ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର , ମାର୍ଥାପୁର ର ବାର୍ଷିକ ଉତ୍ସବ

ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଉନତ୍ରିଂଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ର ବୈଜ୍ଞାନିକ ଡ଼ଃ ଶରତ କୁମାର ଦାଶ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସଫଳତାର ମାର୍ଗ ପ୍ରଦର୍ଶନ କରିଥିଲେ। ନିଜକୁ ଅନ୍ୟ ସହ ତୁଳନା ନକରି ପ୍ରତିଦ୍ୱନ୍ଦୀ ମନୋବଳ ସହ ଅଗ୍ରସର ହେଲେ ସଫଳତା ପ୍ରାପ୍ତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୂଖ୍ୟ ବକ୍ତା ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଭାରତୀୟ ସଂସ୍କୃତି,ପରମ୍ପରା ,ଐତିହ୍ୟ ଓ ଧାର୍ମିକ ଭାବନା ସମ୍ପର୍କରେ ଆଲୋଚନା କରିବା ସହ ବିଦ୍ୟାର୍ଥୀ ମାନେ ଏକନିଷ୍ଠ ସାଧନା ଓ ଦୃଢ଼ ଆତ୍ମବିଶ୍ବାସ ଦ୍ଵାରା ସଫଳତା ହାସଲ ନିମନ୍ତେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ। ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଶୀଲାରାଣୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ସମସ୍ୟା ଗୁଡିକ ସମାଧାନ କରିବା ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ଇଞ୍ଜିନିୟର ହୃଦାନନ୍ଦ ଶତପଥୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ମମତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାପତି ଶ୍ରୀ ପାତ୍ର ଅନୁଷ୍ଠାନର ସଫଳତା ବିଷୟରେ ଆଲୋଚନା କରିବା ସହ ଏହାକୁ ଏକ ଉତ୍କର୍ଷ ଶିକ୍ଷା କେନ୍ଦ୍ର କରି ଗଢ଼ି ତୋଳିବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ପରିଶେଷରେ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମସ୍ତ ଗୁରୁଜୀ ଓ ଗୁରୁମା ମାନଙ୍କ ସହାୟତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ ଓ ଅଞ୍ଚଳ ଅଧିବାସୀ ମାନେ ଯୋଗ ଦେଇଥିଲେ।