February 22, 2025
Home » ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି । 250 କିଲୋମିଟର ଦୀର୍ଘ ଗୋପାଳପୁର-ରାୟଗଡା ନୂଆ ରେଳ ଲାଇନ ଓ ନୂଆପଡା-ଗୁଣୁପୁର-ଥେରୁବାଲି ରେଳ ଲାଇନର ଦୋହରୀକରଣ ପାଇଁ ଫାଇନାଲ ଲୋକେସନ ସର୍ଭେ ମଞ୍ଜୁର କରାଯାଇଛି। ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଓଡ଼ିଶା, ବିଶେଷକରି ଦକ୍ଷିଣ ଓଡିଶାରେ ରେଳ ଭିତ୍ତିଭୂମି ସହିତ ଅର୍ଥନୈତିକ ବିକାଶ ଆହୁରି ବ୍ୟାପକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଫୋକସ୍‍ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗ୍‍ଦର୍ଶନରେ ଓଡ଼ିଶା ବିକାଶର ଯେଉଁ ଲକ୍ଷ୍ୟ ରଖିଛି ତାହା ନିଶ୍ଚୟ ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦିଲ୍ଲୀ ଗସ୍ତରେ ଥିବା ସମୟରେ ଗତକାଲି କେନ୍ଦ୍ର ରେଳ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ନୂଆ ପ୍ରକଳ୍ପ ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡ଼ିକର ଆଲୋଚନା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଯୋଡ଼ା-ବଡ଼ବିଲ ଓ ଯୋଡ଼ା-ବରଷୁଆଁ ରେଳ ଲାଇନ୍‍ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ବଡ଼ବିଲ, ଯୋଡ଼ା ଓ କେନ୍ଦୁଝରକୁ ନେଇ ଏକ ଇଣ୍ଡଷ୍ଟ୍ରିଆଲ କରିଡର ନିର୍ମାଣ ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କରୁଛନ୍ତି, ସେଥିରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏହି ଦୁଇଟି ରେଳ ଲାଇନ ନିର୍ମାଣର ସମ୍ଭାବନା ମଧ୍ୟ ଉଜ୍ୱଳ ହୋଇଛି । ଏହାସହିତ ରାଜ୍ୟର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଦକ୍ଷିଣ ଓଡ଼ିଶାର ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ଅର୍ଥନୈତିକ ଅଭିବୃଦ୍ଧିରେ ରେଳ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ବିକାଶର ଗତି ବହୁଗୁଣିତ ହେବା ସହିତ ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ, ଏହି ଦୁଇଟି ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସକରାତ୍ମକ ଦୃଷ୍ଟି ରଖି ପଦକ୍ଷେପ ନେଉଛନ୍ତି । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କର ସ୍ୱତନ୍ତ୍ର ଫୋକସ୍‍ ରହିଛି ବୋଲି ସେ କହିଥିଲେ । ଆଗାମୀ ୨୫ ବର୍ଷର ଅମୃତ କାଳରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ପରିକଳ୍ପନାରେ ଓଡ଼ିଶାକୁ ଦେଶର ଅର୍ଥନୀତିର ଇଞ୍ଜିନ ଭାବେ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ରେଳ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯାଉଛି ବୋଲି ସେ କହିଥିଲେ ।

ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଓଡ଼ିଶାରେ ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ୨୦୧୪ ରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୦୪୬ କି.ମି. ନୂଆ ରେଳ ଲାଇନ ନିର୍ମାଣ ହୋଇ ସାରିଛି ଯାହା କି ମାଲେସିଆର ସମ୍ପୂର୍ଣ୍ଣ ରେଳ ନେଟୱର୍କ ଠାରୁ ଅଧିକ ।

ଶ୍ରୀ ବୈଷ୍ଣବ କହିଥିଲେ ଯେ ଓଡ଼ିଶାର ଜନଜାତି ବହୁଳ ଓ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ରେଳ ଭିତ୍ତିଭୂମିର ବିକାଶ ଉପରେ କେନ୍ଦ୍ର ସରକାରଙ୍କ ଫୋକସ୍‍ ରହିଛି । ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ବର୍ତ୍ତମାନ ସୁଦ୍ଧା ୨୦ ହଜାର କୋଟି ଟଙ୍କାର ୮ ଟି ନୂଆ ରେଳ ଲାଇନ ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଥିବା ବେଳେ ୫୯ ଟି ରେଳ ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରାଯାଉଛି । ଏଥିରୁ ୧୬ ଟି ଷ୍ଟେସନ ଆକାଂକ୍ଷୀ ଜିଲ୍ଲାରେ ରହିଛି ବୋଲି ସେ କହିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ନିକଟରେ ରାୟଗଡ଼ା ଡିଭିଜନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଥିଲେ । ଆହୁରି ମଧ୍ୟ ଓଡ଼ିଶାରେ ବର୍ତ୍ତମାନ ୬ ଟି ବନ୍ଦେ ଭାରତ ଟ୍ରେନ୍‍ ଚାଲୁଛି ବୋଲି ସେ କହିଥିଲେ । ଆଗାମୀ ଦିନରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାରେ ଆହୁରି ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *