ସୁବର୍ଣ୍ଣପୁରରେ ପାରାଲିଗାଲ୍ ସ୍ବେଛାସେବୀମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ l

ସୁବର୍ଣ୍ଣପୁର— ବିକଳ୍ପ ବିବାଦ ସମାଧାନ କେନ୍ଦ୍ର, ସୁବର୍ଣ୍ଣପୁରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସହାୟକ ସ୍ବେଛାସେବୀମାନଙ୍କୁ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ କୁମୁଦିନୀ ମୁଦୁଲି ପୌରାହିତ୍ୟ କରି ନ୍ୟାୟିକ ବ୍ୟବସ୍ଥା, ନ୍ୟାୟ ସୁବିଧା, ପୋକସୋ ଆଇନ, (ଜେଭିଭି) ଜୁଭେନାଲ ଜଷ୍ଟିସ ବୋର୍ଡ ଇତ୍ୟାଦିର କାର୍ଯ୍ୟକାରିତାକୁ ପ୍ରାଞ୍ଜଳ ଭାବେ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ସଂସାଧନ ଅଧିକାରୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭାଗୀୟ କଲ୍ୟାଣକାରୀ ଯୋଜନା ଓ ସେଗୁଡିକର କାର୍ଯ୍ୟକାରିତା ବିଷୟରେ ସ୍ବେଛାସେବୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ବାର୍ଦ୍ଧ୍ୟକ ଭତ୍ତା , ଦିବ୍ୟାଙ୍ଗ ସହାୟତା ଯୋଜନା ତଥା ଅନ୍ୟ ସାମାଜିକ ସୁରକ୍ଷା ଯୋଜନା ସହ ଆବଶ୍ୟକ ଯୋଗ୍ୟତା ଇତ୍ୟାଦି ବିଷୟରେ ଅଲୋଚନା କରିଥିଲେ। ଆଞ୍ଚଳିକ ଶ୍ରମ ଆଯୁକ୍ତ ଶ୍ରୀ ଡିଲେଶ୍ୱର ଖାଖା ଅନଔପଚାରିକ ଶ୍ରମିକଙ୍କ ପାଇଁ ଲାଭଜନକ ଯୋଜନା, ନିମ୍ନ ଆୟ ଶ୍ରେଣୀ ପାଇଁ ଶ୍ରମ ସମ୍ବନ୍ଧୀୟ ସୁବିଧା ଓ ଶ୍ରମ ଆଇନ ଉପରେ ତାଲିମ ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଆଇନ ପରାମର୍ଶଦାତା ଶ୍ରୀ କେଶବ ଚନ୍ଦ୍ର ମେହେର,ପାରିବାରିକ ଘରୋଇ ହିଂସା, ମହିଳା ଓ ଶିଶୁ ସୁରକ୍ଷା ନିର୍ଯାତନା ସହ ଯୋଜନା ଓ ନ୍ୟାୟିକ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ।
ଏହି ତାଲିମ ଦ୍ୱାରା ସ୍ବେଛାସେବୀମାନେ ନାଗରିକଙ୍କ ମଧ୍ୟରେ ଆଇନ ଓ ସରକାରୀ ସେବା ପ୍ରତି ସଚେତନତା ବଢ଼ାଇବା ସହ ଅଞ୍ଚଳରେ ନ୍ୟାୟ ସୁବିଧା ପହଞ୍ଚେଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରି ଜନସାଧାରଣଙ୍କୁ ସାମାଜିକ, ନ୍ୟାୟିକ ତଥା ବୌଦ୍ଧିକ
ଦିଗ ପ୍ରତି ସଚେତନତା ପ୍ରଦାନ ପୂର୍ବକ ଏକ ସୁସ୍ଥ ସମାଜ ଗଠନରେ ସମାଜ ଓ ସରକାରୀ ଵିଧି ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ପୂର୍ବକ କାର୍ଯ୍ୟ କରିପାରିବେ l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର