ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ
ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପତୁଆରିଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ, ଖାଦ୍ୟ ସୁରକ୍ଷା, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ / ରାଷ୍ଟ୍ରୀୟ କୈଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ / ଏଲ.ଏଲ.ଆଇ.ଏନ ମଶାରୀ ବଣ୍ଟନ ଏବଂ ଦମନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଗୁଣୁପୁର ଉପଜିଲ୍ଲାପାଳ କିରଣଦୀପ ସହାଟେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା .ମମତା ସାହୁ , ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭିବିଡ଼ି) ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି, ଜିଲ୍ଲା ଚିକିତ୍ସାଧିକାରୀ ଡା .ପ୍ରଫୁଲ୍ଲ କୁମାର ପାଢ଼ୀ ଙ୍କ ସମେତ ବିଭାଗୀୟ ଅଧିଆକାରୀ ମାନେ ଉପସ୍ଥିତ ଥିଲେ |
ଉକ୍ତ ବୈଠକରେ ପ୍ରଥମେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବିଷୟରେ ଆଲୋଚନା କରାଯାଇଥିଲା, କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ମୁନିଗୁଡା ବ୍ଲକରେ ଆସନ୍ତା ୧୮ ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ହେବ ।ଏହି ସମୟରେ ଆଶା ଦିଦି ମାନେ ଘରକୁ ଘରକୁ ବୁଲି ୨ ବର୍ଷରୁ ଉର୍ଧ୍ଵ ସମସ୍ତ ଲୋକଙ୍କୁ ଦର୍ଶନ ମାଧ୍ୟମରେ ପରୀକ୍ଷ କରି ସନ୍ଦେହାତ୍ମକ ବ୍ୟକ୍ତିମାନଙ୍କୁ ସରକାରୀ ଡାକ୍ତରଖାନାକୁ ରୋଗ ନିଦାନ କରିବା ପାଇଁ ପ୍ରେରଣ କରିବେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।
ଖାଦ୍ୟ ନିରାପତ୍ତା ଉପରେ ହୋଇଥିବା ଆଲୋଚନା ସମୟରେ ଜିଲ୍ଲାପାଳ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ଜିଲ୍ଲାରେ ଅଧିକରୁ ଅଧିକ ଚଢ଼ାଉ, ଅଧିକ ମାତ୍ରାରେ ଜୋରିମାନା ଆଦାୟ କରିବା ନିମନ୍ତେ ନିର୍ଦେଶ ଦେବା ସହ ଖାଦ୍ୟ ନମୁନା ଅଧିକ ମାତ୍ରାରେ ସଂଗ୍ରହ କରି ବେଆଇନ ଭାବେ ଚଳାଉଥିବା ଖାଦ୍ୟ ଅନୁଷ୍ଠାନ ଗୁଡିକ ଉପରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ କହିଥିଲେ ।
ଏହା ପରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ / ରାଷ୍ଟ୍ରୀୟ କୈଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ / ରାଷ୍ଟ୍ରୀୟ କୈଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ସରକାରୀ ତଥା ସେଵାଶ୍ରମ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସରକାରୀ ନିର୍ଦେଶାବଳୀ ଅନୁସାରେ ନିୟମିତ ଭାବେ କରାଯାଉଅଛି । କୈଶୋର ସ୍ୱାସ୍ଥ୍ୟ ମାଧ୍ୟମରେ ସମସ୍ତ କିଶୋର ଓ କିଶୋରୀ ମାନଙ୍କୁ ନିକଟସ୍ଥ ଶ୍ରଦ୍ଧା କ୍ଲିନିକ ରେ ପରାମର୍ଶ ପ୍ରଦାନ କରାଯାଉଛି । ନିକଟରେ ସମସ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଙ୍କୁ ସ୍କୁଲ ସ୍ୱାସ୍ଥ୍ୟ ଆମ୍ବାସଡର ଭାବେ ତାଲିମ ପ୍ରଦାନ କରାଯାଉଅଛି ।
ପରିଶେଷରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ / ଏଲ.ଏଲ.ଆଇ.ଏନ ମଶାରୀ ବଣ୍ଟନ ଏବଂ ଦମନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଆସନ୍ତା ବର୍ଷ ଫେବୃଆରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ରାୟଗଡା ଏବଂ ଗୁଣୁପୁରୁ ବ୍ଲକର ଗ୍ରାମାଞ୍ଚଳ, ଗୁଡାରି ବିଜ୍ଞାପିତ ଅଂଚଳ , ବିଷମକଟକ , ମୁନିଗୁଡା ଓ ପଦ୍ମପୁର ବ୍ଲକର ଦୁଇ ବର୍ଷରୁ ଊର୍ଧ୍ୱ ସମସ୍ତ ଜନସାଧାରଣଙ୍କୁ ଫାଇଲେରିଆ ବଟିକା ଖୁଆଯିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲା ରେ ମୋଟ ୬,୩୭,୮୬୬ ସଂଖ୍ୟକ ଏଲ.ଏଲ.ଆଇ.ଏନ ମଶାରୀ ପ୍ରତ୍ୟେକ ଘରକୁ ଆଶା/ ଅଙ୍ଗନବାଡି ବା ଗାଁ କଲ୍ୟାଣ ସମିତି ଦ୍ୱାରା ବଣ୍ଟାଯିବ । ଏହି ଏଲ.ଏଲ.ଆଇ.ଏନ ମଶାରୀକୁ ନିୟମିତ ବ୍ୟବହାର କରିବା ନିମନ୍ତେ ଜିଲ୍ଲାପାଳ ରାୟଗଡା ଜିଲ୍ଲାର ସମସ୍ତ ଜନ ସାଧାରଣଙ୍କୁ ନିବେଦନ କରିଥିଲେ ।
rayagada ru tirumala prasad pattanayak