October 23, 2025
Home » ଶ୍ରୀଜୀଉ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ମହାପ୍ରଭୁ

ଶ୍ରୀଜୀଉ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ମହାପ୍ରଭୁ

0
WhatsApp Image 2025-10-02 at 11.45.31 AM

ଭକ୍ତ ମାନଙ୍କୁ ଶ୍ରୀଜୀଉ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ମହାପ୍ରଭୁ ଆଜି ସଜ୍ଜିତ ହୋଇ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି। ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶକୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।

ଶ୍ରୀମନ୍ଦିରରେ ଆଜି ଦଶହରା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯାଇଥିଲା। ଏହି ବେଶରେ ପାଞ୍ଚଖଣ୍ତ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା। ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥିଲା। ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିଥିଲେ। ତେବେ ଆଜି ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।

ତେବେ ମହାପ୍ରଭୁଙ୍କ ପାଖରେ ଆୟୁଧ ଲାଗି ପରେ ମଦନମୋହନ ଓ ରାମକୃଷ୍ଣ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ମହାଖଳାକୁ ବିଜେ କରିବା ପରେ ସେଠାରେ ଆଳତୀ ବଢ଼ିବା ପରେ ମଦନ ମୋହନଙ୍କ ସହ ଦୁର୍ଗାମାଧବ ସିଂହାସନକୁ ବିଜେ କରିଥାନ୍ତି। ଏହାସହ ତିନି ବାଡ଼ରେ ମଙ୍ଗଳାର୍ପଣା କରାଯାଇଥାଏ। ଏହି ଅବସରରେ ଜଗନ୍ନାଥ ବଲ୍ଲଭ ମଠରେ ଠାକୁରଙ୍କୁ ପ୍ରସାଦ ଲାଗି ଓ ବନ୍ଦାପନା କରାଯିବା ପରେ ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି। ସେପଟେ ଗତକାଲି ବିଭିନ୍ନ ଶକ୍ତୀପୀଠ ମାନଙ୍କରେ ମାଙ୍କର ବିଶ୍ରାମ ଥିବାବେଳେ ଆଜି ବିଜୟା ଦଶମୀ ପୂଜା ଅନୁଷ୍ଠିତ ହୋଇଛି। ଦଶହରା ଅବସରରେ ମା ବିମଳାଙ୍କ ପ୍ରତିନିଧି ଭାବେ ପୂଜା ପାଉଥିବା ମା କାକୁଡ଼ିଖାଇଙ୍କ ଆଜି ରାତିରେ ବିସର୍ଜନ ସହ ଆସନ୍ତାକାଲି ଅନ୍ୟ ସମସ୍ତ ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା ଅନୁଷ୍ଠିତ ହେବ। ତେବେ ଏକାଦଶୀ ଦୀପ ଉଠିବା ପରେ ସମସ୍ତ ଗୋଷାଣିଙ୍କ ବିସର୍ଜନ ଅନୁଷ୍ଠିତ ହେବ। ଆଜି ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହ ଗୋଷାଣୀ ମାନଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଆସନ୍ତାକାଲି ସମସ୍ତ ଗୋଷାଣିଙ୍କ ଭସାଣି ଉତ୍ସବ କିଭଳି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Leave a Reply

Your email address will not be published. Required fields are marked *