October 16, 2024
Home » ସୁବର୍ଣ୍ଣପୁର ରେ ମାଁ ଭଗବତୀ ଙ୍କ ଚନ୍ଦ୍ର ଘଣ୍ଟା ବେଶ

ସୁବର୍ଣ୍ଣପୁର ରେ ମାଁ ଭଗବତୀ ଙ୍କ ଚନ୍ଦ୍ର ଘଣ୍ଟା ବେଶ

0

ସୁବର୍ଣ୍ଣପୁର — ଅଷ୍ଟ ଚଣ୍ଡୀ ଙ୍କ ପୀଠ ସୁବର୍ଣ୍ଣପୁର ରେ ଏବେ ସମସ୍ତ ଦେବୀପୀଠରେ ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ହେବାସହ ଏବେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ।ସେହି କ୍ରମରେ ଆଜି ମାଁ ଭଗବତୀ ଚନ୍ଦ୍ରଘଣ୍ଟା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଚନ୍ଦ୍ରଘଣ୍ଟା ହେଉଛନ୍ତି ମା’ଦୁର୍ଗାଙ୍କ ତୃତୀୟ ରୂପ l ସେଥିପାଇଁ ନବରାତ୍ର ପୂଜାର ତୃତୀୟ ଦିବସରେ ମା’ଚନ୍ଦ୍ରଘଣ୍ଟାକୁ ପୂଜାକରାଯାଏ। ସେଥିପାଇଁ ମା’ଭଗବତୀ ଆଜି ନବରାତ୍ରର ତୃତୀୟ ଦିବସ ଅବସରରେ ଚନ୍ଦ୍ରଘଣ୍ଟା ବେଶ ଧାରଣ କରିଛନ୍ତି।
ମା’ଙ୍କର ଏହି ଧରାଧାମକୁ ଅବତରଣ କରିବାକୁ ହୋଇଥିଲା ମହିଷାସୁର ଅସୁରର ବଧ । ଯେତେବେଳେ ମହିଷାସୁର ସ୍ୱର୍ଗକୁ ଅକ୍ତିଆର କରିବାକୁ ଦେବତାଙ୍କ ସହ ଯୁଦ୍ଧ ଆରମ୍ଭ କଲା ସେତେବେଳେ ସମସ୍ତ ଦେବତାଗଣ ବିଚଳିତ ହୋଇ ଭଗବାନ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ବରଙ୍କ ଶରଣାପନ୍ନ ହୋଇ ସମାଧାନ ପାଇଁ ପ୍ରାର୍ଥନା କରିଥିଲେ। ସେହି ସମୟରେ ଉକ୍ତ ତିନି ଭଗବାନଙ୍କ ଦ୍ୱାରା ଚନ୍ଦ୍ରଘଣ୍ଟାଙ୍କ ଅବତରଣ ହୋଇଥିଲା ଏହି ମହିମଣ୍ଡଳକୁ। ଏହାପରେ ସମସ୍ତ ଦେବତାଗଣ ତାଙ୍କର ସର୍ବଶ୍ରେଷ୍ଠ ଅସ୍ତ୍ରମାନ ମା’ଙ୍କୁ ପ୍ରଦାନ କରିଥିଲେ।
ଭଗବାନ ଶଙ୍କର ତାଙ୍କର ତ୍ରିଶୂଳ,ଭଗବାନ ବିଷ୍ଣୁ ତାଙ୍କର ଚକ୍ର, ଇନ୍ଦ୍ର ତାଙ୍କର ଘଣ୍ଟା ଏବଂ ଭଗବାନ ସୂର୍ଯ୍ୟ ତାଙ୍କର ତେଜ ଆଉ ତଲବାର ସହ ବାହାନ ଭାବରେ ସିଂହଙ୍କୁ ପ୍ରଦାନ କରନ୍ତି। ଏହାକୁ ପ୍ରାପ୍ତ ପରେ ମା’ଚନ୍ଦ୍ରଘଣ୍ଟା ମହିଷାସୁରକୁ ବଧକରି ଦେବତା ମାନଙ୍କୁ ରକ୍ଷା କରିଥିଲେ। ତେଣୁ ଏହି ନବରାତ୍ର ପାର୍ବଣ ସମୟରେ ମା’ଙ୍କୁ ଶ୍ରଦ୍ଧା, ଭକ୍ତିପୂର୍ବକ ପୂଜାର୍ଚ୍ଚନା କରାଯିବା ଦ୍ୱାରା ଶତ୍ରୁକଷ୍ଟ ନିବାରଣ ହେବା ସହ ଉତ୍ତମ ଭାବରେ ଜୀବନ ଅତିବାହିତ ହୁଏ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଏହି ସମୟରେ ମା’ଙ୍କର ଏହି ଦିବ୍ୟରୁପରେ ଦର୍ଶନ ଦେଉଥିବା ଯୋଗୁଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହୋଇଥାଏ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *