ସୋନପୁର ରେ ବିଶ୍ୱ କବିତା ଦିବସ ପାଳିତ, ଶ୍ରୀରାଧାର କବି ରମାକାନ୍ତ ରଥଙ୍କ ସ୍ମୃତିଚାରଣ, କୋସଲି ଶ୍ରୀରାଧାରୁ କବିତା ପାଠ l
ସୁବର୍ଣ୍ଣପୁର : ବିଶ୍ୱ କବିତା ଦିବସ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣସ୍ୱର ଏବଂ ତନୁଶାନ୍ ପରିବାରର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ସୋନପୁରସ୍ଥିତ କନଫରେନ୍ସ ହଲ୍ଠାରେ ଅନୁଷ୍ଠାନର ସଭାପତି ଶ୍ରୀଧର ବାଗ୍ଙ୍କ ଅଧ୍ୟକ୍ଷତାରେ ବିଶ୍ୱ କବିତା ଦିବସ ପାଳିତ ହୋଇଯାଇଛି । ସରସ୍ବତୀ ସମ୍ମାନରେ ସମ୍ମାନୀତ ପଦ୍ମ ଭୂଷଣ କବି ରମାକାନ୍ତ ରଥଙ୍କ ପ୍ରତି ସମର୍ପିତ ଏହି ବିଶ୍ୱ କବିତା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଡଃ. ଇତିଶ୍ରୀ ଦାସ୍, ଅଧ୍ୟାପିକା, ସୋନପୁର ମହାବିଦ୍ୟାଳୟ ଯୋଗଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ସୁଦାମ ନାଏକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କବି ରମାକାନ୍ତ ରଥଙ୍କ ଜୀବନୀ ଏବଂ ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ବିଷୟରେ ଆଲେଚନା ରଖିଥିଲେ । ଏହି ଅବସରରେ ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବେ ଡଃ. ରାମଚନ୍ଦ୍ର ବାଗ୍, ଅଧ୍ୟକ୍ଷ ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ସୋନପୁର ଓ ଶାନ୍ତନୁ କୁମ୍ଭକାର,ବରିଷ୍ଠ ଶିକ୍ଷା ଅଧିକାରୀ ମଞ୍ଚାସୀନ କବି ରମାକାନ୍ତ ରଥଙ୍କ ପ୍ରଶାସନିକ ଓ ସାହିତ୍ୟିକ ଦକ୍ଷତା ସମ୍ପର୍କରେ ଆଲୋକପାତ କରି ଥିଲେ । ସଭା ପ୍ରାରମ୍ଭରେ କବିଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପରେ ଦିବଂଗତ କବିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭା ପରେ ପରେ କବି ରମାକାନ୍ତ ରଥଙ୍କ ପ୍ରତି ସମର୍ପିତ ଏକ କବିତା ପାଠ ପର୍ବ ଅନୁଷ୍ଠିତ ହୋଇଥିଲା । ଐଥିରେ କବି ଶ୍ରୀଧର ବାଗ୍ଙ୍କ ଅନୂଦିତ କୋସଲି ଶ୍ରୀରାଧା ର କବିତା ଗୁଡ଼ିକୁ କବି ଲକ୍ଷ୍ମୀନାରାୟଣ ସାହୁଙ୍କ ସଂଯୋଜନାରେ ଆବୃତ୍ତି କରିଥିଲେ କବି ରଞ୍ଜିତା ପଣ୍ଡା, ଡଃ. ଇତିଶ୍ରୀ ଦାସ୍, ସସ୍ମିତା ମେହେର, ସନ୍ତୋଷିନୀ ନାୟକ, ସ୍ୱର୍ଣ୍ଣ ପ୍ରଭା ମହାପାତ୍ର,ସ୍ୱପ୍ନା ଶର୍ମିଷ୍ଠା ମିଶ୍ର, ସନ୍ତୋଷିନୀ ନନ୍ଦ, ଶ୍ରୀଧର ବାଗ୍, ଭାର୍ଜନ୍ ପ୍ରଧାନ,ରଞ୍ଜୁ ଅମାତ, ଲକ୍ଷ୍ମୀନାରାୟଣ ସାହୁ, ସୁବ୍ରତ କୁମାର ପଣ୍ଡା ଏବଂ ଦୋଳଗୋବିନ୍ଦ ପଣ୍ଡା । ଏହି ଅବସରରେ ସମସ୍ତଙ୍କୁ କବି ଶ୍ରୀଧର ବାଗ୍ ନିଜ କୋସଲି ଅନୁବାଦ ପୁସ୍ତକର ଗୋଟିଏ ଲେଖାଏଁ କପି ଓ ଉତ୍ତରୀୟ ପ୍ରତ୍ୟେକ କବିଙ୍କୁ ଉପହାର ସ୍ୱରୂପ ଭେଟି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ସମସ୍ତ ଗୁରୁ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବାରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅକ୍ଷୟ ବେରିଆ, ସସ୍ମିତା ଦେହେରୀ, ପ୍ରହଲ୍ଲାଦ ବିଶି,ରୀତା ଗ୍ଲୋରିଆ ଏକ୍କା, ନବୀନ ବାଗ୍, ସୁଶାନ୍ତ ଭୋଇ ଏବଂ ରାମଜୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସନ୍ତୋଷିନୀ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
