January 7, 2026
Home » ୧୯ତମ ସ୍ଵନକ୍ଷତ୍ର ଅବସରରେ କୋଶଲଟାଇମର ପୂଜ୍ୟପୂଜା ଓ ସନ୍ଥଙ୍କର ପଦଧୌତ କାର୍ଯ୍ୟକ୍ରମ

୧୯ତମ ସ୍ଵନକ୍ଷତ୍ର ଅବସରରେ କୋଶଲଟାଇମର ପୂଜ୍ୟପୂଜା ଓ ସନ୍ଥଙ୍କର ପଦଧୌତ କାର୍ଯ୍ୟକ୍ରମ

0
WhatsApp Image 2026-01-06 at 1.50.46 PM

ପାକ୍ଷିକପତ୍ରିକା “କୋଶଲଟାଇମ”ର ୧୯ତମ ସ୍ଵନକ୍ଷତ୍ର ଦିବସ ଅବସରରେ ପୂଜ୍ଯପୂଜା ଏବଂ ସନ୍ଥମାନଙ୍କର ପଦପ୍ରକ୍ଷାଳନ କାର୍ଯ୍ୟକ୍ରମ ସ୍ଥାନୀୟ ଶିବାନନ୍ଦ ଆଶ୍ରମର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ “ପୂଜ୍ୟପୂଜା”ର ଧାରାରେ କୋଶଲଟାଇମ ଆନୁକୁଲ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ରିଡର୍ ପ୍ରଫେସର ନେତ୍ରଭାନୁ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜଣେ ବହୁମୁଖୀ ସାରସ୍ବତ ପ୍ରତିଭା ‌। ତାଙ୍କର ଅଧ୍ଯାପନା କାଳରେ ସେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ଯେତିକି ପରିଚିତ, ଅବସର ପରେ ସେ ଜଣେ ପ୍ରଖ୍ୟାତ ଗୀତାବାଚକ ଏବଂ ବ୍ଯାଖ୍ଯାକାର ଭାବରେ ପରିଚିତ । ଶ୍ରୀକୃଷ୍ଣଙ୍କ ମୁଖନିଃସୃତ ସମଗ୍ର ଭଗବତଗୀତାର ସାତଶହଟିଯାକ ଶ୍ଲୋକ ତାଙ୍କର କଣ୍ଠସ୍ଥ । ବର୍ତ୍ତମାନ ତାଙ୍କର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଲୋପ ପାଇଯାଇଥିବା ସତ୍ତ୍ବେ ସମଗ୍ର ଭଗବତଗୀତାର ବ୍ୟାଖ୍ୟା ତିନୋଟି ଭଲ୍ଯୁମରେ ସେ ପ୍ରକାଶିତ କରିଅଛନ୍ତି । ଦାରିଦ୍ର୍ୟ ଓ ଅନାଟନ ମଧ୍ୟରେ କାଳ କାଟି ବରଗଡ଼ ଜର୍ଜ ହାଇସ୍କୁଲ ୧୯୬୦ ମେଟ୍ରିକ୍ ବ୍ଯାଚର ଟପର ଚାରିଜଣଙ୍କ ମଧ୍ୟରେ ସ୍ଥାନ ହାସଲ ପୂର୍ବକ ବରଗଡ଼ ପଞ୍ଚାୟତ କଲେଜରୁ ସ୍ନାତକ ଏବଂ ରେଭେନ୍ସା କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ପଞ୍ଚାୟତ କଲେଜରେ ଉଦ୍ଭିଦ ବିଜ୍ଞାନର ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର ଛାତ୍ରବତ୍ସଳତା ଓ ଶିକ୍ଷାଦାନର ପଦ୍ଧତି ତାଙ୍କ ଛାତ୍ରମହଲରେ ତାଙ୍କୁ ଅତ୍ୟନ୍ତ ଶ୍ରଦ୍ଧାଭାଜନ କରିଥିଲା । ଉଦ୍ଭିଦ ବିଜ୍ଞାନରେ ଗଭୀର ଜ୍ଞାନ ଯୋଗୁଁ ନରସିଂହନାଥ ଜଙ୍ଗଲର ଔଷଧୀୟ ବୃକ୍ଷ ଚିହ୍ନଟ କରିବାରେ ମଧ୍ୟ ତାଙ୍କୁ ନିୟୋଜିତ କରାଯାଇଥିଲା । ଆଜି ମଧ୍ୟ ସେ ଗୀତା ଉପରେ ନିୟମିତ ଆଭାସୀ ବାଚନ ପ୍ରଦାନ କରୁଛନ୍ତି ।

ତାଙ୍କର ଏହି ଅମୂଲ୍ୟ ଯୋଗଦାନ ପାଇଁ କୋଶଲଟାଇମ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ସନ୍ଥ ସ୍ବାମୀ ବାଳହଂସଜୀ, ମହାରାଜ,ସ୍ବାମୀ ତେଜୋମୟାନନ୍ଦ ସରସ୍ବତୀ ସ୍ବାମୀ ନିତ୍ଯବୁଦ୍ଧାନନ୍ଦଜୀ ଏବଂ ଆଇଆଇଏମ୍, ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୈସ‌ଓ୍ବାଲ । ସମସ୍ତ ଅତିଥି ପ୍ରଫେସର ପ୍ରଧାନଙ୍କ କୃତିତ୍ଵର ଭୂୟସୀ ପ୍ରଶଂସା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁରେନ୍ଦ୍ର ହୋତା ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପ୍ରଫେସର ନେତ୍ରଭାନୁ ପ୍ରଧାନଙ୍କ ବ୍ୟକ୍ତିତ୍ବର ଆଲୋକିତ ଦିଗ ଉପରେ ଆଲୋକପାତ କରି କହ ଥିଲେ ଯେ, ପ୍ରଫେସର ପ୍ରଧାନ ତାଙ୍କର ଅଧ୍ୟାପକ ଭାବେ ନିଜେ ଲାଭ କରିଥିବା ଜ୍ଞାନକୁ ବାଣ୍ଟିବା ପାଇଁ କହୁଥିଲେ କାରଣ ଜ୍ଞାନକୁ ବଣ୍ଟନ ନ କଲେ ତାହା ପଚିଯାଏ । ଏହା ସହ ସେ କୋଶଲଟାଇମ ଏବଂ ସଂପାଦକ ସଞ୍ଜୀବ ମହାପାତ୍ରଙ୍କ ଗତାନୁକତିକତାରୁ ଭିନ୍ନ କାର୍ଯ୍ୟଧାରାକୁ ଭୁରି ଭୁରି ପ୍ରଶଂସା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତର ରଖି ପ୍ରଫେସର ପ୍ରଧାନ କହିଥିଲେ ଯେ ପ୍ରକୃତରେ ଅବସର ଜୀବନ ଉତ୍ତରଣର ସମୟ । ସେ ଗୀତାର ଜ୍ଞାନ ,କର୍ମ ଓ ଭକ୍ତି ଯୋଗ ଉପରେ ସମ୍ୟକ ବକ୍ତବ୍ୟ ରଖିଥିଲେ । ସ୍ବାମୀ ବାଳହଂସଜୀ ମହାରାଜ କହିଥିଲେ ଯେ ମଣିଷର ପ୍ରତ୍ୟେକ ଇନ୍ଦ୍ରିୟ ନିର୍ଦ୍ଦିଷ୍ଟ କାମ ପାଇଁ ପ୍ରଯୁଜ୍ୟ ଏବଂ ତାହାକୁ ଦୃଢ଼ ଭାବରେ ବିଚାରଶକ୍ତି ଦ୍ବାରା ନିୟନ୍ତ୍ରଣ କରାଯିବା ଉଚିତ। ଶିବାନନ୍ଦ ଆଶ୍ରମର ସଭାପତି ଅଚ୍ୟୁତାନନ୍ଦ ମହାପାତ୍ର ମଧ୍ୟ ପ୍ରଫେସର ପ୍ରଧାନଙ୍କ ବିଷୟରେ ଆଲୋକପାତ କରିବା ସହ ଏପରି ଏକ କାର୍ଯ୍ୟକ୍ରମ ଆଶ୍ରମ ପରିସରରେ ଅନୁଷ୍ଠିତ ହେବା ଅତ୍ୟନ୍ତ ସୌଭାଗ୍ୟପୂର୍ଣ୍ଣ ବୋଲି ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଦୃଷ୍ଟିବାଧିତ ଛାତ୍ର ମନୀଷ ତାଣ୍ଡି ଓ ରାଧା ଭୂମିକାରେ ଅଭିନୟ କରିଥିବା ଛାତ୍ରୀ ସାଇନା ପ୍ରଧାନ ଯଥାକ୍ରମେ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ‌‌। କ୍ରିଷ୍ଣାବିକାଶର ଛାତ୍ରୀ ମାନବିକା ପଣ୍ଡା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସ୍ବାଗତ ଭାଷଣ ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ର ଦେଇଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ସୋହେଲା କଲେଜର ପ୍ରାଧ୍ୟାପକ ଡ଼ ରମେଶ ଚନ୍ଦ୍ର ସୁପକାର । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କବୟିତ୍ରୀ ପ୍ରବାସିନୀ ହୋତା । ଶିକ୍ଷକ ଗଜେନ୍ଦ୍ର ଦାଶ ଶ୍ଲୋକାଚ୍ଚାରଣ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପଞ୍ଚାୟତ କଲେଜର ଅଧ୍ୟକ୍ଷ ନକୁଳ‌ ସେଠ । କାର୍ଯ୍ୟକ୍ରମରେ ଅଧ୍ୟାପକ ମୋହନ ସାହୁ, ଅଧ୍ଯାପିକା ଜୟଶ୍ରୀ ସାହୁ, ପ୍ରଣତି ପ୍ରଧାନ, ଅନୁପମା ଚାନ୍ଦ, ଆଶୁକବି ଜଟାଧାରୀ ପ୍ରଧାନ, ସୁଜାତା ସାହୁ, ନାରାୟଣ ଦାଶ, ନାଥ ପ୍ରଧାନ, ଆଇନଜୀବୀ ଶଙ୍କର୍ଷଣ ମିଶ୍ର, କୁଞ୍ଜବିହାରୀ ପଣ୍ଡା, ଗାୟତ୍ରୀ ପଣ୍ଡା, ଅଞ୍ଜନା ଚାନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *