ଶିଶୁ ଶିକ୍ଷା ଉପରେ କାର୍ଯ୍ୟ କରୁଚି ପୁରୀ ସାମାଜିକ ଅନୁଷ୍ଠାନ ‘ଦି ବେଲ ‘
କୋମଳମତି ଶିଶୁ ହେଉଛନ୍ତି ଆମ ସମାଜର ଭବିଷ୍ୟତ। ସେମାନେ ଶିକ୍ଷିତ ହେଲେ ସମାଜ ଶିକ୍ଷିତ ହେବ। ସମାଜ ଶିକ୍ଷିତ ଓ ସଚେତନ ହେଲେ ଦେଶ ର ବିକାଶ ହେବ। ଏହି ଭଳି କିଛି ମହତ୍ ଉଦ୍ଦେଶ୍ୟ ନେଇ ଶିଶୁ ଶିକ୍ଷା ଉପରେ କାର୍ଯ୍ୟ କରୁଚି ପୁରୀ ସାମାଜିକ ଅନୁଷ୍ଠାନ ‘ଦି ବେଲ ‘। ବସ୍ତି ଅଞ୍ଚଳ ରେ ଅନେକ ଶ୍ରମିକ ଶ୍ରେଣୀର ଲୋକ ବସବାସ କରୁଥିବା ବେଳେ ଶିକ୍ଷା କୁ ସଚେତନ ନାହାନ୍ତି। ଏଣୁ ବସ୍ତି ଅଞ୍ଚଳ ରେ ଛୋଟ ଛୋଟ ପିଲାମାନେ ଶିକ୍ଷା ବଞ୍ଚିତ ହେଉଛନ୍ତି। ସ୍କୁଲ ନ ଯାଇ ବାହାରେ ବୁଲାବୁଲି କରୁଛନ୍ତି ନ ହେଲେ ଶିଶୁ ଶ୍ରମିକ ସାଜି ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ରେ ନିଜ ଅଭିଭାବକ ଙ୍କୁ ସାହାଯ୍ୟ କରୁଚନ୍ତି।

ଶିକ୍ଷା ଓ ଉପଯୁକ୍ତ ପରିବେଶ ଅଭାବ ରୁ ଅନେକ ବସ୍ତି ଅଞ୍ଚଳ ର ପିଲା ବିଭିନ୍ନ ଅପରାଧ ତଥା ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ରହୁଛନ୍ତି। ଏଣୁ ବସ୍ତି ଅଞ୍ଚଳ ର ଛୋଟ ପିଲା ଙ୍କୁ ଶିକ୍ଷା ପ୍ରଦାନ କରିବା, ଭଲ ମଣିଷ ହେବା ଆବଶ୍ୟକ ନୈତିକ ଶିକ୍ଷା ‘ ଦି ବେଲ ‘ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦିଆଯାଉଛି। ଏକଲବ୍ୟ ପାଠଶାଳା ଜରିଆରେ ପୁରୀ ସହର ସବୁଠୁ ବଡ ବସ୍ତି ବଳିଆ ପଣ୍ଡାବସ୍ତି ଅଞ୍ଚଳ ର ପିଲା ଙ୍କୁ ଶିକ୍ଷାଦାନ କରାଯାଉଛି।୨୦୨୧ ମସିହା ରୁ ୫ ବର୍ଷ ହେବ ଶିଶୁ ଶିକ୍ଷା ଉପରେ କାର୍ଯ୍ୟ କରୁଛି ସାମାଜିକ ଅନୁଷ୍ଠାନ ‘ ଦି ବେଲ ‘। ତେବେ ବସ୍ତି ଅଞ୍ଚଳ ମାଗଣା ରେ ପିଲା ଙ୍କୁ ଶିକ୍ଷାଦାନ କୁ ପ୍ରଶଂସା କରିଛନ୍ତି ବସ୍ତି ବାସିନ୍ଦା।ବଳିଆପଣ୍ଡା ବସ୍ତି ବାସିନ୍ଦା ସୁଚିତ୍ରା ବେହେରା ନିଜ ପ୍ରତିକ୍ରିୟାରେ କୁହନ୍ତି, ଏକଲବ୍ୟ ପାଠଶାଳା ରେ ପିଲା ଙ୍କୁ ଶିକ୍ଷାଦାନ ସହିତ ନାଚ, ଗୀତ ଓ ଯୋଗ ଆଦି ଶିକ୍ଷା ଦିଆଯାଉଛି।

ମୋର ଦୁଇ ଝିଅ ଏଠାକୁ ପଢିବାକୁ ଆଶୁଚନ୍ତି। ଏଠାରେ ବେଶ୍ ଭଲ ପରିବେଶ ରହିଚି । ପିଲା ମାନେ ଭଲ ପାଠ ପଢିବା ସହ ନାଚ, ଗୀତ, ଯୋଗ ଓ ବିଭିନ୍ନ ଖେଲ ରେ ଭଲ ପ୍ରଦର୍ଶନ କରୁଛନ୍ତି। ଏକଲବ୍ୟ ପାଠଶାଳା ଏଠାରେ ଆରଂଭ ହେବା ପରେ ଆମେ ଧୀରେ ଧୀରେ ଜାଣିଲୁ। ପରେ ଆମେ ଆମ ପିଲା ଙ୍କୁ ଏଠାକୁ ଶିକ୍ଷାଦାନ ପାଇଁ ପଠାଇଲୁ। ବସ୍ତି ଅଞ୍ଚଳ ରେ ବହୁତ୍ ଶ୍ରମିକ ଶ୍ରେଣୀର ଲୋକ ବାସ କରୁଛନ୍ତି। ଶିକ୍ଷା ପ୍ରତି ତାଙ୍କର ସଚେତନତା ନାହିଁ। ତେବେ ଏହି ଭଳି ସ୍ଥାନରେ ମାଗଣା ଶିକ୍ଷାଦାନ ନିଶ୍ଚିତ ବହୁତ୍ ଭଲ। ଏହା ଦ୍ଵାରା ଆମ ବସ୍ତି ଅଞ୍ଚଳ ର ପିଲା ମାନେ ଏଠାରେ ଭଲ ପାଠ ପଢି ଆଗାମୀ ଦିନରେ ଭଲ ନାଗରିକ ହୋଇପାରିବେ।ଏକଲବ୍ୟ ପାଠଶାଳା ପଡ଼ୁଥିବା କଳ୍ପନା ନାଏକ କୁହନ୍ତି, ମୁଁ ଏବେ ନବମ ଶ୍ରେଣୀରେ ପଡୁଛି। ମୁଁ ନିକଟ ରେ ଥିବା ଏକ ସ୍କୁଲ ରେ ପାଠ ପଡୁଛି। ତେବେ ପାଠ ପଢା ମତେ ବହୁତ୍ ଅସୁବିଧା ହେଉଥିବା। ତେବେ ଏକଲବ୍ୟ ପାଠଶାଳା କୁ ଆସି ମୋ ଶିକ୍ଷା ରେ ଉନ୍ନତି କରିପାରିଚି। ମୋର ଯେଉଁ ବିଷୟ ରେ ଦୁର୍ବଳତା ରହିଚି ଏଠାରେ ସାର୍ ମାନେ ତାହା ଦୁର କରୁଚନ୍ତି। କେବଳ ସେତିକି ନୁହେଁ ମୁଁ ନୃତ୍ୟ, ଗୀତ, ଯୋଗ ଶିକ୍ଷା ଲାଭ ଏଠାରେ ପାଇଥିବା ବେଳେ ଅନେକ ପୁରସ୍କାର ମଧ୍ୟ ପାଇଛି। ଏଠାରେ ପାଠ ପଡ଼ିବା ପରେ ମତେ ବହୁତ୍ ଆତ୍ମବିଶ୍ବାସ ମିଳିଚି। ପ୍ରଥମ ରୁ ଦଶମ ଯାଏଁ ଏଠାରେ ସବୁଦିନ ସନ୍ଧ୍ୟା ୫ ଟା ରୁ ୭ ଟା ୩୦ ଯାଏ ପାଠ ପଢା ଯାଉଛି । ମୋର ଲକ୍ଷ୍ୟ ଅଛି ଭଲ ପାଠ ପଢି ବ୍ୟାଙ୍କ ରେ ଚାକିରି କରିବି। ଏଥି ପାଇଁ ପରିଶ୍ରମ ମଧ୍ୟ କରିବି।ପୁରୀ ବଳିଆପଣ୍ଡା ବସ୍ତିର ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି।

‘ ‘ଦିବେଲ ‘ ଅନୁଷ୍ଠାନ ପକ୍ଷରୁ କରାଯାଇଛି ଏକଲବ୍ୟ ପାଠଶାଳା। ବଳିଆପଣ୍ଡା ବସ୍ତିରେ ଥିବା ଭାରତ ଯୋଗକେନ୍ଦ୍ର ପରିସର ରେ ଏହି ଏକଲଵ୍ୟ ପାଠଶାଳା କରାଯାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ୫ ଟା ୨ ଘଣ୍ଟା ଧରି ଶିକ୍ଷାଦାନ କରାଯାଉଛି। ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ରେ ୫୦ ରୁ ଅଧିକ ପିଲା ଙ୍କୁ ଶିକ୍ଷାଦାନ କରାଯାଉଛି। ମାଗଣା ବହି, ଖାତା, କଲମ ସହ ଅନ୍ୟାନ୍ୟ ପାଠ୍ୟ ଉପକରଣ ପ୍ରଦାନ କରାଯାଉଛି। ଦୁଇ ଜଣ ଶିକ୍ଷକ ଛାତ୍ର ମାନ ଙ୍କୁ ଶିକ୍ଷାଦାନ କରୁଚନ୍ତି। ୩ ଜଣ ସ୍ବେଛାସେବୀ ବସ୍ତି ଅଞ୍ଚଳରେ ବୁଲି ସ୍କୁଲ ଯାଉନଥିବା ପିଲା ଙ୍କୁ ଚିହ୍ନଟ କରି ଓ ତାଙ୍କ ବାପ ମା ଙ୍କୁ ଶିକ୍ଷା ସମ୍ପର୍କରେ ସଚେତନ କରି ପିଲାଙ୍କୁ ଏକଲବ୍ୟ ପାଠଶାଳା କୁ ଅଣାଯାଉଛି। ଏକଲବ୍ୟ ପାଠଶାଳା ରେ ଆକାଶ ଦାଶ, ବର୍ଷା ଦାଶ, କଲ୍ୟାଣୀ ସେଠୀ ଶିକ୍ଷାଦାନ କରୁଥିବା ବେଳେ ବନିତା ଦୀକ୍ଷିତ ରଥ, ମୋନାଲିସା ଜେନା, ଉମେଶ ଦାଶ ଭଲ୍ୟୁଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି।କେବଳ ଶିକ୍ଷା ଦାନ ନୁହେଁ ସମାଜ ରେ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନୈତିକ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ପ୍ରତ୍ୟେକ ଦିନ ପାଠ ପଢା ପୂର୍ବରୁ ପ୍ରାର୍ଥନା ସଭା ଆୟୋଜନ କରାଯାଉଛି। ପ୍ରତ୍ୟେକ ଦିନ ପିଲା ଙ୍କୁ ଭଲ କଥା ଉପଦେଶ ଦିଆଯାଉଛି। ପିଲା ଙ୍କ ଭିତରେ ଶିକ୍ଷା ପ୍ରତି ରୁଚି ବଢ଼ାଇବା ପାଇଁ ଚିତ୍ରାଙ୍କନ ଶିକ୍ଷା ଠାରୁ ଆରମ୍ଭ କରି ନୃତ୍ୟ , ଗୀତ, ଯୋଗ ଶିକ୍ଷା ପ୍ରଦାନ କରାଯାଉଛି। ଭଲ ପାଠ ପଢି ସମାଜ ରେ ଭଲ ମଣିଷ ହେବା ସହ ଦେଶର ସେବା ପାଇଁ ଲକ୍ଷ୍ୟ ରଖିବାକୁ ପ୍ରତ୍ୟେକ ପିଲା ଙ୍କୁ ଉପଦେଶ ଦିଆଯାଉଛି । ବସ୍ତି ଅଞ୍ଚଳ ରେ ଶିକ୍ଷା ପ୍ରତି ସଚେତନତା ଅଭାବ ଥିବା ବେଳେ ବସ୍ତି ଅଞ୍ଚଳ ରେ ଶିକ୍ଷା କୁ ଘରେ ଘରେ ପହିଁଞ୍ଚାଇବା ନେଇ ‘ଦି ବେଲ’ ପ୍ରୟାସ କୁ ବୁଦ୍ଧିଜୀବି ଓ ବସ୍ତି ଅଞ୍ଚଳ ରେ ରହୁଥିବା ଅଭିଭାବକ ମାନେ ବେଶ୍ ପ୍ରଶଂସା କରିଛନ୍ତି।

ଏକଲବ୍ୟ ପାଠଶାଳା ରେ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ କରୁଥିବା ବର୍ଷା ଦାଶ କୁହନ୍ତି, ଅନେକ ଛୋଟ ଛୋଟ ପିଲା ବିଭିନ୍ନ କ୍ଲାସ ର ଏଠାକୁ ଆସୁଛନ୍ତି। ପ୍ରତ୍ୟେକ ଛୋଟ ପିଲା ଙ୍କୁ ବୁଝି ତାଙ୍କୁ ମୁଁ ଶିକ୍ଷାଦାନ କରୁଛି। ତାଙ୍କର ମାନସିକ ସ୍ଥିତି ବୁଝି କିଭଳି ଶିକ୍ଷାଦାନ କରି ହେବ ସେ ନେଇ ମୁଁ ଧ୍ୟାନ ଦେଉଚି। ବସ୍ତି ଅଞ୍ଚଳ ରେ ଶିକ୍ଷା ପ୍ରତି ସଚେତନତା ନ ଥାଏ। ଏଣୁ ଏହା ଭିତରେ ଅଭିଭାବକ ଙ୍କୁ ସଚେତନ କରାଇ ପିଲା ଙ୍କୁ ପାଠ ପଢ଼ାଇବା ପାଇଁ ଆଣିବା ନିଶ୍ଚିତ ଆମ ପାଇଁ ଏକ ବଡ ଚ୍ୟାଲେଞ୍ଜ। କାରଣ ଶିକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ। ଶିଶୁ ମାନେ ହେଉଛନ୍ତି କଞ୍ଚା ମାଟି। ତାଙ୍କୁ ଆମେ ଯେମିତି ଗଢ଼ିବା ସେମିତି ସେମାନେ ହେବେ। ଏଣୁ ପ୍ରତ୍ୟେକ ଶିଶୁ ପାଇଁ ଶିକ୍ଷା ନିହାତି ଅପରିହାର୍ଯ୍ୟ। ମତେ ଶିକ୍ଷାଦାନ କରିବାର ସୁଯୋଗ ମିଳିଥିବାରୁ ମୁଁ ବହୁତ୍ ଖୁସି। ୨ ବର୍ଷ ହେବ ଏଠାକୁ ମୁଁ ଶିକ୍ଷା ଦାନ ଆସୁଛି। ପ୍ରତ୍ୟେକ ଶିଶୁ ଙ୍କ ନିକଟ ରେ ବହୁତ୍ ପ୍ରତିଭା ରହିଚି। ଏହାକୁ ଆମେ ଶିକ୍ଷା ଦ୍ଵାରା ବିକଶିତ କରିବାକୁ ପଡ଼ିବ।
ଏକଲବ୍ୟ ପାଠଶାଳା ବଳିଆ ପଣ୍ଡା ବସ୍ତି ଅଞ୍ଚଳ ର ପିଲା ଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏକ ମାର୍ଗ ଭାବେ କାର୍ଯ୍ୟକରୁଛି। ସାମାଜିକ ଅନୁଷ୍ଠାନ ‘ଦି ବେଲ ‘ ପକ୍ଷରୁ ପରିଚାଳିତ ହେଉଥିବା ଏକଲବ୍ୟ ପାଠଶାଳା ନିଶ୍ଚିତ ଆମ ସମାଜ ପାଇଁ ଏକ ଆଦର୍ଶ ଭାବେ ପରିଚୟ ସୃଷ୍ଟି କରିପାରିଚି। ‘ଦି ବେଲ ‘ ୨୦୧୭ ମସିହାରୁ ଆରଂଭ ହୋଇଥିବା ବେଳେ ଏହାର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ହେଉଛନ୍ତି ପୁରୀ ସହର ର ଜଣାଶୁଣା ସମାଜସେବୀ ସିଦ୍ଧାର୍ଥ ରୋୟ (୪୬)। ସିଦ୍ଧାର୍ଥ ଜଣେ ଉଚ୍ଚ ଶିକ୍ଷିତ। ସେ ଏଲ ଏଲ ବି ସହିତ ହ୍ୟୁମାନରାଇଟ ରେ ପିଜି ଏବଂ ସାମ୍ବାଦିକତା ପାଠ୍ୟକ୍ରମ ମାସ୍ କମ୍ୟୁନିକେଶନ ଡିଗ୍ରୀ ହାସଲ କରିଛନ୍ତି।ସେ ଅନେକ ଦିନ ଧରି ସାମ୍ବାଦିକତା କରିଛନ୍ତି। ସେହି ପୁରୀ ସି ଡବ୍ଲୁ ସି ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ବିଭିନ୍ନ ସମାଜ ସେବା କାର୍ଯ୍ୟ ସହିତ ସିଦ୍ଧାର୍ଥ ଶିଶୁ ସୁରକ୍ଷା ଏବଂ ଶିଶୁ ଶିକ୍ଷା ଉପରେ କାର୍ଯ୍ୟ କରିଆସୁଛନ୍ତି। ସିଦ୍ଧାର୍ଥ ତାଙ୍କର ସମାଜସେବା କାର୍ଯ୍ୟ ପାଇଁ ଅନେକ ଥର ସରକାରୀ ଓ ବେସରକାରୀ ଅନୁଷ୍ଠାନ ଦ୍ଵାରା ପୁରସ୍କୃତ ହୋଇଛନ୍ତି। ତେବେ ସମାଜସେବୀ ସିଦ୍ଧାର୍ଥ ରାୟ ଙ୍କ ‘ଦି ବେଲ ‘ ଭଳି ସାମାଜିକ ଅନୁଷ୍ଠାନଓ ସଂଗଠନ ବସ୍ତି ଅଞ୍ଚଳ ର ଶିଶୁ ଙ୍କ ଶିକ୍ଷା ଦାନ ରେ ଆଗେଇ ଆସିଲେ ଆମ ସମାଜ ଏକ ସୁସ୍ଥ ସମାଜ ହୋଇ ପାରିବା ସହ ଦେଶ ବିକାଶ ମଧ୍ୟ ଆଗେଇ ପାରିବ।

‘ଦି ବେଲ’ ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ସହର ରେ ବହୁତ୍ ବସ୍ତି ବୃଦ୍ଧି ପାଇବାରେ ଲାଗିଛି। ପୁରୀ ର ବଳିଆପଣ୍ଡା ବସ୍ତି ଏକ ବଡ ବସ୍ତି। ଏଠାରେ ଅନେକ ଶ୍ରମିକ ଶ୍ରେଣୀର ଲୋକ ବାସ କରୁଛନ୍ତି। ଏଣୁ ତାଙ୍କ ପିଲା ଙ୍କ ଯତ୍ନ ପାଇଁ ତାଙ୍କ ପାଖରେ ସମୟ ନାହିଁ। ଏଣୁ ଅନେକ ପିଲା ଙ୍କ ପାଖରେ ପାଠ ପଢା ର ସୁଯୋଗ ନାହିଁ। ତେବେ ଆମେ ଏକ ସର୍ଭେ କରିଥିଲୁ। ଜଣାପଡ଼ିଲା ଅନେକ ପିଲା ସ୍କୁଲ ରେ ନାମ ଲେଖାଇ ଥିଲେ ସ୍କୁଲ ଯାଉ ନାହାନ୍ତି। ଶିକ୍ଷା ରୁ ବଞ୍ଚିତ ରହୁଛନ୍ତି। ଅନେକ ଦାଦନ ଶ୍ରମିକ ଙ୍କ ପିଲା ଏଠାରେ ଥିବା ବେଳେ ତାଙ୍କର ସୁବିଧା ଅସୁବିଧା ବୁଝିବାକୁ କେହି ନାହାନ୍ତି। ତେବେ ଜଣେ ଶିଶୁ ର ସାମଗ୍ରିକ ବିକାଶ କଥା ଯଦି ଚିନ୍ତା କରାଯାଏ ତାହା ହେଲେ ପ୍ରଥମେ ହେଉଛି ଶିକ୍ଷା। ଏଣୁ ଆମ ଅନୁଷ୍ଠାନ ବସ୍ତି ଅଞ୍ଚଳ ପିଲା ଙ୍କୁ ଶିକ୍ଷା ଦାନ ପାଇଁ ନିଷ୍ପତ୍ତି ନେଲୁ। ଆମ ଭଲ୍ୟୁଣ୍ଟର ମାନେ ଘର ଘର ବୁଲି ଅଭିଭାବକ ଙ୍କୁ ସଚେତନ କରାଇ ପିଲା ଙ୍କୁ ଶିକ୍ଷା ଦାନ କରୁଛୁ। ଆମେ ଏହାକୁ ଏକଲବ୍ୟ ପାଠଶାଳା ନାମ ରଖୁଛୁ। ଆମେ ପ୍ରଥମ ରୁ ଦଶମ ଯାଏଁ ପିଲା ଙ୍କୁ ପାଠ ପଢାଉଚୁ। ଯିଏ ଯେତେବେଳେ ଆସିବ ଏଠାରେ ପାଠ ପଡ଼ିପାରିବ। କେବଳ ସେତିକି ନୁହେଁ ବିଭିନ୍ନ କାରଣ ରୁ ପିଲା ଙ୍କୁ ସ୍କୁଲ ରେ ନାମ ଲେଖା ହୋଇ ପାରିନଥାଏ। ଏଣୁ ସେହି ସମସ୍ୟା ସମାଧାନ କରିବା, ପ୍ରଶାସନ ସହ ଯୋଗାଯୋଗ କରି ପିଲା ଙ୍କ ନାମ ସ୍କୁଲ ରେ ଲେଖାଇବା, ଶିଶୁ ସୁରକ୍ଷା ଅଧିକାର ଉପରେ କାର୍ଯ୍ୟ କରିବା ଉପରେ ଆମେ କାମ କରୁଚୁ। ବିକାଶ ଧାରା ରେ ଯେମିତି ସବୁ ପିଲା ସାମିଲ ହେବେ ସେ ନେଇ ଆମେ କାର୍ଯ୍ୟ କରୁଚୁ। ପାଠ ପଢା ପାଇଁ ଯାହା ଉପକରଣ ତାକୁ ଆମେ ଦେଉଚୁ। ଆମେ ସରକାର ଙ୍କ ସହାୟତା କୁ ଅପେକ୍ଷା କରିନାହୁଁ। ଆମେ ଆମ ଇଛା ଶକ୍ତି ବଳରେ ଆମ ଭଲ୍ୟୁଣ୍ଟର ଙ୍କ ସହଯୋଗ ରେ ସବୁ କିଛି କରୁଚୁ। କିଛି ଯୁବକ ଯୁବତୀ ଭଲ୍ୟୁଣ୍ଟର ଭାବେ ଆସି ଶିକ୍ଷାଦାନ କରୁଛନ୍ତି। କିଛି ଲୋକ ଆମକୁ ପାଠ ପଢାଇବା ପାଇଁ ଘର ଦେଇଛନ୍ତି। ପିଲା ଙ୍କ ସାମଗ୍ରିକ ବିକାଶ ପାଇଁ ଯୋଗ, ଖେଳ, ନୃତ୍ୟ, ଗୀତ ଆଦି ମଧ୍ୟ ଶିକ୍ଷାଦାନ କରାଯାଉଛି। ଉତ୍ତମ ନାଗରିକ ହେବା ଏବଂ ବ୍ୟବହାରିକ ଜ୍ଞାନ ମଧ୍ୟ ଆମେ ଦେଉଚୁ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
