October 18, 2024
Home » ସରକାରୀ ଓକିଲ ନିଯୁକ୍ତିକୁ ନେଇ ସରକାର ଓ ସଙ୍ଗଠନ ମଧ୍ୟରେ ବିବାଦ

ସରକାରୀ ଓକିଲ ନିଯୁକ୍ତିକୁ ନେଇ ସରକାର ଓ ସଙ୍ଗଠନ ମଧ୍ୟରେ ବିବାଦ

0

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଗଢ଼ିବାର ୪ ମାସ ହେଲାଣି; ମାତ୍ର ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ଏଯାଏ ଆରମ୍ଭ ହୋଇ ପାରି ନାହିଁ। ଆଡ୍‌ଭୋକେଟ୍‌ ଜେନେରାଲ ନିଯୁକ୍ତିକୁ ନେଇ ଯେପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା, ଏବେ ସରକାରୀ ଓକିଲ ନିଯୁକ୍ତି ପ୍ରସଙ୍ଗରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ସରକାରୀ ଓକିଲ ନିଯୁକ୍ତିକୁ ନେଇ ସରକାର ଓ ସଙ୍ଗଠନ ମଧ୍ୟରେ ବିବାଦ କ୍ରମଶଃ ମୁଖ୍ୟମନ୍ତ୍ରୀ ଓ ଦଳର ରାଜ୍ୟ ସଭାପତିଙ୍କ ଶିବିରକୁ ସଂକ୍ରମିତ କରିଛି। ଏପରିକି ଦଳର ସଂଗଠନ ମନ୍ତ୍ରୀଙ୍କ ପ୍ରଭାବ ନିକଟରେ ଖୋଦ୍‌ ଆଇନମନ୍ତ୍ରୀ ଅସହାୟ ମନେ ହେଉଛନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଓକିଲ ନିଯୁକ୍ତିକୁ ନେଇ ସରକାରଙ୍କ ଅପେକ୍ଷା ସଂଗଠନ ଅଧିକ ମୁଣ୍ଡ ଖେଳାଉଥିବା ଅଧିକ ସମସ୍ୟା ସୃଷ୍ଟି କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ମୂଳ କଥା ହେଲା, ବିଜେପି ସରକାରରେ ଅସଲ କ୍ଷମତା କାହା ନିକଟରେ ତାହାକୁ ନେଇ ଦଳର କର୍ମୀ ଓ ସାଧାରଣ ଲୋକ ଏବେ ଦ୍ୱନ୍ଦ୍ୱରେ। ସରକାରଙ୍କ ଅଧିକାଂଶ ମନ୍ତ୍ରୀ ନିଜ ବିଭାଗ ଅପେକ୍ଷା ଅନ୍ୟ ମନ୍ତ୍ରୀଙ୍କ ବିଭାଗରେ ହସ୍ତକ୍ଷେପ ସହ ହାକିମାତି ଓ ମାମଲାତି କରୁଥିବା ଦେଖାଯାଉଛି। ଏପରିକି ଅନ୍ୟ ବିଭାଗ ସମ୍ପର୍କରେ ମନଇଚ୍ଛା ଗଣମାଧ୍ୟମ ଆଗରେ ବିବୃତି ରଖୁଛନ୍ତି; ଯାହାକୁ ନେଇ ସରକାରଙ୍କୁ ବାରମ୍ବାର ଲଜ୍ଜିତ ଓ ଅପମାନିତ ହେବାକୁ ପଡ଼ୁଛି।

ଅପରପକ୍ଷରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମ ଏବଂ ସାଧାରଣ ସଭାଗୁଡ଼ିକରେ ଯେଉଁପରି ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ମତ ମନ୍ତବ୍ୟ ଦେଉଛନ୍ତି, ତାହା ଆଉ ଏକ ବିବାଦ ସୃଷ୍ଟି କରିଛି। ବିଜେପି ସରକାରରେ ଅସଲ ମୁଖିଆ ମୁଖ୍ୟମନ୍ତ୍ରୀ ମୋହନ ନା ଦଳ ସଭାପତି ମନମୋହନ ତାହାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମହଲରେ ସଂଶୟ ସୃଷ୍ଟି ହୋଇଛି। ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପଦବୀଠାରୁ ଆରମ୍ଭ କରି ସରକାରୀ ଓକିଲ ନିଯୁକ୍ତି ପ୍ରସଙ୍ଗରେ ଦଳ ସଭାପତି ଟିପ୍ପଣୀ ଦେଇ ସରକାରଙ୍କ ଉପରେ ତାଙ୍କର ଅଖଣ୍ଡ ପ୍ରଭାବ ସୂଚାଇ ଦେଇଛନ୍ତି। ଏହା ମୁଖ୍ୟମନ୍ତ୍ରୀ ମୋହନଙ୍କ ପାଇଁ ଅଶ୍ୱସ୍ତିକର ମନେ ହେଉଥିଲେ ହେଁ ତାଙ୍କର ନିରବତା ପରୋକ୍ଷରେ ମନମୋହନଙ୍କ ଗୁରୁତ୍ୱକୁ ବୃଦ୍ଧି କରିଛି, ଯାହାକୁ ନେଇ ଏକ ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଛି।

ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ଶେଷ ହେବା ପରେ ବିଭିନ୍ନ ନିଗମ ଏବଂ ବୋର୍ଡରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଗତ ୨୯ ତାରିଖରେ ଦଳର ସଭାପତି ମନମୋହନ ସାମଲ ମନ୍ତବ୍ୟ ଦେଇଥିଲେ। ଏହା ସହ ବୋର୍ଡ ଓ ନିଗମ ଦାୟିତ୍ୱରେ ଦଳର ଅଭିଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ, ଟେକ୍ନିକାଲ ବ୍ୟକ୍ତି, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନ୍‌ଙ୍କୁ ସାମିଲ କରିବାକୁ ଯୋଜନା ହୋଇଥିବା ସେ କହିଥିଲେ। ବାସ୍ତବିକତା ହେଉଛି ନିଗମ ହେଉ ଅଥବା ବୋର୍ଡ ନିଯୁକ୍ତି ପ୍ରଦାନ କରିବାର ଅଧିକାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ନିକଟରେ ରହିଛି ଏବଂ ସରକାରଙ୍କ ନିଷ୍ପତ୍ତି ଏ ସମ୍ପର୍କରେ ଚୂଡ଼ାନ୍ତ। ମାତ୍ର ଦଳର ସଭାପତି କିପରି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରୁଛନ୍ତି, ତାହା ଅନେକଙ୍କୁ ବିସ୍ମିତ କରିଛି।

ସେହିପରି ଗତ ଶୁକ୍ରବାର ଶ୍ରୀ ସାମଲ କଟକସ୍ଥିତ ଉଚ୍ଚ ନ୍ୟାୟାଳୟ ପରିଦର୍ଶନରେ ଯାଇଥିବା ବେଳେ ସେଠାରେ ରାଜ୍ୟରେ ହାଇକୋର୍ଟ ସମେତ ସମସ୍ତ ଅଦାଲତରେ ଖୁବ୍‌ଶୀଘ୍ର ସରକାରୀ ଓକିଲ ନିଯୁକ୍ତି ହେବେ ବୋଲି ଟିପ୍ପଣୀ ଦେଇଥିଲେ। ଏହାକୁ ନେଇ ଦଳ ଓ ସରକାରରେ ଆଲୋଡ଼ନ ସୃଷ୍ଟି ହୋଇଛି। ସରକାରୀ ଓକିଲମାନେ ସରକାରଙ୍କ ପ୍ରତି ଉତ୍ତରଦାୟୀ ଓ ଏମାନଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ଆଇନ ବିଭାଗ ତଥା ରାଜ୍ୟ ସରକାରଙ୍କ ବ୍ୟାପାର। ମନମୋହନ ଏଥିରେ କୌଣସି ପ୍ରକାରରେ ମଧ୍ୟ ସମ୍ପୃକ୍ତ ନୁହନ୍ତି। ଦଳୀୟ ଆନୁଗତ୍ୟ ରଖିଥିବା ଆଇନଜୀବୀଙ୍କୁ ସରକାର ନିଯୁକ୍ତି ଦେଉଥିବା ଏକ ସ୍ୱାଭାବିକ ପରମ୍ପରା। ମାତ୍ର ଦଳର ସଭାପତି ଭାବରେ ମନମୋହନ ସାମଲ ଏହି ନିଯୁକ୍ତି କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କୁ ଗୌଣ କରି ଦେଇଥିବା କ୍ଷମତା ଅଳିନ୍ଦରେ ଚର୍ଚ୍ଚା ହେଉଛି। ଏପରିକି ସରକାରୀ ଓକିଲ ପ୍ୟାନେଲ ନିଯୁକ୍ତି ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ଅପେକ୍ଷା ଦଳର ସଂଗଠନମନ୍ତ୍ରୀଙ୍କ ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଏହି ସୂତ୍ରରୁ ସୂଚନା ମିଳିଛି। ଯାହାକୁ ନେଇ ସରକାର ଓ ସଙ୍ଗଠନ ମଧ୍ୟରେ ପାର୍ଥକ୍ୟ ବଢ଼ିବଢ଼ି ଚାଲିଥିବା କୁହାଯାଉଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *