December 3, 2025
Home » ଶୋଷଡ଼ ଶତାଦ୍ଦୀର ଶ୍ରୀ ଚୈତନ୍ୟ ମହାପ୍ରଭୁ କଟକ ସହରରେ ମା’ଦୁର୍ଗାଙ୍କ ମୃଣ୍ମୟୀ ଘଟ ସ୍ଥାପନ କରି ପୂଜା ଆରମ୍ଭ କରିଥିଲେ

ଶୋଷଡ଼ ଶତାଦ୍ଦୀର ଶ୍ରୀ ଚୈତନ୍ୟ ମହାପ୍ରଭୁ କଟକ ସହରରେ ମା’ଦୁର୍ଗାଙ୍କ ମୃଣ୍ମୟୀ ଘଟ ସ୍ଥାପନ କରି ପୂଜା ଆରମ୍ଭ କରିଥିଲେ

0
WhatsApp Image 2025-09-10 at 8.59.20 PM (1)

 

କଟକ: ଶରତରେ କାଶତଣ୍ଡୀର ସମ୍ଭାର ପାଇଁ ଧରଣୀ ହସୁଛି। ମା’ ଦୁର୍ଗାଙ୍କ ଆବାହନ ପାଇଁ ପୂଜା ମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଜୋର୍‌ ଧରିଛି। ପୂଜାମଣ୍ଡପରେ ମା’ ଦୁର୍ଗତିନାଶିନୀ ବିରାଜିବେ। ରୁପା ଓ ଚାନ୍ଦିମେଢ଼ରେ ପୁଣି ଥରେ ଝଲସିବେ। ଶକ୍ତିସ୍ବରୂପିଣୀ ମା’ଙ୍କ ଆଗମନ ପାଇଁ ହଜାର ବର୍ଷର କଟକ ସହର ଚଳଚଞ୍ଚଳ ଓ ଉତ୍ସବମୁଖରିତ ହେବ। ସେହିପରି ଶକ୍ତିପୀଠରେ ମା’ଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଓ ଚଣ୍ଡୀପାଠ ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରହିଛି।
କଟକର ଧର୍ମ, ସଂସ୍କୃତି ଓ ପରମ୍ପରାରେ ନୀତିନିୟମ ଓ ଭକ୍ତିର ସହିତ ମା’ଦୁର୍ଗାଙ୍କୁ ସମସ୍ତେ ଆବାହନ କରିଥାନ୍ତି। ପ୍ରତ୍ୟେକ ବାସିନ୍ଦା ପୂଜା ସହିତ ଜଡ଼ିତ ହୋଇଥାନ୍ତି। ଏକ ବିରଳ ଭାତୃତ୍ବ ପ୍ରେମ ଦେଖାଯାଇଥାଏ। କଟକର ଦଶହରା ଗଣପର୍ବରେ ପରିଣତ ହୋଇଯାଏ। ସୁଉଚ୍ଚ ତୋରଣ ସାଙ୍ଗକୁ ମନଲୋଭା ମୂର୍ତ୍ତି, ରଂଗୀନ ଆଲୋକମାଳା ସମସ୍ତଙ୍କୁ ଆକର୍ଷିତ କରିଥାଏ। ସବୁଠାରୁ ବଡ଼ କଥା ହେଲା ଯେ, କଟକ ଦୁର୍ଗାପୂଜାରେ ହିନ୍ଦୁ ବ୍ୟତୀତ ଅନ୍ୟ ସଂପ୍ରଦାୟର ଲୋକ ମଧ୍ୟ ସାମିଲ ହୋଇଥାନ୍ତି ଏବଂ ବିପୁଳ ସମର୍ଥନ ଜଣାଇଥାନ୍ତି।

ଚଳିତ ଆଶ୍ବିନ କୃଷ୍ଣପକ୍ଷ ଅବସରରେ ଆସନ୍ତା ୨୨ ତାରିଖ ଠାରୁ ମା’ଙ୍କ ପୀଠରେ ଶାରୀଦୟ ନବରାତ୍ରୀ ଆରମ୍ଭ ହେଉଛି। ରାଜ୍ୟର ବିଭିନ୍ନ ଦେବୀପୀଠରେ ଏହି ଶାରଦୀୟ ଦୁର୍ଗାପୂଜାର ଆୟୋଜନ ହେବ। ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ମଣ୍ଡପରେ ଜଗତଜନନୀ ମା’ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯିବ। ମାଙ୍କ ଚରଣରେ ଶ୍ରଦ୍ଧାଳୁ ମୁଣ୍ଡିଆ ମାରିବେ। ଓଡ଼ିଶାରେ ଦୁର୍ଗାପୂଜା କଥା ଚିନ୍ତା କଲେ, ଆପେଆପେ ଆଖି ଆଗରେ ଝଲସି ଉଠିଥାଏ କଟକ।
ଓଡ଼ିଶା ଇତିହାସ କହେ, ପଞ୍ଚଦଶ ଶତାଦ୍ଦୀର ଶେଷ ଓ ଶୋଷଡ଼ ଶତାଦ୍ଦୀର ଆରମ୍ଭରେ ସମାଜ ସଂସ୍କାର କ୍ଷେତ୍ରରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭାରତୀୟ ସମାଜକୁ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା। ସେ ଶୋଷଡ଼ ଶତାଦ୍ଧୀର ପ୍ରଥମ ଦଶନ୍ଧୀରେ ପୁରୀ ଗସ୍ତରେ ଆସିଥିଲେ ଏବଂ ଏହି ସମୟରେ କଟକ ବାଲୁବଜାରରେ କିଛି ଦିନ ବିତାଇଥିଲେ। ସମ୍ଭବତଃ ଚୈତନ୍ୟ ଯେଉଁ ସମୟରେ କଟକରେ ଅବସ୍ଥାପିତ ଥିଲେ, ସେତେବେଳକୁ ଶରତ ଋତୁ ଥିଲା। ତେଣୁ ସେ ବାଲୁବଜାର (ବିନୋଦ-ବିହାରୀ)ରେ ମା’ଦୁର୍ଗାଙ୍କ ମୃଣ୍ମୟୀ ଘଟ ସ୍ଥାପନ କରି ପୂଜା ଆରମ୍ଭ କରିଥିଲେ। ଏଠାରୁ ଚୈତନ୍ୟ ମହାପ୍ରଭୁ ଗଲା ପରେ ପ୍ରତିବର୍ଷ ଶରତଋତୁରେ ମା’ଦୁର୍ଗାଙ୍କ ପୂଜା ହୋଇ ଆସୁଛି। ତେଣୁ ଏହି ମଣ୍ଡପକୁ କଟକର ସର୍ବପୁରାତନ ଦେବୀ ମଣ୍ଡପ ଭାବେ ଖ୍ୟାତି ପ୍ରାପ୍ତି କରିଛି।

ରାଜାରାଜୁଡ଼ା ସମୟରେ ତଥା ୧୯୬୦ ବେଳକୁ କଟକର ସବୁ ମେଢ଼ ଚାନ୍ଦିନୀ ଚୌକକୁ ଆସୁଥିଲେ। ଇତିହାସ କହେ ୧୯୦୦ ମସିହା ପୂର୍ବରୁ କଟକ ସହରରେ ୫-୬ଟି ଦୁର୍ଗାମେଢ ସହ ଅନ୍ୟ ୧୦ଟି ମେଢ କରାଯାଉଥିଲା। ଆଜିର ଦିନରେ ଏହା ବୃଦ୍ଧି ପାଇ ଦୁଇ ଶହ ନିକଟ ଆଡ଼କୁ ଅଗ୍ରସର ହେଉଛି। କଟକର ପ୍ରତ୍ୟେକ ଗଳିକନ୍ଦିରରେ ଦୁର୍ଗାପୂଜାକୁ ନିଆରା ଢଙ୍ଗରେ ପାଳନ କରାଯାଉଛି। କଟକ ବାଲୁବଜାର ପୂଜା କମିଟିର ସଂପାଦକ ଈଶ୍ବର ଚନ୍ଦ୍ର ବେହେରା କୁହନ୍ତି, ବିନୋଦ ବିହାରୀରେ ଏଥର ୫୧୯ତମ ଦୁର୍ଗାପୂଜା କରାଯାଉଛି। ଏଠାରେ ଓଡ଼ିଶାରେ ସର୍ବପ୍ରଥମେ ସାର୍ବଜନୀନ ଦୁର୍ଗାପୂଜାର ଆୟୋଜନ କରାଯାଇଛି।

ଇତିହାସ କହେ ୧୯୫୬ ମସିହାରେ କଟକର ଚୌଧୁରୀ ବଜାର ପକ୍ଷରୁ ଆୟୋଜିତ ଦୁର୍ଗାପୂଜାରେ ପ୍ରଥମେ ଚାନ୍ଦିମେଢ଼ ଶୋଭା ପାଇଥିଲା। ଏଠାରେ ୧୯୯୯ ମସିହାରେ ମାଙ୍କ ପାଇଁ ସୁନା ମୁକୁଟ ତିଆରି ହୋଇଥିଲା ଏହାପରେ ପରେ ଅନେକ ଦୁର୍ଗାପୂଜା ସମିତି ଚାନ୍ଦି ଓ ସୁନା ମେଢ଼ ନିର୍ମାଣ କଲେ। ଏବେ ବି କେତେକ ସ୍ଥାନରେ ଜରି ମେଢ଼ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଅତି ସୁନ୍ଦର ଓ ଆକର୍ଷଣୀୟ ହୋଇପାରିଛି।
ଚୌଧୁରୀ ବଜାରରେ ଆୟୋଜିତ ମା’ଙ୍କ ପୂଜାରେ ଅଢ଼େଇ କୁଇଣ୍ଟାଲ ରୁପା ବ୍ୟବହାର ହୋଇଛି। ଏଥିରେ ପ୍ରାୟ ୨୦କିଲୋରୁ ଊର୍ଦ୍ଧ୍ବ ସୁନା ଲାଗିଛି। ପାର୍ଶ୍ବଦେବା ଦେବୀ ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ, ଗଣେଶ, କାର୍ତ୍ତିକ, ମହିଷାସୁରଙ୍କ ମୁକୁଟ ସୁନାରୁ ନିର୍ମାଣ ହୋଇଛି। ଅନ୍ୟ ଅଳଙ୍କାର ସୁନା ଓ ରୁପାରୁ ପ୍ରସ୍ତୁତ ହୋଇଛି। ବିସର୍ଜନ ପାଇଁ ସବୁ ମେଢ଼ ଚୌଧୁରୀ ବଜାର ଦେଇ ଦେବୀଗଡ଼ାକୁ ଯାଇଥାନ୍ତି। ତେଣୁ ଏଠାରେ ବାହାର ତୋରଣକୁ ସାଧାରଣ ଭାବରେ ନିର୍ମାଣ କରାଯାଏ। ଚଳିତ ବର୍ଷ ଦୁର୍ଗାପୂଜା ଅବସରରେ ଦଶମୀ ଦିନ ମା’ଙ୍କ ନିକଟରେ ଦହି-ପଖାଳ ଭୋଗ ଲାଗିବ। ଭଜା, ଶାଗ, ଛମ୍ପା, ଜହ୍ନିପୋଡ଼ା, ସବୁ ପରିବାରୁ ପ୍ରସ୍ତୁତ ଏକ ଚୋପାରୁ ଚୋପି ତରକାରୀ ହେବ। ୧୦,୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯିବ। ଯେଉଁମାନେ ମା’ଙ୍କ ମଣ୍ଡପକୁ ଆସିପାରିବେନାହିଁ ୫୦ଟଙ୍କାରେ କୁପନ ନେଇପାରିବେ। କମିଟି ପକ୍ଷରୁ ପ୍ରସାଦ ବ୍ୟବସ୍ଥା କରାଯିବ। ପୂଜା ପାଇଁ ୨୫ ଲକ୍ଷ ଟଙ୍କାର ବଜେଟ୍‌ ରଖାଯାଇଛି।

କଟକ ମହାନଗର ଅଞ୍ଚଳରେ ଚଳିତ ବର୍ଷ ୧୭୬ଟି‌ ମେଢ଼ରେ ପୂଜା ହେବ। ଏଥିରୁ ପାଖାପାଖି ୧୦୦ଟିରେ ମାଁ ଦୁର୍ଗା ଓ ବାକି ମେଢ଼ରେ ଶିବ ଏବଂ ଅନ୍ୟାନ୍ୟ ମୂର୍ତ୍ତି ପୂଜା ପାଇବେ। ଗତବର୍ଷ ଯାଏଁ କଟକରେ ୩୪ଟି ଚାନ୍ଦିମେଢ଼ ନିର୍ମାଣ କରାଯାଇଥିଲା। ଏଥର ଏହି ତାଲିକାରେ ଗୋପାଳଜିଉ ଲେନ୍‌ ମଠସାହି ଓ ଯୋବ୍ରା ଯୋଡ଼ି ହୋଇଯାଇଛି। ଏତଦ୍‌ ବ୍ୟତୀତ ତେଲେଙ୍ଗାବଜାର ଓ ‌ବୟାଳିଶ ମୌଜାରେ ପିତ୍ତଳ ଏବଂ ରାଉସପାଟଣାରେ କାଚ ମେଢ଼ ନିର୍ମାଣ କରାଯାଇଛି। କଟକରେ ଦୁର୍ଗାପୂଜାର ଆକାର ବଢ଼ିଛି। ଅନେକ ମେଢ଼ରେ ସୁନା ବ୍ୟବହାର ହୋଇଛି। ମଙ୍ଗଳବାଗ ଓ ଚୌଧୁରୀ ବଜାର ସୁନା ମେଢ଼ ଆଡ଼କୁ ଗତି କରୁଛି। ସାତ ଦଶନ୍ଧୀ ପୂର୍ବରୁ କଟକରେ ୧୦ରୁ ୧୨ଟି ସ୍ଥାନରେ ଦୁର୍ଗାପୂଜା ହେଉଥିଲା। ଆୟୋଜନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏବେ ସମୟ ବଦଳିଛି। ୧୯୮୨‌ ପରେ ଦୁର୍ଗାପୂଜାର କଳେବର ବଢ଼ିଛି। ସାହି ବିଭାଜନ ପରେ ପୂଜା ମଣ୍ଡପ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଶାନ୍ତି କମିଟି ୧୯୮୩ ଅକ୍ଟୋବର ୮ରେ ଗଠନ ହୋଇଥିଲା। ମଙ୍ଗଳାବାଗର ବାଘ ମଙ୍ଗଳାମନ୍ଦିରରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ପ୍ୟାରୀମୋହନ ମହାପାତ୍ର କଟକ ଜିଲ୍ଲାପାଳ ଥିଲେ। ବହୁ ବର୍ଷ ହେଲା ଦେବୀଗଡ଼ାରେ ମୂର୍ତ୍ତି ବିସର୍ଜନ ପରଂପରା ବହୁ ବର୍ଷରୁ ରହି ଆସିଛି। ମୂର୍ତ୍ତି ବିସର୍ଜନ ସମୟରେ ମୁଣ୍ଡରେ ପେଟ୍ରୋମାସ ଲାଇଟ୍‌ ମୁଣ୍ଡରେ ବୋହି ଯିବାକୁ ପଡୁଥିଲା। ଭସାଣି ବେଳେ ଢ଼ୋଲବାଜା ଓ କାଠ ବାଜା ବଜାଇବାର ପରଂପରା ଥିଲା।
ମା’ କଟକଚଣ୍ଡୀ ହେଉଛନ୍ତି କଟକର ଅଧିଷ୍ଠାତ୍ରୀ। ଶାରଦୀୟ ଦଶହରାରେ ମା’ କଟକଚଣ୍ଡୀ ଭକ୍ତଙ୍କୁ ଷୋଡ଼ଶ ବେଶରେ ଦର୍ଶନ ଦିଅନ୍ତି। ଏହି ବେଶ ଭିତରେ ରହିଛି ସିଂହବାହିନୀ, ରାଜରାଜେଶ୍ବରୀ, ଭୁବନେଶ୍ବରୀ, ତ୍ରିପୁର ଗୌରବୀ, ମାତଙ୍ଗୀ, ଉଗ୍ରତାରା, ଜୟଦୁର୍ଗା, ସିଦ୍ଧେଶ୍ବରୀ, ଗାୟତ୍ରୀ, ହଂସବାହିନା, ହରଚଣ୍ଡୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ବତୀ ଓ ମହିଷାମର୍ଦ୍ଦିନୀ। ମାଙ୍କର ଏହି ବେଶ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖାଯାଇଥାଏ। ସେହିପରି ପୂଜାମଣ୍ଡପଗୁଡ଼ିକରେ ମା’ ଦୁର୍ଗାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତିର ଆୟୋଜନ କରାଯାଏ। ଏଥିରେ ବିଲ୍ଵବରଣୀ ପୂଜା, ସିନ୍ଦୂର ଖେଳ, କନ୍ୟାପୂଜନ, ମାଛ ଭୋଗ ଆଦି ସାମିଲ ରହିଛି। ଅନେକ ପୂଜା ମଣ୍ଡପରେ ଦଶମୀ ଦିନ ମା’ଙ୍କ ପାଖରେ ଦହି ପଖାଳ ଓ ଶାଗ ଭୋଗ କରାଯାଇ ହଜାର ହଜାର ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ। ସିନ୍ଦୂର ଖେଳ କଟକ ଦଶହରାର ଆଉ ଏକ ପାରଂପରା। ବିବାହିତ ମହିଳାମାନେ ପରସ୍ପରକୁ ସିନ୍ଦୂର ଲଗାଇ ମା’ଙ୍କୁ ବିଦାୟ ଦେଇଥାନ୍ତି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର।

Leave a Reply

Your email address will not be published. Required fields are marked *