August 27, 2025
Home » ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଦାବିରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଦାବିରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

0
WhatsApp Image 2025-08-14 at 5.43.07 PM

ପୂର୍ବ ସରକାର ରାଜ୍ୟର ହସ୍ତଶିଳ୍ପ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଅଧୀନରେ ରାଜ୍ୟର ମାତ୍ର ୧୫୦୦ରୁ ପାଖାପାଖି ବରିଷ୍ଠ ବୁଣାକାର ମାସିକ ଦୁଇ ହଜାର ଟଙ୍କା ପାଉଛନ୍ତି । ହେଲେ ପରିତାପର ବିଷୟ ଏଯାବତ ଜଣେ ହେଲେବି ହସ୍ତଶିଳ୍ପୀ ଏହି ଯୋଜନାରୁ ଉପକୃତ ହୋଇନାହାନ୍ତି । ଯୋଜନାରେ କିନ୍ତୁ କଳାକାରଙ୍କ ଭଳି ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ବୁଣାକାର ଏବଂ ହସ୍ତଶିଳ୍ପୀ ଏହି ଯୋଜନାର ଲାଭାର୍ଥୀ ହୋଇପାରିବେ ବୋଲି ସରକାରୀ ନିୟମ ରହିଛି । ଠିକ ସେହିଭଳି ଓଡିଶା ଶିଳ୍ପୀ ମହାସଂଘର ପ୍ରଗାଢ ଉଦ୍ୟମ ବଳରେ ଗଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ରାଜ୍ୟ ସରକାର ଗଠନ କରୁନାହାନ୍ତି । ଖଣ୍ଡଗିରି ନିକଟରେ ପରିଷଦର କାର୍ଯ୍ୟାଳୟ ରହିଥିବାବେଳେ ବୋର୍ଡ ଗଠନ ହୋଇନଥିବାରୁ ପରିଷଦ ବର୍ଷେ ହେବ ନିଷ୍କ୍ରିୟ ହୋଇ ପଡିରହିଛି । ଇତି ମଧ୍ୟରେ ନୂତନ ସରକାରକୁ ବର୍ଷେ ପୁରି ସାରିଥିବାବେଳେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିରବ ରହିଛି । ଓଡିଶା ଶିଳ୍ପୀ ମହାସଂଘର ବାରମ୍ବାର ଦାବି ସତ୍ତ୍ୱେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିିବାଦରେ କାରିଗର ବହୁଳ ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଗଢି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ନିଷ୍ପତ୍ତି ନେଇଛି । ଏହି କ୍ରମରେ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଏବଂ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରର ବଜେଟକୁ ୫ହଜାର କୋଟି ଟଙ୍କା କୁ ବୃଦ୍ଧି କାରିବା ଦାବି ରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ସମାବେଶରେ ସାମିଲ ହୋଇଥିବା କାରିଗର ଓ ବୁଣାକାରଙ୍କ ଦାବି ଥିଲା, ପୂର୍ବ ସରକାର ସମୟରୁ ଲାଗୁ କରା ଯାଇଥିବା ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ମାସିକ ଆର୍ଥିକ ସହାୟତା ଯୋଜନାର ନିୟମାନୁଯାୟୀ ଯୋଗ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ପ୍ରଦାନ କରିବା । ମାସିକ ସହାୟତା ରାଶିକୁ ଦୁଇ ହଜାରରୁ ବୃଦ୍ଧି କରି ପାଞ୍ଚ ହଜାର କରିବା l ତତସହିତ କାରିଗରୀ ବା ବୁଣା କାମରେ ନିୟୋଜିତ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି ଯୋଜନାରେ ସାମିଲ କରାଯାଉ । ସୂଚନା ଥାଉକି, ଏହି ଯୋଜନାରେ କଳାକାରଙ୍କ ଭଳି ୪୦ ବର୍ଷରୁ ଉର୍ଦ୍ଧ୍ୱ ମହିଳା ଓ ୫୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ବୁଣାକାର ଏବଂ କାରିଗରଙ୍କୁ ମାସିକ ମାତ୍ର ୨ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି । ସେହିଭଳି ୨୦୧୮ ମସିହା ମାର୍ଚ୍ଚ ୨୨ ତାରିଖରେ ଉଦଘାଟିତ ହୋଇଥିଲା ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ । ଯାହାର କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ନିକଟରେ ରହିଛି । ରାଜ୍ୟ ସରକାର ଓ କାରିଗର ଏବଂ ବୁଣାକାରଙ୍କ ମଧ୍ୟରେ ସଂପର୍କର ସେତୁ ଭାବେ କାର୍ଯ୍ୟ କରି ଆସୁଥିବା ଏହି ପରିଷଦର ପରିଚାଳନା ବୋର୍ଡ ଗଠନ କରାଯାଉନଥିବାରୁ ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇ ପଡିଛି । ପରିଷଦର କାର୍ଯ୍ୟକାରୀ ବୋର୍ଡକୁ ପୁର୍ନଗଠନ ପୂର୍ବକ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯାଉ

। ସୁଚନା ଥାଉକି, ଏହି ପରିଷଦର ପରିଚାଳନା ବୋର୍ଡର ସଦସ୍ୟ ଭାବେ ରାଜ୍ୟର ବିଶିଷ୍ଟ ବୁଣାକାର ଓ କାରିଗର ରହିବେ ବୋଲି ବ୍ୟବସ୍ଥା ରହିଛି । ପୂର୍ବ ସରକାର ରେ ନିପୁଣ ଶିଳ୍ପୀ /ବୁଣାକାରଙ୍କ ଦରମା ବୃଦ୍ଧି, ପ୍ରଶିକ୍ଷାର୍ଥୀଙ୍କ ଭତ୍ତା ବୃଦ୍ଧି, ଦେଢଶହରୁ ଉର୍ଦ୍ଧ ହସ୍ତଶିଳ୍ପ ଗ୍ରାମ ବା ପୁଂଜର ଚିହ୍ନଟ ପାଇଁ ସାଇନ ବୋର୍ଡ ବ୍ୟବସ୍ଥା, ଶିଳ୍ପୀ ଓ ବୁଣାକାରଙ୍କ ପାଇଁ କର୍ମଶାଳା, ଉତ୍କଳିକା ମାଧ୍ୟମରେ ସାହାଣ ପଥର ଯୋଗାଣ ଓ ଖଣ୍ଡଗିରି ନିକଟରେ ପରିଷଦର କାର୍ଯ୍ୟାଳୟ ପ୍ରତିଷ୍ଠା ଆଦି ଅନେକ ନିଷ୍ପତି ନିଆଯାଇ ପାରିଥିଲା । ଦିନକୁ ଦିନ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସମସ୍ୟା ବଢି ଚାଲିଥିବାରୁ ଏହି ବିକାଶ ପରିଷଦ ସକ୍ରିୟ ହେବା ଅତ୍ୟନ୍ତ ଜରୁରୀ ଅଟେ । ଉତ୍କର୍ଷ କଳାର ରାଜ୍ୟ ଆମ ଓଡିଶା । କୃଷି ପରେ ଏକ ପ୍ରମୁଖ ସ୍ୱାବଲମ୍ବୀ କ୍ଷେତ୍ର ଭାବେ ଦଶ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଓଡିଶା ଅସ୍ମିତାର ପରିଚୟ ଆମ ଶିଳ୍ପୀ ଓ ବୁଣାକାର ଜାତି ଆମ ପାରଂପାରିକ କଳାକାରିଗରୀକୁ ବଞ୍ଚାଇ ଆସିବା ସହ ଆମ ରାଜ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର କାରିଗର ଓ ବୁଣାକାରଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସତ, ହେଲେ ଆନ୍ତରିକତାର ଅଭାବରୁ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଚି ପାରୁନାହିଁ। ପୂର୍ବ ସରକାର କରିଥିବା ଅନେକ ଯୋଜନା ବର୍ତ୍ତମାନ ସରକାର ଜାରି ରଖିଥିବାବେଳେ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ବୈମାତୃକ ଭାବକୁ ଓଡିଶା ଶିଳ୍ପୀ ମହାସଂଘ ଦୃଢ ନିନ୍ଦା କରିଛି । ଏହି ଦାବିପତ୍ର ପ୍ରଦାନ ସମୟ ରେ ସୁବର୍ଣ୍ଣପୁର ଜିଲ୍ଲାର ଶହଶହ କାରିଗର ଓ ବୁଣାକାର ସାମିଲ ହୋଇଥିବାବେଳେ ବ୍ଳକ ଛକରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଆସିଥିଲା । ମହାସଂଘର ରାଜ୍ୟ ସଂପାଦକ ପ୍ରିୟରଂଜନ କର, ପଶ୍ଚିମ ଓଡିଶା ମୁଖ୍ୟ ଗୈାର ରଣା, ସମ୍ବଲପୁର ଜିଲ୍ଲା ସଭାପତି ବିଶ୍ୱ ରଣା, ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ଗଦାଧର ରଣା, କୁଶ ସାହୁ, ମୁକୁନ୍ଦ ରଣା ପ୍ରମୁଖ ନେତୃତ୍ୱ ନେଇଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *