February 10, 2026
Home » ସୋଆ ଏସ୍‌ଏଚ୍‌ଏମ୍ ରେ ଅମୁଲ୍ କୁକିଙ୍ଗ ପ୍ରତିଯୋଗିତା -୨୦୨୫

ସୋଆ ଏସ୍‌ଏଚ୍‌ଏମ୍ ରେ ଅମୁଲ୍ କୁକିଙ୍ଗ ପ୍ରତିଯୋଗିତା -୨୦୨୫

0
amul cooking competition

ଭୁବନେଶ୍ୱର, ମଇ ୩୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍ )ରେ ଏସ୍‌ଏଚ୍‌ଏମ୍‌, ଅମୁଲ୍ ଇଣ୍ଡିଆ ଓ ୱାର୍ଲ୍ଡ ଟ୍ରେଡ୍ ସେଂଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅମୁଲ୍ କୁକିଙ୍ଗ – ୨୦୨୫ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର କର୍ମଜୀବି ମହିଳା, ଗୃହଣୀ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରୁ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ରୋଷେଇ ପ୍ରତି ରୁଚି ରଖିଥିବା ପ୍ରତିଭା ଓ ଦକ୍ଷତାକୁ ଉତ୍ସାହିତ କରିବା ନିମନ୍ତେ ଏହି ରୋଷେଇ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।
‘ଫ୍ରମ ଟେବୁଲ ଟୁ ଟ୍ରେଡ୍‌’ ପ୍ରସଙ୍ଗ ରହିଥିବା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଅମୁଲ୍‌ର ଯେକୌଣସି ଉତ୍ପାଦକୁ ବ୍ୟବହାର କରି ସୁସ୍ୱାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଏସ୍‌ପିଏଆର୍‌ସି ପ୍ରାଇଭେଟ୍ ଲିମିଟେଡ୍‌ର କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ ଶ୍ରୀମତି ଶୁଭ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଓ ଦକ୍ଷତା ଗୁଡିକର ବିକାଶ କରିବା ସହ ନିଜର ଲକ୍ଷ୍ୟ ଓ ସ୍ୱପ୍ନକୁ ପୂରଣ କରିବା ଦିଗରେ ପ୍ରଚେଷ୍ଟା କରିବା ଜରୁରୀ ବୋଲି ସେ ପ୍ରତିଯୋଗୀମାନଙ୍କୁ ଆହ୍ୱାନ ଦେଇଥିଲେ।
ସେହିପରି ଡବ୍ଲ୍ୟୁଟିସି ଭୁବନେଶ୍ୱର ମହିଳା ଫୋରମର ପରାମର୍ଶଦାତା ଡକ୍ଟର ରିନା ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରୋଷେଇ ହେଉଛି ଏକ କଳା। ମହିଳାମାନଙ୍କର ମଧ୍ୟରେ ବିଭିନ୍ନପ୍ରକାର ପ୍ରତିଭା ରହିଛି। ଆଜିକାଲି କେବଳ ମହିଳା ନୁହେଁ ବରଂ ପୁରୁଷମାନେ ମଧ୍ୟ ରୋଷେଇ କରିବାକୁ ଖୁବ୍ ପସନ୍ଦ କରନ୍ତି। ତେଣୁ ଏହି ଅଭିନବ ପ୍ରୟାସ ଦ୍ୱାରା ମହିଳାମାନେ ଭଲ ଉଦ୍ୟୋଗୀ ଏବଂ ସେଫ୍ ହୋଇପାରିବେ ବୋଲି ଡକ୍ଟର ରାଉତରାୟ କହିଥିଲେ।
ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅମୁଲ୍ ଇଣ୍ଡିଆର ଭୁବନେଶ୍ୱର ଜୋନର ଜୋନାଲ ଇନ୍‌ଚାର୍ଜ ଶ୍ରୀ ବିଶ୍ୱଜିତ୍ କୁମାର ଯୋଗ ଦେଇ ଏଭଳି ସ୍ୱତନ୍ତ୍ର ପ୍ରୟାସ ଦ୍ୱାରା ମହିଳାମାନେ ବେଶ ଉପକୃତ ହୋଇପାରିବେ ବୋଲି କହିଥିଲେ।
ସୋଆ ଏସ୍‌ଏଚଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଡବ୍ଲ୍ୟୁଟିସି ଭୁବନେଶ୍ୱର ମହିଳା ଫୋରମର ସଂଯୋଜକ ଶ୍ରୀମତି ଜ୍ୟୋସ୍ନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସେଫ୍ ବିଶ୍ୱଜିତ୍ ମହରାଥୀ ମୁଖ୍ୟ ବିଚାରକ ଥିବା ବେଳେ ଶ୍ରୀମତି ପାୟଲ ରାଉତରାୟ ଓ ଏସ୍‌ଏଚ୍‌ଏମ୍‌ର ସେଫ୍ ସତ୍ୟ ଶୋଭନ ଲେଙ୍କାଙ୍କ ସମେତ ବିଭିନ୍ନ ଫ୍ରୁଡ ବ୍ଲଗରମାନେ ବିଚାରକ ଭାବେ ଯୋଗ ଦେଇ ସୁସ୍ୱାଦ୍ୟ ଖାଦ୍ୟକୁ ପରଖିବା ସହ ଖାଦ୍ୟ ପରିବେଷଣର ଶୈଳୀ ଏବଂ ଉପସ୍ଥାପନା ଉପରେ ଅନୁଧ୍ୟାନ କରି କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *