ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଗଲା ସୁଲଭ ପକ୍କା ଘର
ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଆଜି 176 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଗଲା ସୁଲଭ ପକ୍କା ଘର । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ । କେବଳ ପକ୍କା ଘର ନୁହେଁ, ବସ୍ତି ଛାଡି ନୂତନ ଘରେ ରହିବା ପାଇଁ ଯାହା ଯାହା ଆନୁସଙ୍ଗିକ ଆବଶ୍ୟକ, ସେଗୁଡିକ ଯୋଗାଇ ଦେବା ପାଇଁ ମଧ୍ୟ ବିଏମ୍ ସି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ।

ମୋଟ 5ଗୋଟି ବ୍ଲକରେ ଭେଙ୍କଟେଶ୍ୱର ବସ୍ତି, ମହାବୀର ବସ୍ତି, ତାରିଣୀ ବସ୍ତି, ଟିଟିଏସ ବସ୍ତି, ପାନ ବରଜ ବସ୍ତି, ନିକୋ ପାର୍କ ବସ୍ତି ସହ ବିଡିଏ ଦେଇଥିବା ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରାଯାଇଛି । ପ୍ରଥମେ ଦିବ୍ୟାଙ୍ଗମାନଙ୍କର ଲଟେରୀ ଉଠାଣ କରାଯାଇଥିଲା । ଏହି 176 ଜଣଙ୍କ ମଧ୍ୟରେ 25 ଜଣ ଦିବ୍ୟାଙ୍ଗ ରହିଥିଲେ । ତେବେ ସେମାନଙ୍କୁ ତଳ ମହଲା ପ୍ରଦାନ କରାଯାଇଛି । ତିନୋଟି ବ୍ଲକର ତଳ ମହଲାରେ ଥିବା ଗୃହଗୁଡିକ ମଧ୍ୟରେ ଲଟେରୀ ଉଠାଣ କରାଯାଇଥିଲା ।
ଏହି ଅବସରରେ ହିତାଧିକାରୀମାନଙ୍କୁ ଇନକମ୍ ସାର୍ଟିଫିକେଟ, ବ୍ୟାଙ୍କ ଋଣ, ପାନୀୟ ଜଣ ଯୋଗାଣ, ବିଦ୍ୟୁତ୍ ସଂଯୋଗ, ଗ୍ୟାସ୍ କନେକସନ, ସେମାନଙ୍କ ପାଠ ପଢୁଆ ପିଲାଙ୍କର ବିଦ୍ୟାଳୟ ପରିବର୍ତ୍ତନ ଆଦି ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
