ଶ୍ରୀକ୍ଷେତ୍ରର ସମାଜସେବୀ ବନିତା ଦୀକ୍ଷିତ
ସମାଜସେବା ପାଇଁ ସମର୍ପିତ । ଅସହାୟ, ଦିବ୍ଯାଙ୍ଗ, ବରିଷ୍ଠ ନାଗରିକ ଓ ନିରାଶ୍ରୟଙ୍କ ପାଇଁ କାର୍ଯ୍ଯରତ । ଶ୍ରୀକ୍ଷେତ୍ରର ଝିଅ ଓ ଶ୍ରୀକ୍ଷେତ୍ରର ବୋହୁ । ସମାଜସେବାରେ ରହିଛି ମନ ଓ ପ୍ରାଣ । ଭିନ୍ନକ୍ଷମ ଓ ନିରକ୍ଷରଙ୍କୁ ଯୋଗାଉଛନ୍ତି ବ୍ଯାଙ୍କ ଗ୍ରାହକ ସେବା । ସେ ହେଉଛନ୍ତି ସମାଜସେବୀ ବନିତା ଦୀକ୍ଷିତ । ପୁରୀ ମୁନିସପାଲ ହାଇସ୍କୁଲ ରୁ ମାଟ୍ରିକ ପାସ କରିବା ପରେ ସୁରଜମଲ ସାହା କଲେଜରୁ ଗ୍ରାଜୁଏସନ ପାସ କରିଛନ୍ତି । ୨୦୧୩ ମସିହାରେ ୟୁନାଇଟେଡ ଆର୍ଟିଟସ ଆସୋସିଏସନ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ସମାଜସେବା କାର୍ଯ୍ଯ ଆରମ୍ଭ କରିଥିଲେ ।

ଅନୁଷ୍ଠାନର ମୁଖ୍ଯ ମଙ୍ଗରାଜ ପଣ୍ଡାଙ୍କ ମାର୍ଗଦର୍ଶନରେ ସମାଜସେବୀ ଭାବେ ବେଶ ଦକ୍ଷତାର ସହ କାର୍ଯ୍ଯ କରିଥିଲେ । ସେତେବେଳେ ୯୭ଟି ସ୍ଲୁଲରେ ପରିବେଶ ପରିମଳ, ହାତଧୁଆ ଓ ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟଜଳ ସଂପର୍କରେ ସଚେତନତା କରିଥିଲେ । ପୁରୀରେ ଥିବା ୬୩ଟି ବସ୍ତିରେ ପରିବେଶ ପରିଚ୍ଛନ୍ନତା, ଶିକ୍ଷା, ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନତା କରି ବେଶ ପରିଚିତ ହୋଇପାରିଥିଲେ । ଏବେ ସାମାଜିକ ଅନୁଷ୍ଠାନ ଦି ବେଲ ରେ କାର୍ଯ୍ୟରତ ଅଛନ୍ତି । ଆନ୍ତର୍ଜାତିୟ ମହୋଦଧି ଦିବସ ସଫଳତାର ସହ ପାଳନ କରି ବେଶ ଲୋକ ପ୍ରିୟ ହୋଇପାରିଛନ୍ତି । ସମୁଦ୍ରର ଜଳ ରାଶିରୁ ଆବର୍ଜନା ସଫେଇ ,ଲାଇଫଗାର୍ଡଙ୍କୁ ଉଦ୍ଧାର କୌଶଳ, ରଥଯାତ୍ରା ବେଳେ ବରିଷ୍ଠ ନାଗରିକ ଓ ଦିବ୍ଯାଙ୍ଗ ମାନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରୀଜୀଉଙ୍କ ଦର୍ଶନ କରିବାରେ ସହାୟକ ଭାବେ କାର୍ଯ୍ଯକରିଛନ୍ତି । ଏକଲବ୍ଯ ପାଠଶାଳାରେ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବାରେ ସହଯୋଗ କରୁଛନ୍ତି । ବାଲ୍ଯବିବାହ ରୋକିବାରେ ବେଶ ସଫଳତାର ସହ କାର୍ଯ୍ଯକରି ମହତପଣିଆ ର ମାଇଲଖୁଣ୍ଟ ପାଲଟିଥିଲେ । ମହିଳାମାନଙ୍କ ସୁରକ୍ଷା, ସଚେତନତା ଓ କିଶୋରୀ ବାଳିକାମାନଙ୍କୁ ସାନିଟାରୀ ପ୍ଯାଡ ବ୍ୟବହାର ଓ ପରିଷ୍କାର ପରିଚ୍ଛନ୍ନତା ସଂପର୍କରେ ସଚେତନତା କରୁଛନ୍ତି । ମହିଳାଙ୍କ ସୁରକ୍ଷାରେ ମହିଳାମାନଙ୍କୁ ନେଇ ଆମ ପାଇଁ ଆମେ କାର୍ଯ୍ୟକ୍ରମ କରି ମହିଳାଙ୍କ ହାତରେ ମହିଳା ରାକ୍ଷୀ ବାନ୍ଧିଥିଲେ । ଜନଗଣନା ସର୍ଭେ, ଜଳ ପରିମଳ ଓ ବିଭିନ୍ନ ସଚେତନତା କରିବାରେ ଅଗ୍ରଗାମୀ ହେଉଛନ୍ତି ବନିତା । ସାମ୍ବାଦିକ ଭାବେ ମଧ୍ଯ କାର୍ଯ୍ଯ ଜାରି ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଛନ୍ତି । ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ୨୦୧୬ ମସିହାରେ ସଫଳ ସମାଜସେବୀ ଭାବେ ସମ୍ମାନିତ ହୋଇଥିଲେ | ସୁକୃତା ଅନୁଷ୍ଠାନ, ସମର୍ପଣ ଚାରିଟେବୁଲ ଟ୍ରଷ୍ଟ, ଶିଶୁ ସମାଚାର, ପୁରୀ ଜିଲ୍ଲା ପତ୍ରକାର ସଂଘ, ନୀଳାଦ୍ରି କଲଚରାଲ ଏକାଡେମୀର ରଜ ମହୋତ୍ସବ, ଓଡ଼ିଶା ପ୍ରେସ ଏକାଡେମୀ ଆଦି ଅନେକ ଅନୁଷ୍ଠାନରୁ ସମ୍ମାନିତ ହୋଇ ସଫଳତାର ସହ ସମାଜସେବୀ ଭାବେ ପରିଚିତ ହୋଇପାରିଛନ୍ତି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
