ୱକ୍ଫ ବୋର୍ଡରେ ନୂଆ ନିଯୁକ୍ତି ଉପରେ ରୋକ୍; ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ୱକ୍ଫ ବୋର୍ଡରେ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ଓ୍ୱକ୍ଫ ଆଇନ ସଂଶୋଧନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ୭ ଦିନ ମଧ୍ୟରେ ଜବାବ ଦେବାକୁ ସଲିସିଟର ଜେନେରାଲ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ମେ’ ୫ ତାରିଖରେ ଧାର୍ଯ୍ୟ କରାଯାଇଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ନୂଆ ନିଯୁକ୍ତି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ୱାକଫ ମାମଲାରେ ଏତେ ସଂଖ୍ୟକ ଆବେଦନ ଉପରେ ବିଚାର କରିବା ସମ୍ଭବ ନୁହେଁ । କେବଳ ୫ଟି ଆବେଦନର ଶୁଣାଣି ହେବ ।
ଆଜିର ଶୁଣାଣି ସମୟରେ କୋର୍ଟ କ’ଣ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି…
ସିଜେଆଇ ସଞ୍ଜିବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିଲେ । ସେ କହିଛନ୍ତି, ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବା ପୂର୍ବରୁ, ସୁପ୍ରିମକୋର୍ଟ ବିଚାର କରିବା ଉଚିତ ଯେ ଏହାର ଫଳାଫଳ କ’ଣ ହେବ? ସରକାରଙ୍କ ଏହି ଯୁକ୍ତିକୁ କୋର୍ଟ ଖାରଜ କରିଦେଇଥିଲେ ।
ସିଜେଆଇ କହିଥିଲେ ଯେ, ଆମେ କହିଥିଲୁ ଆଇନରେ କିଛି ସକାରାତ୍ମକ ଜିନିଷ ଅଛି । ଏଥିରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରାଯାଇପାରିବ ନାହିଁ, କିନ୍ତୁ ଆମେ ଏହା ମଧ୍ୟ ଚାହୁଁନାହୁଁ ଯେ ବର୍ତ୍ତମାନ ପରିସ୍ଥିତି ଏପରି ପରିବର୍ତ୍ତନ ହେଉ ଯାହାର ପ୍ରଭାବ ପଡ଼ିବ । ସିଜେଆଇ କହିଛନ୍ତି ଯେ ଆମେ ଆମ ସାମ୍ନାରେ ଥିବା ପରିସ୍ଥିତିକୁ ଆଧାର କରି ଆଗକୁ ବଢ଼ୁଛୁ । ଆମେ ଚାହୁଁନାହୁଁ ଯେ ପରିସ୍ଥିତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଉ । ଆମେ ଏହି ଆକ୍ଟ ଉପରେ ରୋକ ଲଗାଉନାହୁଁ ।
ସରକାରଙ୍କ ପକ୍ଷରୁ, ଏସଜି ତୁଷାର ମେହେଟ୍ଟା କହିଛନ୍ତି, ମୁଁ ସମ୍ମାନ ଏବଂ ଚିନ୍ତାର ସହିତ କିଛି କହିବାକୁ ଚାହୁଁଛି । ଏହି କୋର୍ଟ ଏକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସ୍ଥଗିତାଦେଶ ବିଷୟରେ ବିଚାର କରୁଛି, ଯାହା ବିରଳ ଅଟେ । ସେ କହିଥିଲେ, ବ୍ୟକ୍ତିଗତ ସମ୍ପତ୍ତି ଏବଂ ଗାଁଗୁଡ଼ିକ ୱାକଫ ସମ୍ପତ୍ତିରେ ପରିଣତ ହୋଇଛି । ସେଥିପାଇଁ ଏହି ଆଇନ ଅଣାଯାଇଛି । ସେ କିଛି କାଗଜପତ୍ର ସହିତ ଉତ୍ତର ଦାଖଲ କରିବା ପାଇଁ କୋର୍ଟଙ୍କଠାରୁ ସମୟ ମାଗିଥିଲେ, ଯାହାକୁ କୋର୍ଟ ଗ୍ରହଣ କରିଥିଲେ । କୋର୍ଟ ସରକାରଙ୍କୁ ଜବାବ ଦାଖଲ ପାଇଁ ୭ ଦିନ ସମୟ ଦେଇଥିଲେ ।
ସୂଚନାଯୋଗ୍ୟ, ୱକ୍ଫ (ସଂଶୋଧନ) ବିଲ୍ ଗତ ଅଧିବେଶନରେ ସଂସଦରେ ପାରିତ ହୋଇଥିଲା । ଏହି ବିଲ୍ରେ ୱକ୍ଫ ସମ୍ପତ୍ତିର ପରିଚାଳନା, ନିୟନ୍ତ୍ରଣ ଏବଂ ପରିଦର୍ଶନ ସମ୍ପର୍କିତ ବିଭିନ୍ନ ସଂଶୋଧନ ପ୍ରସ୍ତାବ ରହିଛି । ତେବେ, ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଦେଖାଦେଇଛି । ବିଶେଷ କରି ମୁସଲମାନ ସଂଗଠନ ଏବଂ ରାଜନୈତିକ ଦଳମାନେ ଏହି ବିଲ୍ ମୁସଲମାନ ସମ୍ପ୍ରଦାୟର ଧାର୍ମିକ ଏବଂ ସମ୍ପତ୍ତି ଅଧିକାର ଉପରେ ଆଘାତ ହେବ ବୋଲି ଅଭିଯୋଗ କରିଛନ୍ତି ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
