ସାହିଯାତ ଯାତ୍ରା ୨୦୨୬ ପାଇଁ ମାର୍କଣ୍ଡସାହିରେ ସାହି କମିଟି ସମନ୍ୱୟ ସଭା ଅନୁଷ୍ଠିତ
ଆସନ୍ତା ସାହିଯାତ ଯାତ୍ରା ୨୦୨୬କୁ ପୁରୀ ସହରରେ ସୁଚାରୁ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଆଜି ମାର୍କଣ୍ଡସାହି ଅଞ୍ଚଳରେ ଏକ ସାହି କମିଟି ସମନ୍ୱୟ ସଭା ଅନୁଷ୍ଠିତ ହୋଇଯାଇଛି। ସଭାଟିକୁ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ। ସଭାରେ ପୋଲିସ ଅଧିକାରୀମାନଙ୍କ ସହ ମାର୍କଣ୍ଡସାହିର ସ୍ଥାନୀୟ କମିଟି ସଦସ୍ୟ ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।
ଏହି ସମନ୍ୱୟ ସଭାରେ ସିଟି ଡ଼ିଏସପି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର, ଟ୍ରାଫିକ ଡ଼ିଏସପି ଶ୍ରୀ ରାଜକୁମାର ପରିଡା, ଟାଉନ ଥାନା ଅଧିକାରୀ ଶ୍ରୀ ଗୋକୁଳ ରଞ୍ଜନ ଦାସ, ଟ୍ରାଫିକ ଥାନା ଅଧିକାରୀ ଶ୍ରୀମତୀ ସଂଗୀତା ଦାଶ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ। ସଭାରେ ସହିଯାତ ଯାତ୍ରା ଅବସରରେ ଭିଡ଼ ନିୟନ୍ତ୍ରଣ, ଆପାତକାଳୀନ ସେବା, ସାଧାରଣ ଲୋକଙ୍କ ସୁରକ୍ଷା, ଓ ସାମ୍ପ୍ରଦାୟିକ ସମନ୍ୱୟ ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଯାତ୍ରା ସମୟରେ ସାହି ମାଧ୍ୟମରେ ଯାଉଥିବା ପ୍ରମୁଖ ରୁଟ ଓ ବିକଳ୍ପ ରୁଟ ଚିହ୍ନଟ କରି ପୂର୍ବ ପ୍ରସ୍ତୁତି ନେବାକୁ ନିଷ୍ପତ୍ତି ହୋଇଥିଲା। ଏସ୍ପି ପୁରୀ ସ୍ଥାନୀୟ ସାହି କମିଟି ସଦସ୍ୟମାନଙ୍କୁ ସହଯୋଗ ପାଇଁ ଅନୁରୋଧ କରି କହିଥିଲେ ଯେ, ପୋଲିସ ଜନସାଧାରଣ ସମନ୍ୱୟ ଦ୍ୱାରା ମାତ୍ର ଏପରି ପାରମ୍ପରିକ ଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରାଯାଇପାରିବ। ସାହି ଭିତର ରାସ୍ତା ସଫା ସୁତୁରା ରଖିବା, ଅବୈଧ ପାର୍କିଂ ରୋକିବା, ବିଦ୍ୟୁତ ତାର ଓ ଅସ୍ଥାୟୀ ଟେଣ୍ଟ ଯାଞ୍ଚ କରିବା ପାଇଁ ସ୍ଥାନୀୟ କମିଟିଙ୍କ ସକ୍ରିୟ ସହଯୋଗ କାମନା କରାଯାଇଥିଲା।
ଟ୍ରାଫିକ ଡ଼ିଏସପିଙ୍କ ପକ୍ଷରୁ ଯାତ୍ରା ଦିନ ଟ୍ରାଫିକ ବ୍ୟବସ୍ଥା ଲାଗୁ କରାଯିବା ସମ୍ବନ୍ଧରେ ସୂଚନା ଦିଆଯାଇଥିଲା। ପ୍ରମୁଖ ସ୍ଥାନଗୁଡ଼ିକରେ ଡାଇଭର୍ସନ ବ୍ୟବସ୍ଥା କରାଯିବ ଓ ଆବଶ୍ୟକତାନୁସାରେ ପୋଲିସ ଓ ଟ୍ରାଫିକ କର୍ମଚାରୀ ମୁତୟନ କରାଯିବ । ସିଟି ଡ଼ିଏସପି ଓ ଟାଉନ ଥାନା ପକ୍ଷରୁ ସାହି ଅଞ୍ଚଳର ସମ୍ବେଦନଶୀଳ ସ୍ଥାନ, ସଂକୀର୍ଣ୍ଣ ରାସ୍ତା ଓ ଭିଡ଼ ହେବା ସମ୍ଭାବନା ଥିବା ପଏଣ୍ଟଗୁଡ଼ିକର ତାଲିକା ପ୍ରସ୍ତୁତ କରି ପୂର୍ବ ପ୍ରସ୍ତୁତି ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାତ୍ରା ସମୟରେ ସିସିଟିଭି ମାଧ୍ୟମରେ ନଜରଦାରି, ପାଟ୍ରୋଲିଂ ଓ କ୍ୱିକ୍ ରିସ୍ପୋନ୍ସ ଟିମ୍ ସଜାଗ ରହିବେ। ସ୍ଥାନୀୟ ସାହି ପ୍ରତିନିଧିମାନେ ସଭାରେ ତାଙ୍କର ସମସ୍ୟା ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ପୋଲିସ ପକ୍ଷରୁ ସେଗୁଡ଼ିକୁ ଗୁରୁତ୍ୱ ସହ ନେଇ ପର୍ଯ୍ୟାୟକ୍ରମେ ସମାଧାନ କରାଯିବ। ପୁରୀ ପୋଲିସ ପକ୍ଷରୁ ସମସ୍ତ ନାଗରିକଙ୍କୁ ଆଗାମୀ ସହିଯାତ ଯାତ୍ରା ସମୟରେ ଟ୍ରାଫିକ ନିୟମ ମାନିବା, ପୋଲିସଙ୍କୁ ସହଯୋଗ କରିବା ଓ ଶୃଙ୍ଖଳା ରକ୍ଷା କରିବା ପାଇଁ ଅନୁରୋଧ କରାଯାଉଛି।ସମସ୍ତଙ୍କ ମିଳିତ ପ୍ରୟାସରେ ସାହିଯାତ ଯାତ୍ରା ୨୦୨୬ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ ହେବ ବୋଲି ପୁରୀ ପୋଲିସ ଆଶା ବ୍ୟକ୍ତ କରିଛି।
