ସିଂହଦ୍ଵାର ରେ ତିନି ରଥ

ପୁରୀ: ଚତୁର୍ଦ୍ଧା ମୂର୍ତି ରତ୍ନ ବେଦୀରୁ ବାହାରି ନବଦିନାତ୍ମକ ଘୋଷଯାତ୍ରାରେ ଆସି ଆଡ଼ପମଣ୍ଡପରେ ବିଜେ କରିଥିଲେ।ଆଡ଼ପମଣ୍ଡପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇ ମହାପ୍ରଭୁ ଆଜି ତାଙ୍କ ମାନବୀୟ ଲୀଳାଖେଳ ଶେଷକରି ରତ୍ନବେଦୀ ଅଭିମୁଖେ ବାହୁଡା ଯାତ୍ରା କରିଛନ୍ତି।ଆଜି ଗୁଣ୍ଡିଚା ମନ୍ଦିରରେ ମଙ୍ଗଳା ଆଳତି ,ଅବକାଶ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ଆଡ଼ପ ମଣ୍ଡପ ରୁ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇଥିଲା।ସକାଳ ୯.୫୫ମିନିଟ ରେ ପହଣ୍ଡି ଆରମ୍ଭ ହୋଇ ୧୨.୩୦ ମଧ୍ୟରେ ଚତୁର୍ଦ୍ଧା ମୂର୍ତିଙ୍କୁ ରଥାରୂଢ କରାଯାଇଥିଲା।ଆଜି ପାଗ ଅନୁକୂଳ ଥିବାରୁ ଶ୍ରଦ୍ଧାଳୁ ମାନଙ୍କର ସରଧାବାଲିରେ ଗହଳି ଚହଳି ଲାଗିରହିଥିଲା ,
ଝିପିଝିପି ବର୍ଷା ମଧ୍ୟରେ ଶ୍ରଦ୍ଧାଳୁ ମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ଶ୍ରୀଜୀଉ ମାନଙ୍କ ପହଣ୍ଡି ବିଜେ ଦେଖିଥିଲେ ।ଶ୍ରଦ୍ଧାଳୁ ଭକ୍ତ ମାନନଙ୍କର ହୁଳହୁଳି ହରିବୋଲ ଓ ଶଙ୍ଖ ଧ୍ବନିରେ ସରଧାବାଲି ପ୍ରକମ୍ପିତ ହୋଇଉଠିଥିଲା ।ମେଘଯୁକ୍ତ ଆକାଶର ଚାନ୍ଦୁଆ ତଳେ ଭକ୍ତ ମାନେ ଛିଡା ହୋଇ ମହାପ୍ରଭୁଙ୍କ ର ଏହି ଭବ୍ୟ ପହଣ୍ଡି ଉପଭୋଗ କରିଥିଲେ।ସରଧାବାଲି ଠାରେ ସଂକୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ କରୁଥିବା ବେଳେ ମହାପ୍ରଭୁଙ୍କ ପହଣ୍ଡି ଆଗେ ଆଗେ ଓଡିଶୀ ନୃତ୍ୟ ଶିଳ୍ପୀ ମାନେ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା।
ପହଣ୍ଡି ଶେଷ ହେବା ପରେ ଛେରା ପହଁରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଜପତି ଙ୍କୁ ନିମନ୍ତ୍ରଣ ପଠାଯାଇଥିଲା।ଗଜପତି ମହାରାଜା ଶ୍ରୀନଅର ରୁ କାର ଯୋଗେ ବଡ଼ଶଙ୍ଖରେ ପହଁଚିବା ପରେ ସେଠାରୁ ରୌପ୍ୟ ଖଚିତ ମେହେନା ରେ ବସି ଏକ ପଟୁଆରରେ ରଥ ନିକଟରେ ପହଁଚିବା ପରେ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ପ୍ରଥମେ ବଳଭଦ୍ର ଙ୍କର ତାଳଧ୍ଵଜ ରଥ ଉପରକୁ ଯାଇ ମହାପ୍ରଭୁଙ୍କ ବନ୍ଦାପନା ଓ କର୍ପୂର ଆଳତି କରିବା ସହ ଛେରା ପହଁରା କରିଥିଲେ ପରେ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥରେ ଓ ଶେଷରେ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ମହାରାଜ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ ।ଛେରା ପହଁରା କାର୍ଯ୍ୟ ସମ୍ପାଦନ କରି ଗଜପତି ମହାରାଜ ଶ୍ରୀ ନଅର କୁ ପ୍ରତ୍ୟାବର୍ତ୍ତନ କରିଥିଲେ।ବଳଭଦ୍ର ଙ୍କ ତାଳଧ୍ଵଜ ରଥର ଚାରମାଳ ଫିଟାଯାଇ ଘୋଡା ଯୋଚା ଯାଇଥିଲା ।
ପ୍ରଥମେ ତାଳଧ୍ଵଜରଥ ଟଣା ଆରମ୍ଭ ହୋଇଥିଲା ପରେ ଦେବୀ ସୁଭଦ୍ରା ଓ ଶେଷରେ ନନ୍ଦିଘୋଷ ରଥ କୁ ଟଣା ଯାଇଥିଲା।ରଥଟଣା ଯିବା ସମୟରେ ପ୍ରବଳ ବର୍ଷା ହେବା ସତ୍ୱେ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷାରେ ଭିଜିଭିଜି ମହାପ୍ରଭୁଙ୍କ ରଥ ଟାଣୁଥିବା ଦେଖା ଯାଇଥିଲା।ରଥ ମାଉସୀମାଆଙ୍କ ମନ୍ଦିର ରେ ଲାଗିବା ପରେ ସେଠାରେ ପ୍ରସ୍ତୁତ ହୋଇଥିବା ପୋଡ଼ ପିଠା ମହାପ୍ରଭୁଙ୍କ ପାଖରେ ଭୋଗ ଲଗାଯାଇଥିଲା।ପରେ ସୁଭଦ୍ରା ଓ ଜଗନ୍ନାଥ ଙ୍କୁ ମଧ୍ୟ ମାଉସୀମାଆ ଙ୍କ ପ୍ରସ୍ତୁତ ପୋଡ଼ପିଠା ଭୋଗ ଲଗାଯାଇଥିଲା।ନନ୍ଦିଘୋଷ ରଥ ଶ୍ରୀ ନଅର ନିକଟରେ ପହଂଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ କରାଯାଇଥିଲା ।ଶ୍ରୀନଅର ନିକଟରେ ନନ୍ଦିଘୋଷ ରଥ ପହଁଚିବା ପରେ ମାଆ ଲକ୍ଷ୍ମୀ ଚାହାଣି ମଣ୍ଡପରେ ଆଳତି କରିବା ପରେ ଶ୍ରୀ ମନ୍ଦିର ରୁ ଏକ ପଟୁଆରରେ ଶ୍ରୀ ନଅର ନିକଟରେ ପହଞ୍ଚିବା ପରେ ଗଜପତି ମହାରାଜା ମାଆ ଲକ୍ଷ୍ମୀଙ୍କୁ ନନ୍ଦିଘୋଷ ରଥ ଉପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭେଟ କରାଇଥିଲେ ।ପରେ ସେଠାରୁ ନନ୍ଦିଘୋଷ ରଥ କୁ ସିଂହଦ୍ଵାର ନିକଟକୁ ଟଣା ଯାଇଥିଲା ।ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।୨୦୦ପ୍ଲାଟୁନ ପୋଲିସ ଫୋର୍ସ ବାହୁଡା ଯାତ୍ରା ପାଇଁ ମୁତୟନ କରାଯାଇଥିଲା।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )