପିଢ଼ି ଏହି ପୂଜା କରିଆସୁଛୁ। ତେବେ ଆମ ଜେଜେବାପା ହାଡୁବନ୍ଧୁ ସାହୁ ଙ୍କୁ ଏକ ସ୍ୱପ୍ନାଦେଶ ହୋଇଥିଲା। ସେ ଘରେ କେହି ଅଦୃଶ୍ୟ ଶକ୍ତି ର ପ୍ରଭାବ ଥିବା ଅନୁଭୁବ କରିଥିଲେ। ଏଣୁ ଏଥି ପାଇଁ ସେ ଚଣ୍ଡୀ ପୂଜା ଆରଂଭ କରିଥିଲେ। ସାଧାରଣତ ଶାରଦୀୟ ଦୁର୍ଗାପୂଜା ରେ ଚଣ୍ଡୀ ଚାମୁଣ୍ଡା ମାନଙ୍କୁ ପୂଜା କରାଯିବାର ବିଧି ରହିଛି। ତେବେ ହାଡୁବନ୍ଧୁ ସାହୁ ଘର ଉନ୍ନତି ପାଇଁ ଏହି ଚଣ୍ଡୀ ପୂଜା ଆରଂଭ କରିଥିଲେ। ତେଣେ ଚଣ୍ଡୀ ଙ୍କ ସ୍ଵରୂପ ଭାବେ ମୂର୍ତ୍ତି ମଧ୍ୟ ବରାଦ ଦେଇ ପୂଜା କରିଥିଲେ। ଯେହେତୁ ଚଣ୍ଡୀ ମୂର୍ତି ଭୂତ୍ ଭଳି ଦେଖିବାକୁ ଏବଂ ଆମ ଜେଜେ ହାଡ଼ିବନ୍ଧୁ ସାହୁ ଏହି ପୂଜା ଆରଂଭ କରିଥିଲେ ଲୋକ ମାନେ ପୂଜା ପାଉଥିବା ଚଣ୍ଡୀ ମୂର୍ତି କୁ ହାଡ଼ିଆ ଭୁତ ଭାବେ ଡାକିବା ଆରଂଭ କଲା। ପରବର୍ତୀ ସମୟରେ ପିଢ଼ି ପରେ ପିଢ଼ି ଏବେ ଲୋକ ମାନେ ଏହାକୁ ହାଡ଼ିଆ ଭୁତ ବୋଲି କହି ଆସୁଛନ୍ତି। ଦେବୀ ଦୁର୍ଗା ଙ୍କ ପୂଜା କରାଯିବା ବିଧି ଭଳି ବନ ଦୁର୍ଗା ମନ୍ତ୍ର ରେ ଏହି ହାଡିଆ ଭୁତ ତଥା ଚଣ୍ଡୀ ଙ୍କୁ ପୂଜା କରାଯାଏ। ସପ୍ତମୀ , ଅଷ୍ଟମୀ, ନବମୀ ପୂଜା ବିଧି ସହିତ ଶୀତଳ ଭୋଗ , ମହାଷ୍ଟମୀ ରାତିରେ ଶଙ୍ଖୁଡ଼ି ଭୋଗ, ପୋଡ଼ା ବଳି ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଲୋକ ମାନେ ବିଭିନ୍ନ ଠାକୁର ଙ୍କୁ ମାନନ୍ତି। କିନ୍ତୁ ଆମ ପରିବାର ଲୋକେ ହାଡ଼ିଆ ଭୁତ କୁ ପୂଜା କରିଥାଉ। ଏହା ଦ୍ଵାରା ଆମ ପରିବାର ର ଉନ୍ନତି ହେଉଚି। ପିଢ଼ି ପରେ ପିଢ଼ି ଏହି ପୂଜା ଆମ୍ ପରିବାର ଲୋକେ ଆୟୋଜନ କରୁଥିବା ବେଳେ ଆଗାମୀ ଦିନରେ ମଧ୍ୟ ଆୟୋଜନ ହେବ।

 

ଶାରଦୀୟ ଦୁର୍ଗାପୂଜା ରେ ଶ୍ରୀକ୍ଷେତ୍ର ବିଭିନ୍ନ ମେଢ଼ ଦେଖିବାକୁ ମିଳିଥାଏ। ରାମାୟଣ ବିଷୟବସ୍ତୁରେ ଥିବା ସମ୍ପାତି ଚଡେଇ କୁ ପୂଜା ନେଇ ଦେଖିବାକୁ ମିଳିଥାଏ। ମିଶ୍ର ସାହିର ସାତବଖରା ଜାଗାଘର ପକ୍ଷରୁ ଏହି ପୂଜା ଆୟୋଜନ କରାଯାଇ ଆସୁଚି। ସାତବଖରା ଜାଗା ସମ୍ପାଦକ ସନ୍ତୋଷ କୁମାର ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି, ମା ସୀତା ଙ୍କୁ ରାବଣ ହରଣ କରିବା ପରେ ଲଙ୍କା ର ରାସ୍ତା କୁ ଦେଖାଇଥିଲେ ସମ୍ପାତି ଚଢ଼େଇ। ସୁଗ୍ରୀବ ରାଜା ଙ୍କ ସହ ଜମ୍ବନାନ,ସୁସେଣ, ହନୁମାନ, ଅଙ୍ଗଦ, ନଳ, ନୀଳ, ଗନ୍ଧ ମାର୍ଦ୍ଦନ ଙ୍କ ଭଳି ଆଠ ବିର ଙ୍କୁ ସମ୍ପାତି ନିଜ ପିଠି ରେ ବସାଇ ଲଙ୍କା ରାସ୍ତା ଦେଖାଇଥିଲେ। ଏହି ସ୍ମୃତି କୁ ଉଜ୍ଜୀବିତ କରି ରଖିବା ପାଇଁ ସାତବଖରା ଜାଗା ପକ୍ଷରୁ କାଇଁ କେବେଠାରୁ ଏହି ସମ୍ପାତି ଚଢ଼େଇ କୁ ପୂଜା କରାଯାଉଚି ଶାରଦୀୟ ଦୁର୍ଗାପୂଜା ସମୟ ରେ ।

ଜଗନ୍ନାଥ ଧାମ ରେ ଶାରଦୀୟ ଦୁର୍ଗାପୂଜା ରେ ଦେବୀ ପୂଜା ସହ ଯୋଡ଼ି ହୋଇ ରହିଛି ବୁଢ଼ା ବୁଢ଼ୀ ପରମ୍ପରା। ବଢେଇ ସାହି ବାସିନ୍ଦା ମାନେ ବୁଢ଼ା ବୁଢ଼ୀ ନାମକ ଏକ କଣ୍ଢେଇ କରି ଏକ ସ୍ବତନ୍ତ୍ର ବାଦ୍ୟ ରେ ନୃତ୍ୟ କରାଇଥାଆନ୍ତି। ସପ୍ତମୀ, ଅଷ୍ଟମୀ ଓ ନବମୀ ରେ ଏହି ନୃତ୍ୟ ଦେଖିବାକୁ ମିଳିଥାଏ। ଲୋକକଥା ମୁତାବକ ଦୁଇ ଜଣ ବୁଢ଼ା ବୁଢ଼ୀ ବଢେଇ ସାହିରେ ରହୁଥିଲେ। ସେମାନେ ତାଙ୍କ ସ୍ନେହ ଆଦର ପାଇଁ ଲୋକ ଙ୍କ ମଧ୍ୟ ରେ ବେଶ୍ ଆଦୃତ ହୋଇଥିଲେ। ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ପ୍ରତ୍ୟେକ ବର୍ଷ ଶାରଦୀୟ ଦୁର୍ଗାପୂଜା ର ସପ୍ତମୀ,ଅଷ୍ଟମୀ ଓ ନବମୀ ତିଥି ରେ ବୁଢ଼ା ବୁଢ଼ୀ ଆକୃତି ର ଏକ କଣ୍ଢେଇ କରାଯାଇ ଏକ ସ୍ବତନ୍ତ୍ର ବାଦ୍ୟ ତାଳରେ ବୁଢ଼ା ବୁଢ଼ୀ କଣ୍ଢେଇ କୁ କୁ ନେଇ ନୃତ୍ୟ ପରିବେଷଣ ହୁଏ। ଯାହାକୁ ଦେଖିବାକୁ ବେଶ୍ ଲୋକ ଙ୍କ ଭିଡ ହୋଇଥାଏ।

ତେବେ ପୁରୀ ବାସିନ୍ଦା କୁହନ୍ତି ଶ୍ରୀକ୍ଷେତ୍ର ହେଉଚି ଏକ ନିଆରା ସ୍ଥାନ। ସବୁଆଡ଼େ ଶାରଦୀୟ ଦୁର୍ଗାପୂଜା କେବଳ ଦେବୀ ଙ୍କୁ ପୂଜା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ଗୋଷାଣୀ ଦେବୀ ଙ୍କ ପୂଜା ସହ ବିଶାଳ ନାଗା ମୂର୍ତ୍ତି, ହାଡିଆ ଭୁତ, ସଂପାତି , ବୁଢ଼ା ବୁଢ଼ୀ ପୂଜା ହେବାର ବିଧି ରହିଛି। ଯାହାକୁ ଦେଖିବାକୁ ବିଭିନ୍ନ ଅଞ୍ଚଳ ରୁ ଲୋକ ମାନେ ଆସିଥାନ୍ତି। ଶ୍ରୀକ୍ଷେତ୍ର ବାସୀ ବଡ ଧୁମ୍ ଧାମ ରେ ଶାରଦୀୟ ଦୁର୍ଗାପୂଜା କୁ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରିଥାନ୍ତି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *