୭୮ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆସନ୍ତା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ୨୦୨୪ ସକାଶେ କୋରାପୁଟର ଜିଲ୍ଲାପାଳ ଶ୍ରୀଯୁକ୍ତ ୱି. କିର୍ତ୍ତି ୱାସନ (ଭା.ପ୍ର.ସେ)ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବୈଠକର ଆରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସ୍ଵରାଜ୍ୟ ଶିଶା ଉପସ୍ଥିତ ସଭ୍ୟ/ସଭ୍ୟା ମାନଙ୍କୁ ସ୍ଵାଗତ ଜଣାଇ ଚଳିତ ବର୍ଷ ଏହି ଜାତୀୟ ଉତ୍ସବ କିପରି ସରସ ସୁନ୍ଦର ହୋଇପାରିବ ସମସ୍ତଙ୍କ ମତାମତ ଗ୍ରହଣ କରିଥିଲେ । ଉକ୍ତ ଦିବସରେ ସହରରେ ରାମଧୂନ ଗାନ, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଛାତ୍ରଛାତ୍ରୀ ମାନଙ୍କ ଶୋଭାଯାତ୍ରା, ପ୍ୟାରେଡ୍ ,ଶାରିରୀକ କ୍ରୀଡା ଓ ପ୍ରଜ୍ଞାପନ ମେଢ ପ୍ରତିଯୋଗିତା, ରକ୍ତଦାନ ଶିବିର ମାନ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମୁଦାୟ ୨୫ ଗୋଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିବା ପାଇଁ ସ୍ଥିର କରାଯାଇଛି । ବିଭିନ୍ନ ବିଦ୍ୟାଳୟର ଛାତ୍ର,ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା, କୁଇଜ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଗଲା ।
ଏହି ଉତ୍ସବର ଗୁରୁତ୍ୱକୁ ଧ୍ୟାନରେ ରଖି କାର୍ଯ୍ୟକ୍ରମର ସବିଶେଷ ତଥ୍ୟକୁ ନେଇ ଜିଲ୍ଲାପାଳ ମଞ୍ଚ ପରିଚାଳନା, ପ୍ରଚାର, ସତେଜତା, ବସିବା ବ୍ୟବସ୍ଥା, ଆଇନ ଶୃଙ୍ଖଳା, ଜନ ନିରାପତ୍ତା, ଜଳ ଏବଂ ପରିମଳ ଦାୟିତ୍ୱ , ପରିଷ୍କାର ପରିଚ୍ଛନ୍ନତା, ପରିବହନ ଇତ୍ୟାଦି ସଂପୃକ୍ତ ବିଭାଗକୁ ବିଭିନ୍ନ ଭୂମିକା ଏବଂ ଦାୟିତ୍ୱ ପ୍ରଦାନ କରିଥିଲେ । ଏହି ଉତ୍ସବକୁ ସଫଳ କରିବା ପାଇଁ ପରସ୍ପର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଫଳତାର ସହ ଆୟୋଜନ କରିବା ନେଇ ଷ୍ଟେକହଲ୍ଡରଙ୍କ ମତାମତ ନିଆଯାଇଥିଲା । ଆଗାମୀ ୭୮ତମ ସ୍ୱଧୀନତା ଦିବସ ପାଳନର ସଫଳତା ସକାଶେ ସେ ସମସ୍ତଙ୍କ ସହଯୋଗ ପାଇଁ ଆହ୍ନନ କରିଥିଲେ । ମୁଖ୍ୟ ଉତ୍ସବ ପରେ ପରେ ସମଗ୍ର କାର୍ଯ୍ୟର ମୁଖ୍ୟ ଆକର୍ଷଣ ହେଲା ଓକିଲ ସଂଘ ବନାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ବଂଧୁତ୍ଵପୂର୍ଣ ଫୁଟବଲ୍ ମ୍ୟାଚ୍ ହେବ । ଏବଂ ସଂଧ୍ୟାରେ କୋରାପୁଟ ସାଂସ୍କୃତିକ ପରିଷଦ ଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ର,ଛାତ୍ରୀ ମାନଙ୍କ ମଧ୍ୟରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ସ୍ଥିର କରାଗଲା । ସେହିପରି ତା. ୧୪.୦୮.୨୦୨୪ ରିଖ ଦିନ କୋରାପୁଟ ସାହିତ୍ୟ ପରିବାର ଆନୁକୂଲ୍ୟରେ ଏକ କବିତା ଆସର ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଗଲା ।ଏହି ଅବସରରେ ସଦରମହକୁମା ସ୍ଥିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ଆଲୋକମାଳାରେ ସୁସଜ୍ଜିତ କରାଯିବା ପାଇଁ ସ୍ଥିର କରାଗଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ଲଲାଟ ରଂଜନ ସେଠୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକାର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ ଶ୍ରୀ ବେଣୁଧର ଶବର, ଜିଲ୍ଲା କ୍ରୀଡା ଅଧିକାରୀ, କୋରାପୁଟ ଶ୍ରୀ ଜ୍ଞାନଜିତ ତ୍ରିପାଠୀ, କୋରାପୁଟ ମୁନିସିପାଲଟିର ନିର୍ବାହୀ ଅଧିକାରୀ ଶ୍ରୀ ଦୁତିକୃଷ୍ଣ ପାତ୍ର, ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ, ସଂରକ୍ଷିକ ଆରକ୍ଷୀ ନିରୀକ୍ଷକ, ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ମାରକି କମିଟିର ସଭ୍ୟ, ଶିକ୍ଷକ, ଶିକ୍ଷ୍ୟୟିତ୍ରୀ, ସ୍ଥାନୀୟ ସମସ୍ତ ସାମ୍ବାଦିକ ପ୍ରଭୃତି ଯୋଗଦେଇ ନିଜର ମତାମତ ପ୍ରଦାନ କରିଥିଲେ। ପରିଶେଷରେ ଉପସ୍ଥିତ ସମସ୍ତ ସଭ୍ୟା,ସଭ୍ୟଙ୍କୁ କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧୀକାରୀ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଗଲା ।
କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )