October 16, 2024
Home » ସୁରଥ ନାଏକ ହତ୍ୟା ଘଟଣା,ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ,ଜମିବାଡ଼ିକୁ କେନ୍ଦ୍ର କରି ହୋଇଥିଲା ବିବାଦ

ସୁରଥ ନାଏକ ହତ୍ୟା ଘଟଣା,ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ,ଜମିବାଡ଼ିକୁ କେନ୍ଦ୍ର କରି ହୋଇଥିଲା ବିବାଦ

0

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ଗ୍ରାମର ସୁରଥ ନାଏକ (୫୫) ହତ୍ୟା ଘଟଣାରେ ଶୁକ୍ରବାର ପୁଲିସ ପକ୍ଷରୁ ପର୍ଦ୍ଦାଫାଶ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଫୁଲଚରା ଗ୍ରାମର ନିରାକାର ଖଣ୍ଡାୟତ (୪୫)କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି। ଏହି ଘଟଣାର ସିନ-ରିକ୍ରିଏସନ୍ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ପୂର୍ବରୁ ଥିବା ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସ୍ପଷ୍ଟ କରିଛି। ଗତକାଲି ରାତି ପ୍ରାୟ ସାଢେ଼ ଆଠଟା ସମୟରେ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ଏସଡିପିଓ ବାସୁଦେବ ଛତ୍ରିଆ ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ମୃତକ ସୁରଥଙ୍କୁ ଗାମୁଛାରେ ଭିଡ଼ି ଅଭିଯୁକ୍ତ ନିରାକାର ହତ୍ୟା କରିବା ସହ ପିନ୍ଧିଥିବା ଗାମୁଛା ଓ ଲୁଙ୍ଘିକୁ ଅନ୍ୟ ଏକ ସ୍ଥାନରେ ଲୁଚେଇ ଦେଇଥିବା ଓ ମୃତକଙ୍କୁ ସେଠାରେ ଥିବା ଏକ କୂଅରେ ପକାଇ ଦେଇଥିବା ସେ ସୂଚନା ଦେଇଥିଲେ। ଅଭିଯୁକ୍ତଙ୍କ ଝିଅ ବବିନାକୁ ମୃତକଙ୍କ ପୁତୁରା ସୁବାସ ନାଏକ ନେଇଯାଇଥିବାରୁ ମଧ୍ୟ ଉଭୟ ପରିବାର ମଧ୍ୟରେ ବିବାଦ ରହିଥିଲା ଓ ଏହା ମଧ୍ୟ ଏକ କାରଣ ବୋଲି ସେ ସୂଚନା ଦେଇଥିଲେ। ଘଟଣା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯିବ ବୋଲି ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରୁ ସୁରଥ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବାକୁ ଯାଇ ସ୍ଥାନୀୟ ହରିହର ଯୋର ନିକଟରୁ ତାଙ୍କ ଚପଲ ଓ ଘୋଷାଡି ନେଇଥିବାର ଚିହ୍ନ ଦେଖିଥିଲେ। ପରିବାର ଲୋକେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ଅପହରଣ କିମ୍ବା ହତ୍ୟା କରାଯାଇଥିବା କଥା ସନ୍ଦେହ ପ୍ରକାଶ କରିଥିଲେ। ମୃତ ସୁରଥ ନାଏକଙ୍କ ପୁତ୍ର ଦୟାନିଧି ନାଏକଙ୍କ ଅଭିଯୋଗକୁ ଭିତ୍ତିକରି ରାତ୍ରୀ ପ୍ରାୟ ୨ଟା’ ସମୟରେ ଥାନାରେ ମାମଲା (୨୨୦/୨୪) ରୁଜୁ ହୋଇଥିଲା। ଅଭିଯୋଗରେ ବିଜେଡ଼ି ଦଳର ଜଣେ ଆଗ ଧାଡ଼ିର ନେତା ନୂଆଗଡ ଗ୍ରାମର ରଞ୍ଜିତ ରଥ, ଫୁଲଚରା ଗ୍ରାମର ନିରାକାର ଖଣ୍ଡାୟତ (୪୫) ଓ ଶୋଭାକର ଖଣ୍ଡାୟତ ସୁରଥକୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୀଡ଼ିତ ପରିବାରକୁ ଶୀଘ୍ର ନ୍ୟାୟ ପ୍ରଦାନ ଓ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରି ତାଙ୍କ ପରିବାର, ଗ୍ରାମବାସୀ ଓ ବିଜେପି କର୍ମୀ ଗୁରୁବାର ସକାଳୁ ପ୍ରାୟ ୬ ଘଣ୍ଟା ଧରି ରାସ୍ତାରୋକ ମଧ୍ୟ କରିଥିଲେ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ସେହି ବାଟଦେଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ସମୟରେ ପରିବାର ଲୋକେ ତାଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଶୀଘ୍ର ଘଟଣାର ଉପଯୁକ୍ତ ଅନୁସନ୍ଧାନ କରିବା ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ଓ ତାହା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ତେଣେ ବହୁତ ଖୋଜାଖୋଜି ପରେ ଅପରାହ୍ନରେ ସୁରଥଙ୍କ ମୃତଦେହ ଫୁଲଚରା ଗ୍ରାମଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ହରିହର ଯୋର ମୁହାଣ ନିକଟରେ ଥିବା ଏକ କୂଅରୁ ମୃତଦେହ ଉଦ୍ଧାର ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଥାନା ଅଧିକାରୀ ଶୋଭାକର ସେଠ ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ଜଣାଯାଇଛି। ଗତକାଲି ଅପରାହ୍ନରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ଡ୍ୟନଦେଓ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *