July 1, 2025
Home » ୩୦ତମ ରାଜ୍ୟ ଜୁନିଅର ବାଳିକା ହ୍ୟାଣ୍ଡବଲ ଚାମ୍ପିଆନସିପ୍‌

୩୦ତମ ରାଜ୍ୟ ଜୁନିଅର ବାଳିକା ହ୍ୟାଣ୍ଡବଲ ଚାମ୍ପିଆନସିପ୍‌

0
WhatsApp Image 2024-12-30 at 12.35.47 PM

କେନ୍ଦୁଝରକୁ (୧୩-୦୫) ଗୋଲରେ ପରାସ୍ତ କରି ଗଞ୍ଜାମ ଚାମ୍ପିଆନ୍‌

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ଖେଳପଡିଆରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ୩୦ତମ ରାଜ୍ୟ ଜୁନିଅର ବାଳିକା ହ୍ୟାଣ୍ଡବଲ ଚାମ୍ପିଆନସିପ୍‌ ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ କେନ୍ଦୁଝର ଓ ଗଞ୍ଜାମ ଦଳ ମଧ୍ୟରେ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧରୁ ଉତ୍ତମ ଖେଳ ପ୍ରଦର୍ଶନ କରି ଗଞ୍ଜାମ ଦଳର ଖେଳାଳୀମାନେ ପ୍ରତିପକ୍ଷ କେନ୍ଦୁଝର ଉପରେ ଭାରି ପଡିଥିଲେ। ଶେଷରେ ଗଞ୍ଜାମ ଦଳ କେନ୍ଦୁଝରକୁ (୧୩-୦୫) ଗୋଲରେ ପରାସ୍ତ କରି ଚାମ୍ପିଆନ୍‌ ହୋଇଥିଲା। ତୃତୀୟ ସ୍ଥାନରେ ଯାଜପୁର ଓ ଜଗତସିଂପୁର ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ପ୍ରଦୀପ କୁମାରେ ଶତପଥି, ଜିଲ୍ଲା ବିଦ୍ୟାଳୟ କ୍ରୀଡା ନିରୀକ୍ଷକ ଭାଗିରଥୀ ସ୍ଵାଇଁ, ରାଜ୍ୟ ହ୍ୟାଣ୍ଡବଲ ସଂଘର ସମ୍ପାଦକ ମାନସ କୁମାର ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମଏଭି ସ୍କୁଲର ସମ୍ପାଦକ କୁମୁଦ ରଂଜନ ପାଢୀ, ଯୁବ ଉଦ୍ୟୋଗୀ ମିତେନ ଭୂୟାଁ, ଶୁଭ୍ରାଂଶୁ ପାଣିଗ୍ରାହୀ ଓ ଚିଫ୍‌ ରେଫେରୀ ଜିତୁ ପାଣି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣମେଣ୍ଟରେ ଉନ୍ନତ ଖେଳ ପ୍ରଦର୍ଶନ କରି ଗଞ୍ଜାମ ଦଳକୁ ଚାମ୍ପିଆନ କରିବାରେ ସହଯୋଗ କରିଥିବା ବରିଷ୍ଠ ଖେଳାଳୀ କେ.ଜ୍ୟୋତି ପାତ୍ରଙ୍କୁ ଟୁର୍ଣ୍ଣମେଣ୍ଟର ଶ୍ରେଷ୍ଠ ଖେଳାଳୀ ଏବଂ କେନ୍ଦୁଝର ଦଳର ଶ୍ରାବଣୀ ସେଠୀଙ୍କୁ ଶ୍ରେଷ୍ଠ ଗୋଲ ରକ୍ଷକ ଭାବେ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାରେ ରାଜ୍ୟର ମୋଟ ୧୨ଟି ଜିଲ୍ଲାରୁ ଦୁଇଶହ ଖେଳାଳୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ନିକଟରେ କେନ୍ଦୁଝରରେ ଆୟୋଜିତ ହୋଇଥିବା ରାଜ୍ୟ ସବ୍‌ ଜୁନିଅର ବାଳକ ବିଭାଗ ପ୍ରତିଯୋଗିତାରେ ରନର୍ସ ଅପ୍‌ ହୋଇଥିବା ଗଞ୍ଜାମ ଦଳର ସମସ୍ତ ସଦସ୍ୟଙ୍କୁ ଅତିଥିମାନଙ୍କ ଦ୍ଵାରା ମେଡେଲ ପ୍ରଦାନ କରାଯାଇଥିଲା। ଦୁଇଦିନ ଧରି ଆୟୋଜିତ ଏହି ରାଜ୍ୟ ଚାମ୍ପିଆନସିପ ଆୟୋଜନରେ ରୋଟାରିଆନ ତଥା ପୂର୍ବ ସେନା ଅଧିକାରୀ ଲଳିତ ମଙ୍ଗରାଜ, ଆଇନଜୀବୀ ସୂର୍ଯ୍ୟ ନାରାୟଣ ଚୌଧୁରୀ, ବିରଳା ପ୍ରସାଦ ମାଝି, ଅଶୋକ କୁମାର ଶୁକ୍ଳା, ରାଜେଶ କୁମାର ସାହୁ ଓ ଦିନେଶ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଜିଲ୍ଲାର ସମସ୍ତ ପୂର୍ବତନ ତଥା ବରିଷ୍ଠ ଖେଳାଳୀଙ୍କ ସମେତ ଜିଲ୍ଲା ହ୍ୟାଣ୍ଡବଲ ସଂଘର କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ର ଓ ବହୁ ରେଫେରୀ ସହଯୋଗ କରିଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *