ସହକାରୀ କୃଷି ଅଧିକାରୀ ଓ ବିଟିଏମ୍ ନଳକୂପ ଖନନରେ ସବସିଡି କରିବା ପାଇଁ ଲାଞ୍ଚ ନେଇ ଫସିଲେ ଭିଜିଲାନ୍ସ ହାତରେ

ଜଣେ ଚାଷୀଙ୍କ ଜମିରେ ଅଗଭୀର ନଳକୂପ ଖନନରେ ସବସିଡି କରାଇଦେବା ନାମରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଫସିଛନ୍ତି ସହକାରୀ କୃଷି ଅଧିକାରୀ ଓ ବିଟିଏମ୍ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଂସାରୀ ପଞ୍ଚାୟତର ଜାମପଦର ଗାଁର ଚାଷୀ ଲଖିଧର ମାଝୀଙ୍କ କ୍ଷେତ୍ରରେ ।
ସୂଚନା ମୁତାବକ ଚାଷୀ ଲଖିଧର ମାଝୀ ସରକାରଙ୍କ ଜଳନିଧୀ ଯୋଜନାରେ ନିଜ ଜମିରେ ଖନନ କରିଥିବା ଏକ ଅଗଭୀର ନଳକୂପ ଖନନର ସବସିଡି ୫୦,୦୦୦/- ଟଙ୍କା ଥିଲା ଯେଉଁଥି ପାଇଁ କି କୃଷି ବିଭାଗର ଏକ ଯାଞ୍ଚ ପ୍ରମାଣ ପତ୍ର ନିହାତି ଦରକାର । ତେଣୁ ଉକ୍ତ ଯାଞ୍ଚ ପ୍ରମାଣ ପତ୍ର କରିବାକୁ ହେଲେ ପାଞ୍ଚ ହଜାର ଲାଞ୍ଚ ଦାବି କରିବା ଅନୁଯାୟୀ ଚାଷୀ ଜଣକ ଘରକୁ ଆସିଲେ ଦେବେ କହିଥିଲେ ଅଧିକାରୀଦ୍ୱୟଙ୍କୁ । ତାପରେ ଉକ୍ତ ବିଷୟ ନେଇ ଭିଜିଲାନ୍ସ ଦ୍ବାରସ୍ଥ ହୋଇ ସମସ୍ତ ବିଷୟରେ ଜଣାଇଥିଲେ କୃଷକ ଜଣକ । ଅଭିଯୋଗ ଅନୁଯାୟୀ ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଅଧିକାରୀ ଚାଲ ବସିଥିଲେ । କୃଷି ଅଧିକାରୀ ଦୁହେଁ କୃଷକ ଘରକୁ ଆସି ଅଭିଯୋଗକାରିଙ୍କ ଠାରୁ (ରସାୟନ ରଙ୍ଗ ମିଶା ) ପାଞ୍ଚ ହଜାର ଟଙ୍କା ନେବା ସମୟରେ ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ଅଭିଯୁକ୍ତ ବିଟିଏମ୍ ସୁରେନ୍ଦ୍ର ବୁନ୍ଦେଲା (ଗ୍ବାଲିଏର) ଓ ସହକାରୀ କୃଷି ଅଧିକାରୀ ନିଳକଣ୍ଠ ପରିଡା(ଜଗତସିଂପୁର)ଙ୍କୁ । ଭିଜିଲାନ୍ସ କୃଷି ବିଭାଗର ଦୁଇ କର୍ମଚାରୀଙ୍କୁ ଧରି ଉମରକୋଟ ସ୍ତିତ କୃଷି ବିଭାଗର କାର୍ଯ୍ୟାଳୟ ଯାଇ ଉକ୍ତ ସମର୍କିତ ଫାଇଲ ଜବତ କରିବା ସହ ଅଧିକ ତଦନ୍ତ କରିଥିଲା । ଉଭୟଙ୍କୁ ଜୟପୁର ସ୍ଥିତ ମୁଖ୍ୟାଳୟକୁ ପଠାଇ ଦିଆଯାଇଛି। ଡିଏସପି ଜୟଶ୍ରୀ ପ୍ରଧାନ, ଅଜିତ ପାଢ଼ୀ, ଦିବ୍ୟ ନନ୍ଦନ ବେହେରା, ବସନ୍ତ ବାଗ, ବଳରାମ ମାଝୀଙ୍କ ସମେତ ନାଗଭୁଷଣ ନାୟକ ଉକ୍ତ ଚଢ଼ାଉରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ