ଶୁଣିଲେ ନାହିଁ ସରକାର : ରାଜସ୍ୱ ଅମଲା କର୍ମଚାରୀ ଅଗଷ୍ଟ 11 ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ଯିବେ
ସୁବର୍ଣ୍ଣପୁର— ଆସନ୍ତା କାଲିଠୁଁ( ଅଗଷ୍ଟ 11) ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ରାଜସ୍ବ ଅମଲାମାନେ ସାମୁହିକ ଛୁଟିରେ ରହି ତାଙ୍କର ବହୁ ପ୍ରତୀକ୍ଷିତ 10 ଦଫା ଦାବିଗୁଡିକ ପୂରଣ ନିମିତ୍ତ ଜୋରଦାର ଆନ୍ଦୋଳନ କରିବେ ବୋଲି ଜିଲ୍ଲା ଅଧ୍ୟକ୍ଷ ନୀଳାମ୍ବର ଶତପଥୀ, ଉପାଧ୍ୟକ୍ଷ ସହଦେବ ମେହେର,ସଭାପତି ଜ୍ୟୋତିରଂଜନ ଦାନୀ, ସମ୍ପାଦକ ବନମାଳୀ ମେହେର, କାର୍ଯ୍ୟକାରୀ ସଭାପତି ସିତେଶ ପୂଜାହାରୀ , ଯୁଗ୍ମୁ ସମ୍ପାଦକ ପ୍ରେମାନନ୍ଦ କୁଅଁର, କୋଷାଧ୍ୟକ୍ଷ ଜିତେନ୍ଦ୍ରିୟ ଦୀପ, ମୁଖ୍ୟ ପରାମର୍ଶ ଦାତା ଅଶୋକ ମିଶ୍ର, ସଞ୍ଜୀବ ବାବୁ କାର୍ଯ୍ୟକାରିଣୀ ସଭ୍ୟ ଶିବଦତ୍ତ ଦାଶ, ଦୁଃଖିଶ୍ୟାମ ସେଠୀ, ମଛିନ୍ଦ୍ର ସୁନା, ଦିନେଶ ମିଶ୍ର, ସୁରେଶ ଶର୍ମା, ଜୟଦ୍ରଥ ଜଗଦଲା, ଗୋବିନ୍ଦ ବଢେଇ, ସ୍ୱରୂପ ରଞ୍ଜନ ପୂଜାହାରି ଆକ୍ସନ କମିଟି ଅଧ୍ୟକ୍ଷ ସରୋଜ ପୁରୋହିତ,ବିରେନ୍ଦ୍ର ରଥ, ଶିବାନନ୍ଦ ବାଘ୍,ଚେତନ ପଣ୍ଡା,ଗିରିଧାରୀ ହୋତା, ଦୈତ୍ୟଦେବ ଭୋଇ, ସୂର୍ଯ୍ୟନାରାୟଣ ପୁରୋହିତ, ଦିଲ୍ଲୀପ ମେହେର ପ୍ରମୁଖ ଦୃଢତାର ସହ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଯେତେ ପର୍ଯ୍ୟନ୍ତ ସରକାର ଦାବିଗୁଡିକ ପୂରଣ କରି ନୋଟିଫିକେସନ ବାହାର କରି ନଥିବେ, ସେ ପର୍ଯ୍ୟନ୍ତ ଉକ୍ତ ଆନ୍ଦୋଳନ ଜାରି ରହିବ ଏବଂ ଜନ ସାଧାରଣଙ୍କ ଅସୁବିଧା ପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ କି, ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର 10 ଦଫା ଦାବି ପୂରଣ କରିବା ନିମିତ୍ତ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇବା ପରେ ରାଜ୍ଯ ସରକାର ଗତ ଜୁଲାଇ 9 ତାରିଖରେ ରାଜ୍ୟସଂଘର ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ଅତିଶୀଘ୍ର ଅର୍ଥାତ୍ 7 ରୁ 15 ଦିନ ଭିତରେ ଦାବିଗୁଡିକୁ ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲେ l ଫଳ ସ୍ବରୂପ 14 ଜୁଲାଇକୁ ହେବାକୁ ଥିବା ରାଜସ୍ବ ଅମଲାମାନଙ୍କ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଅଗଷ୍ଟ 10 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବାର ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏଯାବତ୍ ରାଜ୍ଯ ସରକାର ରାଜସ୍ବ ଅମଲା ମାନଙ୍କର ଦାବିଗୁଡିକୁ ପୂରଣ କରିବା ତ ଦୂରର କଥା, ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ସେମାନଙ୍କୁ ପ୍ରବଳ ଆଘାତ ଦେବା ଭଳି ରାଜସ୍ବ ସେବା ପଦ୍ଧତିରେ ସେମାନଙ୍କର ପଦୋନ୍ନତିକୁ କୁଠାରଘାତ ସଦୃଶ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଯାହା ଫଳରେ ସମସ୍ତ ରାଜସ୍ବ ଅମଲାମାନଙ୍କ ମଧ୍ଯରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଏପଟେ ତାଙ୍କର ପଦବୀ ପୁନର୍ଗଠନ ଆଳରେ ବର୍ଷ ବର୍ଷ ଧରି ସାଧାରଣ ପ୍ରମୋଶନକୁ ଅଟକାଇ ରଖାଯିବା ଫଳରେ ସେମାନଙ୍କ ମଧ୍ଯରୁ କେତେକ ଅବସର ନେଇ ଗଲେଣି, ଅଥଚ ତାଙ୍କର ନାର୍ଯ୍ଯ ପ୍ରାପ୍ତିରୁ ତାଙ୍କୁ ବଞ୍ଚିତ କରାଯାଉ ଅଛି। ସେମାନେ କାର୍ଯ୍ୟ ଦକ୍ଷତାସମ୍ପନ୍ନ ଥାଇ ତୃଣମୂଳ ସ୍ତରରେ ସରକାରଙ୍କ ବ୍ୟାପକ ଯୋଜନା ଗୁଡିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ସିମୀତ ସମୟ ସୀମାରେ ତାଙ୍କର କାର୍ଯ୍ୟଗୁଡ଼ିକୁ କରି ଯୋଗାଇ ଦେଇ ଆସୁଥିଲେ ମଧ୍ଯ ସରକାର ସେମାନଙ୍କୁ ଅଣଦେଖା କରି ଆସୁଛନ୍ତି।
ସେମାନଙ୍କର ଦାବି ଗୁଡିକ ମଧ୍ୟ ରେ ପ୍ରମୁଖ ଦାବିଗୁଡିକ ହେଲା, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ORSP-2017 ନିୟମ ଅନୁଯାଇ ଲେବେଲ୍- 9 କୁ ବୃଦ୍ଧି କରାଇବା, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ସଂକଳ୍ପ ପତ୍ର ସଂଖ୍ୟା :- 8898 ତାରିଖ- 15.3.24 ଅନୁଯାୟୀ ତଥା ସମସ୍ତ 30 ଗୋଟି ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯିବା, 1990 ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯିବା,ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ୍ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବା ଇତ୍ୟାଦି ଅଛି।
ସାଧାରଣରେ ବୁଦ୍ଧିଜୀବୀ, ଆଇନଜୀବୀ ଏବଂ ଅନ୍ଯ ଜନସାଧାରଣ ସରକାର ଏ ଭଳି ଟାଳଟୁଳ ନୀତି ନ କରି କର୍ମଚାରୀଙ୍କ ଯଥୋଚିତ ଦାବିଗୁଡିକ ପୂରଣ ନିମିତ୍ତ ପଦକ୍ଷେପ ନେଇ ସେମାନଙ୍କୁ କାର୍ଯ୍ୟକୁ ଫେରାଇ ଆଣିବାକୁ ଅପିଲ୍ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
