ସଫଳତା କୁ ସଙ୍କଳ୍ପ ଭାବେ ବାଛିଲେ ନିଶ୍ଚୟ ସଫଳତା ପ୍ରାପ୍ତି ହେବ
ବ୍ରହ୍ମପୁର : ଖୋର୍ଦ୍ଧା ଜିଲ୍ଲାର ମୁଦୁଲିଢିହ ଗ୍ରାମର ବାପା ସହଦେବ ଶବର ଏବଂ ମାଆ ରଙ୍ଗି ଶବରଙ୍କ ପୁଅ ଶୁଭମ୍ ଶବର । ଶୁଭମ୍ଙ୍କ ବାପା ଜଣେ ଚାଷୀ । ମାଆ ରଙ୍ଗି ଘର କାମ କରିବା ସହ ଚାଷ କାର୍ଯ୍ୟରେ ମଧ୍ୟ ବାପାଙ୍କୁ ସାହଯ୍ୟ କରନ୍ତି । ଚାଷ କାମରୁ ହିଁ ପରିବାର ପ୍ରତିପୋଷଣ କରିଥାନ୍ତି । ପରିବାରର ସ୍ପଳ୍ପ ରୋଜଗାରରେ ମୁଦୁଲିଢିହ ଗାଁ ନିକଟବର୍ତ୍ତୀ ନିଳାଦ୍ରୀପ୍ରସାଦରେ ସ୍କୁଲ ଶିକ୍ଷା ଶେଷ କରିଥିଲେ ଶୁଭମ୍ । ପରେ ଶୁଭମ୍ ଭୁବନେଶ୍ୱର ବିଜେପି କଲେଜରେ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ କରିବା ପାଇଁ ନାମ ଲେଖାଇଥିଲେ । ହେଲେ ପୁଅର ପାଠପଢା ପାଇଁ ଆବଶ୍ୟକତା ରହିଥିବା ଅର୍ଥ ଖର୍ଚ୍ଚ କରିବାରେ ପରିବାର ବର୍ଗ ସକ୍ଷମ ନଥିଲେ । ତଥାପି ବହୁ କଷ୍ଟରେ ମେଧାବୀ ଶୁଭମ୍ +2 ଶିକ୍ଷା ଶେଷ କରିଥିଲେ ।

ଏହାରି ମଧ୍ୟରେ ଦିନେ ବ୍ରହ୍ମପୁରର ଶିକ୍ଷକ ବାସୁଦେବ ମହାରଣାଙ୍କ ସହିତ ଶୁଭମ୍ଙ୍କ ସାକ୍ଷାତ ହୋଇଥିଲା । ଶିକ୍ଷକ ବାସୁଦେବ NEET ପ୍ରବେଶିକା ପରୀକ୍ଷା ଦେବା ପାଇଁ ଶୁଭମଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଏଥିପାଇଁ ପରିବାର ଲୋକ ଟଙ୍କା ଖର୍ଚ୍ଚ ଦେଇପାରିବେ କି ନାହିଁ ତାହାକୁ ନେଇ ଶୁଭମ ଦ୍ୱନ୍ଦରେ ରହିଥିଲେ । ଶେଷରେ ବାସୁଦେବ ସାର୍ଙ୍କ ପରାମର୍ଶ କ୍ରମେ NEET ପରୀକ୍ଷା ଦେଇ ନିଜ ଗାଁକୁ ଫେରିଥିଲେ । ଏପଟେ ଘରର ଆର୍ଥିକ ଅଭାବ ସେପଟେ ମନରେ ପାଠପଢିବାର ଆଗ୍ରହ । ସବୁ କଥାକୁ ମନରେ ରଖି ଘର ଛାଡିଥିଲେ ଶୁଭମ୍ । ଆଉ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ବେଙ୍ଗାଲୁରୁ ଅଭିମୁଖେ ବାହାରି ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରିବା ସହ ମାସକୁ ୧୫ ହଜାର ଟଙ୍କା ରୋଜଗାର କରୁଥିଲେ ।
ବାଙ୍ଗାଲୁରୁରେ ଏକ ଘରୋଇ କମ୍ପନୀରେ ଦୀର୍ଘ ଦେଢ ମାସ ଧରି ଏଭଳି କାର୍ଯ୍ୟ କରିଥିଲି । ଦିନେ ଗୋଟିଏ ଫୋନ୍ କଲ୍ ଆସିଥିଲା, ଆଉ ମୋତେ କୁହାଯାଇଥିଲା ‘ମିଠା ଦିଅ’ । ଫୋନରେ ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହୋଇପଡିଥିଲି । କେଉଁ କାରଣ ପାଇଁ ମିଠା ଦେବି ବୋଲି ପ୍ରଶ୍ନ କରିଥିଲି । ଏହି ସମୟରେ କୁହାଯାଇଥିଲା ଯେ, NEET ପରୀକ୍ଷା ଫଳ ପ୍ରକାଶ ପାଇଛି । ତୁମେ ସେଥିରେ ଭଲ ରାଙ୍କ ରଖି ସଫଳତା ପାଇଛ । ଏଭଳି ଖବର ଶୁଣି ମୁଁ ବହୁତ ଖୁସି ହୋଇଯାଇଥିଲି ।
କାମ କରୁଥିବା ସ୍ଥାନରେ ସେହି ଦିନ ବେଶ ଖୁସିରେ କାର୍ଯ୍ୟ କରି ତୁରନ୍ତ କିପରି ନିଜ ଘରକୁ ଫେରିବି ତା ପାଇଁ ଯୋଜନା କରିଥିଲି । NEET ପରୀକ୍ଷାରେ ସଫଳତା ପାଇବା ପରେ ବ୍ରହ୍ମପୁର MKCG ମେଡିକାଲ କଲେଜରେ ନାମ ଲେଖାଇବାକୁ ଚୟନ ହୋଇଛି ।” ଶୁଭମ୍ ଶବରଙ୍କ ଏପରି ସଂଙ୍ଘର୍ଷମୟ କଥା ସମଜର ଆଗାମୀ ଛାତ୍ର- ଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାରେ ହୋଇଛି।
ସବୁ ବାପା ମାଆ ଚାହାନ୍ତି ଓ ପିଲାମାନେ ଆଶା ରଖିଥାନ୍ତି ବଡ ହୋଇ ଭଲ ପାଠ ପଢି ଡାକ୍ତର ହେବେ । ହେଲେ ଏଭଳି NEET ପ୍ରବେଶିକା ପରୀକ୍ଷା ଦେଇ ଡାକ୍ତରୀ ଶିକ୍ଷା ରହିଥିଲା ବୋଲି ଶୁଭମ୍ ଜାଣିନଥିଲେ । ହେଲେ ଯେତେବେଳେ ଏହା ଶୁଣିଥିଲେ, ମନେରେ ଇଚ୍ଛା ହୋଇଥିଲା ଯେ, NEET ପାଇଁ ପ୍ରସ୍ତୁତ ହେବେ । ପରେ କିଛି ଦିନର ପରିଶ୍ରମ କରି ପରୀକ୍ଷା ଦେଇଥିଲେ ବୋଲି କହିଛନ୍ତି ଶୁଭମ୍ । ଆଉ ଏହି ପରୀକ୍ଷା ଦେବା ପରେ କିଛି ରୋଜଗାର କରି ନିଜ ଘରର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଆଶାରେ ବେଙ୍ଗାଲୁରୁ ଚାଲିଯାଇଥିଲେ ।
ନିଟ୍ ପରିକ୍ଷାରେ ଶୁଭମ୍ ରାଙ୍କ-୪୦୦୦ ରହିଥିବା ବେଳେ କାଉନସିଲିଂରେ ବ୍ରହ୍ମପୁର MKCG ମେଡିକାଲ କଲେଜରେ ଡାକ୍ତରୀ ପଢ଼ିବା ପାଇଁ ମନୋନିତ ହୋଇଛନ୍ତି । ଅଗଷ୍ଟ 25 ତାରିଖରେ ତାଙ୍କର ଆଡମିଶନ ହୋଈଛି । ଏଭଳି ସଫଳତାକୁ ନେଇ ସେ ବେଶ ଖୁସି ବୋଲି କହିବା ସହିତ ଭବିଷ୍ୟତରେ ଭଲ ଚିକିତ୍ସକ ହେବେ ବୋଲି କହିଛନ୍ତି ଶୁଭମ୍ ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
