ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବିଜେପୁରର ବାର୍ଷିକୋତ୍ସବ
ବରଗଡ଼ : ବରଗଡ ଜିଲ୍ଲା ବିଜେପୁର ବ୍ଲକର ଏକମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବିଜେପୁରର ବାର୍ଷିକୋତ୍ସବ ୨୦୨୫-୨୬ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଶଙ୍କର ପଟେଲଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର, ମୁଖ୍ୟବକ୍ତା ପ୍ରାକ୍ତନ ବିନିକା ବିଇଓ ଘନଶ୍ୟାମ ସାହୁ, ସମ୍ମାନୀତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଜାହ୍ନବି ସାହୁ ଉପସ୍ଥିତ ରହି ସାମୁହିକ ଭାବେ ଦୀପ ପ୍ରଜ୍ବଳନ କରି ଏହାକୁ ଉଦଘାଟନ କରିଥିଲେ ।

ଶିକ୍ଷୟିତ୍ରୀ ଶ୍ରୀମୟୀ ମାହାଣା କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ବ ସୂଚାରୁ ରୂପେ ତୁଳାଇଥିବା ବେଳେ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ପଟେଲ ଉଦ୍ଦେଶ୍ୟ ଜ୍ଞାପନ ସହିତ ଉପନୀତ ବର୍ଷର ଐତିହ୍ୟକୁ ସୂଚାଇ ଦିଏ ବୋଲି ମତବ୍ୟକ୍ତ କରିଥିଲେ ଓ ଶିକ୍ଷକ ସୁଶାନ୍ତ ବାରିକ ୪୩ ଜଣ ଛାତ୍ରୀଙ୍କୁ ନେଇ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା କହିବା ସହିତ ଅନ୍ୟାନ୍ୟ ବିବରଣୀ ପଠନ କରିଥିଲେ । ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ବିଇଓ ଶ୍ରୀଯୁକ୍ତ ମେହେର ଅଞ୍ଚଳର ମହିୟସୀ ମହିଳାଙ୍କ ଉଦାହରଣ ଦେଇ କର୍ତ୍ତବ୍ୟ ପଥରେ ଆଗେଇ ଯିବାକୁ ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ । ମୁଖ୍ୟବକ୍ତା ପ୍ରାକ୍ତନ ବିଇଓ ଶ୍ରୀଯୁକ୍ତ ସାହୁ କାହାଣୀ ମାଧ୍ୟମରେ ଉଦାହରଣ ଦେଇ ଛାତ୍ରୀମାନଙ୍କୁ ସମୟାନୁବର୍ତ୍ତୀ ହୋଇ ସମୁଚିତ କର୍ତ୍ତବ୍ୟରେ ଆଗେଇ ଛାତ୍ରୀଗଣଙ୍କ ସୁପ୍ତ ମାନସିତାକୁ ଜାଗ୍ରତ କରିବା ନିମିତ୍ତ ପ୍ରୟାସ କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ନିଜର ପାରଦର୍ଶିତା ଦେଖାଇ ବିଗତ ଦିନରେ କାର୍ଯ୍ୟରତ ଥିବା ଏହି ବିଦ୍ୟାଳୟର ନାମ ସହିତ ନିଜର ନାମକୁ ଉଜ୍ବଳ କରିବା ନିମିତ୍ତ ଛାତ୍ରୀମାନଙ୍କୁ ଆନ୍ତରିକ ଆଶିର୍ବାଦ ପ୍ରଦାନ କରିଥିଲେ ।
ଆଗ ଅପେକ୍ଷା ବିଦ୍ୟାଳୟର ସାମୁହିକ ବିକାଶ ହୋଇଛି ବୋଲି ଛାତ୍ରୀଗଣଙ୍କୁ ବଖାଣିବା ସହିତ ଆଗାମୀ ଦିନରେ ନିଶ୍ଚିତ ଭାବେ ଉନ୍ନତି ପରିଲକ୍ଷିତ ହେବ ବୋଲି ଏବିଇଓ ଶ୍ରୀଯୁକ୍ତ ପାଣ୍ଡେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ଅତିଥିଗଣ ପୁରଷ୍କୃତ କରିଥିଲେ । ଶିକ୍ଷୟିତ୍ରୀ ସୁକାନ୍ତି ରୋହିଦାସ ପୁରଷ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସୀମା ମେହେର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
