ସମୟ ପୂର୍ବରୁ ପ୍ରତ୍ୟାହାର ହୋଇପାରିବ ଫିକ୍ସଡ୍ ଡିପୋଜିଟ୍: ହାଇକୋର୍ଟ

କଟକ : ବିବାହରେ ଆବଶ୍ୟକତା ପାଇଁ ପୋଷ୍ଟାଲ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍କୁ ଅସମୟରେ ବା ସମୟ ପୂର୍ବରୁ ପ୍ରତ୍ୟାହାରକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ହିନ୍ଦୁ ଆଇନ ଅନୁସାରେ ବିବାହ ଏକ ପାରମ୍ପରିକ ଆବଶ୍ୟକତା। ଏଣୁ ନିୟମଗତ ପ୍ରତିବନ୍ଧକ ଦର୍ଶାଇ ଏଥିପାଇଁ ଜଣଙ୍କୁ ନିଜ ସମ୍ପତ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ପରିବାରରେ ବିବାହର ଖର୍ଚ୍ଚ ବହନ କରିବା ପାଇଁ ଜଣେ ମହିଳା ଫିକ୍ସଡ୍ ଡିପୋଜିଟ୍ ପାଇଁ ବିନିଯୋଗ କରିଥିବା ଟଙ୍କାକୁ ମାଚୁରିଟି ସମୟ ପୂର୍ବରୁ ପ୍ରତ୍ୟାହାର କରିବାକୁ ଅନୁମତି ଦେବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରିୟଦର୍ଶିନୀ ଦାସଙ୍କ ତରଫରୁ ରୁଜୁ ମାମଲାର ଶୁଣାଣି କରି ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟ କହିଛନ୍ତି, ହିନ୍ଦୁ ଆଇନରେ ବିବାହ ଏକ ପାରମ୍ପରିକ ଆବଶ୍ୟକତା ଭାବେ ସ୍ବୀକୃତିପ୍ରାପ୍ତ। ତେଣୁ ଏହା ଯୁକ୍ତି କରାଯାଇପାରିବନାହିଁ ଯେ ଆବେଦନକାରୀଙ୍କୁ ଏଥିପାଇଁ ପାଣ୍ଠିର ଆବଶ୍ୟକତା ନାହିଁ। ଶେଷରେ, ଜମା ହୋଇଥିବା ଅର୍ଥ ସେହି ସଂସ୍ଥାର ନୁହେଁ, ଯାହାକୁ ଜମାକାରୀ ଜମା ରଖିଥାଏ। ଏଥିସହ ଦୁଇ ସପ୍ତାହ ମଧ୍ୟରେ ଉକ୍ତ ଫିକ୍ସଡ ଡିପୋଜିଟ୍ ପ୍ରତ୍ୟାହାର କରିବାକୁ ଆବେଦନକାରୀଙ୍କୁ ଅନୁମତି ଦେବା ପାଇଁ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରୁ ବିଳମ୍ବ ଘଟିଲେ, ସମ୍ପୃକ୍ତ ଡାକ କର୍ତ୍ତୃପକ୍ଷ ୧ ପ୍ରତିଶତ ହାରରେ ସୁଧ ଦେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର