April 22, 2025
Home » ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ l

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ l

0

ଜଗତସିଂହପୁର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ଶୁଭାରମ୍ଭ ଜିଲ୍ଲାର ମୋଟ ୩୫ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଯାଇଛି |

ଆନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ କଟକର ବାଲିଯାତ୍ରା ପଡିଆରେ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ରାସାୟନିକ ସାର ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି |

ଏହି ଅନ୍ତର୍ଗତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ରାହାମା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟ ରେ ଅନୁଷ୍ଠିତ ହେଇଛି l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଶିଳ୍ପ ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଜ୍ୟ ସରକାର ସଦା ସର୍ବଦା ରାଜ୍ୟ ର ଅଧିବାସୀମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଦାୟିତ୍ୱଵାନ ଅଟନ୍ତି l ଏହି ପ୍ରରିପ୍ରେକ୍ଷୀରେ ଏହି ଯୋଜନା ସ୍ଵାସ୍ଥ୍ୟ ସେବା କୁ ଆଉ ପାଦେ ଆଗକୁ ନେବ ଓ ଲୋକେ ମାଗଣା ରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇପାରିବେ l ସେ ଆହୁରି ମଧ୍ୟ କହିଥିଲେ ଯେ, ଜିଲ୍ଲାରେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ lବ୍ୟକ୍ତିବିଶେଷ ମାନଙ୍କୁ ଏହି ଏକକ କାର୍ଡ ତାଙ୍କୁ ସେମାନଙ୍କ ଘରେ ନେଇ ଦିଆଯିବ l ତେଣୁ କେହି ବ୍ୟସ୍ତ ନହେବା ପାଇଁ ସେ ଉପଦେଶ ଦେଇଛନ୍ତି l

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଯୋଗଦେଇ କହିଥିଲେ ଯେ, ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କିଭଳି ସଫଳ ଓ ସୂଚାର ରୂପେ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର l ଏହି କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ନୋଡାଲ ଅଧିକାରୀ ଡ଼ା ଶ୍ରୀମତୀ ଶେଫାଳୀ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଶତୃଘ୍ନ ଦାଶ, ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ରଶ୍ମୀ ରଞ୍ଜନ ପଟ୍ଟନାୟକ, ତାଳପଦା ସରପଞ୍ଚ ପ୍ରମୁଖ ମଞ୍ଚାସୀନ ଥିଲେ।

ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟାଳୟ ସମେତ ୮ ଟି ବ୍ଲକ୍ ଓ ୨ ଟି ପୌର ପରିଷଦ ରେ ମୋଟ ୩୫ ଟି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜନ କରାଯାଇଛି l ସେଥିମଧ୍ୟରୁ ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମ ରେ ୧୦୦୦ରୁ ଉର୍ଦ୍ଧ୍ୱ ଲୋକ ସାମିଲ ହେଇଥିବା ବେଳେ ଜିଲ୍ଲାର , ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି l

ଜଗତସିଂହପୁର ବ୍ଲକ ର ଶାଳଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧୀକାରୀ ମାନଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ର ଏକକ କାର୍ଡ ବଣ୍ଟନ କରିବା ସହ ଆବଶ୍ୟକ ସ୍ଥଳେ ଏହାର ଉପଯୋଗ କରି ସ୍ୱାସ୍ଥ୍ୟ ସହାୟତା ପାଇବା ପାଇଁ ପରାମର୍ଶ ଦେଇଥିଲେ।

ସେହିପରି ତିର୍ତ୍ତୋଲ ବ୍ଲକ୍ ରେ ମାନ୍ୟବର ବିଧାୟକ, ତିର୍ତ୍ତୋଲ ଡ ରମାକାନ୍ତ ଭୋଇ, ବାଲିକୁଦା ଏରସମା ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାନ୍ୟବର ବିଧାୟକ ବାଲିକୁଦା ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା,ଜିଲ୍ଲା ମୁଖ୍ୟାଳୟ ରେ କଣ୍ଟାବଲ୍ଲଭପୁର ଶାନ୍ତି ଭଉଣୀ ମନ୍ଦିର ପଡ଼ିଆ ରେ ଜଗତସିଂହପୁର ବିଧାୟକ ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ,ପାରାଦ୍ଵୀପ ଜୟଦେବ ସଦନ ଠାରେ ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳ ଙ୍କ ସମେତ ଅନ୍ୟ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପ୍ରମୁଖ ଜନ ପ୍ରତିନିଧି ଓ ସ୍ଵାସ୍ଥ୍ୟ ବିଭାଗ କର୍ମକର୍ତ୍ତା ମାନେ ହିତାଧୀକାରୀ ମାନଙ୍କୁ କାର୍ଡ ବଣ୍ଟନ କରିଥିଲେ।

ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ୧୦ଲକ୍ଷରୁ ଉର୍ଦ୍ଧ ଜନସାଧାରଣଙ୍କୁ କାର୍ଡ ବଣ୍ଟନ କରାଯିବ l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫,୧୫,୬୧୭ ଟି କାର୍ଡ ପଂହଁଚିଛି l ପର୍ଯ୍ୟାୟ କ୍ରମେ ବଳକା କାର୍ଡ ଉପଲବ୍ଧ ହେବ l ସାଧାରଣ ଜନ ସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଂଚଳର ଆଶାକର୍ମୀ/ ବହୁମୁଖୀ ଜନସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ଗ୍ରାମ ସ୍ତରରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ l

ଏହି ଯୋଜନା ଅଧିନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ । ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କା, ଅର୍ଥାତ୍‌ ବାର୍ଷିକ ୧୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରାଯିବ । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ।

ଜିଲ୍ଲାରେ ୧୬ଟି ଘରୋଇ ହସ୍ପିଟାଲ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ( ଏ. ବି. ପିଏମ. ଜେ. ଏ. ୱାଇ – ଜି. ଜେ. ଏ. ୱାଇ ) ଯୋଜନାରେ ଅନୁବନ୍ଧିତ ଅଛନ୍ତି l ଏହାସହିତ ସାରା ଦେଶରେ ୨୯୦୦୦ ଘରୋଇ ଏବଂ ସରକାରୀ ହସ୍ପିଟାଲ ଏହି ଯୋଜନାରେ ତାଲିକାଭୁକ୍ତ ଅଛନ୍ତି l ନୂଆ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ବର୍ତ୍ତମାନର ସମସ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀ ତାଲିକାଭୁକ୍ତ ହସ୍ପିଟାଲରେ ନିଜର ଆଧାର କାର୍ଡ ସହିତ ବର୍ତ୍ତମାନର ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିତ୍ସା ପାଇପାରିବେ l ଏହି କାର୍ଡ ମାଧ୍ୟମରେ ଓଡ଼ିଶାର ହିତାଧିକାରୀ ଓଡ଼ିଶା ବାହାରେ ତଥା ସାରା ଭାରତ ବର୍ଷରେ ଏହି କାର୍ଡ କାର୍ଯ୍ୟରତ ଥିବା ଚିକିତ୍ସାଳୟରେ ନିଜ ନିଜ କାର୍ଡ ର ବ୍ୟବହାର କରି ସ୍ଵାସ୍ଥ୍ୟ ସେବା ପାଇପାରିବେ।

ଏହି ସମନ୍ଵିତ ଯୋଜନା ରେ ରାଜ୍ୟର ୧.୦୩ କୋଟି ପରିବାରର ୩.୦୬ କୋଟି ହିତାଧିକାରୀ ଉପକୃତ ହେବେ |

ଏହି ଯୋଜନାକୁ ଲୋକଙ୍କ ନିକଟକୁ ଅଧିକରୁ ଅଧିକ ପଂହଁଚେଇବା ପାଇଁ ଜିଲ୍ଲାରେ ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରାଇବ ଏହାସହିତ ଲିଫଲେଟ, ପୋଷ୍ଟର, ବ୍ୟାନର ଲଗାଯିବ ଏବଂ ପଂଚାୟତ ସ୍ତରରେ ଲୋକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଯିବ l ଯେପରି ଲୋକମାନେ ଏହି ଯୋଜନାର ଲାଭ ଉଠାଇପାରିବେ l
ଏହି ଯୋଜନା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହା ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଆହୁରି ଆଗକୁ ନେବା ସହ ଲୋକ ମାନଙ୍କୁ ଏକ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ନିଶ୍ଚିତ କରାଇବ l
ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପରେ କଟକ ସ୍ଥିତ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା।

ରିପୋଟ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *