July 5, 2025
Home » ସିଙ୍ଗାପୁର ରାଷ୍ଟ୍ରପତିଙ୍କ ରଘୁରାଜପୁର ଓ କୋଣାର୍କ ଗସ୍ତ

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ରଘୁରାଜପୁର ଓ କୋଣାର୍କ ଗସ୍ତ

0
WhatsApp Image 2025-01-19 at 4.55.00 PM

ଭୁବନେଶ୍ୱର/ପୁରୀ: : ସିଙ୍ଗାପୁର ଜନରାଜ୍ୟର ମହାମହିମ ରାଷ୍ଟ୍ରପତି ଶ୍ରୀ ଥରମନ୍‌ ଶନ୍ମୁଗରତ୍ନମ୍ ଆଜି ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ଏବଂ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି।

ରାଷ୍ଟ୍ରପତି ଶ୍ରୀ ଥରମନ୍‌ ଶନ୍ମୁଗରତ୍ନମ୍ ଏବଂ ତାଙ୍କ ଧର୍ମପତ୍ନୀ ଆଜି ରଘୁରାଜପୁର ଠାରେ ପହଞ୍ଚିବା ପରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ବିନୀତ ଅଗ୍ରୱାଲ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ପାରମ୍ପାରିକ ଲୋକକଳା ଏବଂ ଗୋଟିପୁଅ ନୃତ୍ୟ ପରିବେଷଣ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହାପରେ ରାଷ୍ଟ୍ରପତି ଐତିହ୍ୟ ଗ୍ରାମ ରଘୁରାଜପୁର ପରିଦର୍ଶନ କରିବା ସହିତ ପଟ୍ଟଚିତ୍ର ଶିଳ୍ପୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ପଟ୍ଟଚିତ୍ରରେ ରହିଥିବା ସୁନ୍ଦର କାରୁକାର୍ଯ୍ୟ ଦେଖି ସେ ପଟ୍ଟଚିତ୍ର କଳାର ଖୁବ ପ୍ରଶଂସା କରିଥିଲେ।

ରଘୁରାଜପୁର ଗ୍ରାମ, ପ୍ରଦର୍ଶନୀ ସ୍ଥଳ, ଅଙ୍ଗନବାଡ଼ି କେନ୍ଦ୍ର ଓ ଆରୋଗ୍ୟ କେନ୍ଦ୍ର ଆଦି ପରିଭ୍ରମଣ କରିସାରିବା ପରେ ରାଷ୍ଟ୍ରପତି କୋଣାର୍କ ମନ୍ଦିର ପରିଦର୍ଶନରେ ଯାଇଥିଲେ ।

କୋଣାର୍କରେ ପ୍ରଥମେ ଆଇଓସିଏଲର ଇଣ୍ଟରପ୍ରିଟେସନ କେନ୍ଦ୍ର ପରିଦର୍ଶନ କରିସାରିବା ପରେ ରାଷ୍ଟ୍ରପତି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ପ୍ରତିନିଧି ଓ ଗାଇଡମାନେ ରାଷ୍ଟ୍ରପତିଙ୍କୁ କୋଣାର୍କ ମନ୍ଦିର ସମ୍ପର୍କରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ପରେପରେ ରାଷ୍ଟ୍ରପତିଙ୍କ ସହ ସିଙ୍ଗାପୁରରୁ ଆସିଥିବା ପ୍ରତିନିଧି ମଣ୍ଡଳୀ ମଧ୍ୟ କୋଣାର୍କ ମନ୍ଦିର ବୁଲି ଦେଖିଥିଲେ ।

ଆଜିର କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ଅତିରିକ୍ତ ଡିଜି ସଞ୍ଜୟ କୁମାର,ଆଇଜି ଅନୂପ କୁମାର ସାହୁ, ଡିଆଇଜି ଅଖିଳେଶ୍ବର ସିଂ, ପୁରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରିୟ ରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ଶ୍ରୀ ରାଜ କିଶୋର ଜେନା,ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀ ନୀଳମାଧବ ମାଝୀ, ପୁରୀ ସଦର ବିଡ଼ିଓ ଶ୍ରୀ ସମ୍ବିତ ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠୀ, ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅମ୍ଳାନ ଦାସ ପୁରୀ ଗୋପ ବ୍ଲକର ବିଡ଼ିଓ ତଥା କୋଣାର୍କ ଏନ ଏ ସି ନିର୍ବାହୀ ଅଧିକାରୀ ଶ୍ରୀମତୀ ଛବିରାଣୀ ସାହୁ,କାକଟପୁର ବିଡ଼ିଓ ଶ୍ରୀ ବିଷ୍ଣୁ ଗୋବିନ୍ଦ, ଗୋପ ତହସିଲଦାର ଶ୍ରୀ ଅନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *