December 21, 2024
Home » ସରକାର ଗଠନର ୬ ମାସ ପରେ ବି ବରିଷ୍ଠ ନାଗରିକଙ୍କୁ ମିଳିଲାନି ବର୍ଦ୍ଧିତ ଭତ୍ତା ରାଶି

ସରକାର ଗଠନର ୬ ମାସ ପରେ ବି ବରିଷ୍ଠ ନାଗରିକଙ୍କୁ ମିଳିଲାନି ବର୍ଦ୍ଧିତ ଭତ୍ତା ରାଶି

0

ଭୁବନେଶ୍ୱର : ବିଜେପି ସରକାର ଗଢ଼ିଲେ ସବୁ ବରିଷ୍ଠ ନାଗରିକଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ମିଳିବ। ଅଶୀତିପର ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ହେବ। ନିର୍ବାଚନ ପୂର୍ବରୁ ବିଜେପି ଏପରି ପ୍ରତିଶ୍ରୁତି ଦେଇଥିଲା। ରାଜ୍ୟବାସୀ ବିଜେପିକୁ ଶାସନ କ୍ଷମତା ଦେଲେ। ମାତ୍ର ବିଡ଼ମ୍ବନା ହେଉଛି ରାଜ୍ୟର ୫୭ ଲକ୍ଷ ହିତାଧିକାରୀଙ୍କ ଭତ୍ତା ବଢ଼ାଇବା ଘୋଷଣାକୁ ଭୂଲିଗଲେ ବିଜେପି ସରକାର। ଯେଉଁ ସାଢେ଼ ୩ ଲକ୍ଷ ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ନାଗରିକ ଓ ୮୦% ଅକ୍ଷମଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ ବଜେଟରେ ଆର୍ଥିକ ବ୍ୟବସ୍ଥା କଲେ, ସେମାନଙ୍କୁ ବି ଆଜିଯାଏ ବର୍ଦ୍ଧିତ ଭତ୍ତା ମିଳିପାରିଲା ନାହିଁ । ମାତ୍ର ବିଧାନସଭାରେ ବିଧାୟକମାନେ ସେମାନଙ୍କ ଦରମା ଓ ଭତ୍ତା ବଢ଼ାଇବାକୁ ପ୍ରସ୍ତାବ ଦେବାର ୭ ଦିନ ମଧ୍ୟରେ ସରକାର ଏ ସଂକ୍ରାନ୍ତରେ ବିଲ୍‌ ପ୍ରସ୍ତୁତ କରିଦେଇଛନ୍ତି।

ଗତ ୩ ତାରିଖରେ ଗୃହରେ ଶାସକ-ବିରୋଧୀ ସମବେତ ସ୍ୱରରେ ନିଜର ଦରମା ଏବଂ ପୂର୍ବ ବିଧାୟକଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ଦାବି କଲେ। ଏହି ଦାବିର କେଇ ଘଣ୍ଟା ମଧ୍ୟରେ ସେହିଦିନ ରାତିରେ ରାଜ୍ୟ ସରକାର ବରିଷ୍ଠ ବିଜେପି ବିଧାୟକ ଭାସ୍କର ମଢେ଼ଇଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ କମିଟି ମଧ୍ୟ ଗଠନ କଲେ। କୌତୂହଳର ବିଷୟ ହେଉଛି କମିଟି ଗଠନ ହେବାର ୭ ଦିନ ମଧ୍ୟରେ ବିଧାୟକମାନଙ୍କ ଦରମା, ଭତ୍ତା ବୃଦ୍ଧି ସଂକ୍ରାନ୍ତ ବିଲ୍‌ ପ୍ରସ୍ତୁତ ହୋଇଯାଇଛି। ଏ ସଂକ୍ରାନ୍ତରେ ମୋଟ ୪ଟି ବିଲ୍‌ ପ୍ରସ୍ତୁତ ହୋଇଥିବା ବେଳେ ଏସବୁ ମୁଦ୍ରଣ(ପ୍ରିଣ୍ଟ) କରିବା ପାଇଁ ବିଧାନସଭା ସଚିବଙ୍କୁ ଆଇନ ବିଭାଗ ୧୦ ତାରିଖରେ ଚିଠି ଲେଖିଛି। ଏହା ସହିତ ପ୍ରତି ବିଲ୍‌ର ୨୦ଟି କପି ଆଇନ ବିଭାଗ ଏବଂ ୩୦ଟି କପି ସଂସଦୀୟ ବ୍ୟାପାର ବିଭାଗକୁ ପ୍ରଦାନ କରିବାକୁ ଆଇନବିଭାଗର ସ୍ୱତନ୍ତ୍ର ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ମାତ୍ର ୭ ଦିନ ମଧ୍ୟରେ ଦରମା, ଭତ୍ତା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଏ ପ୍ରକାରର ତତ୍ପରତାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ନୂଆ କମିଟି କେବେ, କିପରି ଭାବରେ ଏବଂ କେଉଁ ଆଧାରରେ ବିଧାୟକ/ପୂର୍ବ ବିଧାୟକଙ୍କ ଦରମା ତଥା ପେନ୍‌ସନ୍‌ ନିରୂପଣ କଲା ତାହାକୁ ନେଇ ଏବେ ସାଧାରଣରେ ଆଲୋଚନା ଜୋର୍‌ ଧରିଛି।

ରାଜ୍ୟ ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ଭଗବାନ ପ୍ରସାଦ ସାହୁ ଗତ ୧୦ତାରିଖରେ ବିଧାନସଭା ସଚିବଙ୍କୁ ଚିଠି ଲେଖି ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ବିଧାୟକଙ୍କ ଦରମା-ଭତ୍ତା ଓ ପେନସନ୍‌ ବୃଦ୍ଧି ସଂକ୍ରାନ୍ତ ୪ଟି ବିଲ୍‌ ପ୍ରିଣ୍ଟ କରିବାକୁ କହିଛନ୍ତି। ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଦରମା ଓ ଭତ୍ତା(ସଂଶୋଧିତ) ବିଲ୍‌୍‌-୨୦୨୪, ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଦରମା ଓ ଭତ୍ତା(ସଂଶୋଧିତ) ବିଲ-୨୦୨୪, ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା(ସଂଶୋଧିତ)ବିଲ୍‌-୨୦୨୪ ଏବଂ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ(ସଂଶୋଧିତ) ବିଲ-୨୦୨୪କୁ ମୁଦ୍ରଣ(ପ୍ରିଣ୍ଟ) କରିବା ପାଇଁ ଶ୍ରୀ ସାହୁ ବିଧାନସଭା ସଚିବଙ୍କୁ ଚିଠି ଲେଖିଛନ୍ତି।

ବିଧାୟକଙ୍କ ଦରମା ଓ ଭତ୍ତା, ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ରାଜ୍ୟ ସରକାର ଯେପରି ତତ୍ପରତା ପ୍ରଦର୍ଶନ କରିଛନ୍ତି; ସେତିକି ତତ୍ପରତା ପ୍ରଦର୍ଶନ କରିଥିଲେ ରାଜ୍ୟର ଲକ୍ଷଲକ୍ଷ ବୁଢ଼ାବୁଢ଼ୀ, ବିଧବା, ଭିନ୍ନକ୍ଷମ କେବେଠାରୁ ବର୍ଦ୍ଧିତ ଭତ୍ତା ପାଇ ସାରିଥା’ନ୍ତେ। ମାତ୍ର ଗରିବ ଲୋକମାନଙ୍କ ପାଇଁ ଆଭିମୁଖ୍ୟ ଓ ନିଜ ସୁଖସୁବିଧା ପାଇଁ ତତ୍ପରତାକୁ ନେଇ ସାଧାରଣରେ ସରକାର କଟୁ ସମାଲୋଚନାର ଶିକାର ହୋଇଛନ୍ତି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *