ଭିଜିଲାନ୍ସ ଜାଲରେ ଆଇଏଏସ ଅଧିକାରୀ।

କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଧର୍ମଗଡ ଉପଜିଲ୍ଲାପାଳ।
ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଗିରଫ, କୋର୍ଟ ଚାଲାଣ କରିବ କଳାହାଣ୍ଡି ଭିଜଲାନ୍ସ….
ଧର୍ମଗଡ଼ ଉପ-ଜିଲ୍ଲାପାଳ ଧୀମାନ ଚକମା ଗିରଫ । ୨୦୨୧ ବ୍ୟାଚ ଆଇଏଏସ ଧୀମାନ ଚକମା ଗିରଫ କରିଛି ଭିଜିଲାନ୍ସ । ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ । ତେବେ ଧୀମାନ ଚକମାଙ୍କୁ ଆଜି କୋର୍ଟ ଚାଲାଣ କରିବ କଳାହାଣ୍ଡି ଭିଜଲାନ୍ସ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଜଶୱନ୍ତ ଜେଠୱା । ଗିରଫ ପରେ ତାଙ୍କୁ ଗୁରେଇ ତୁରେଇ ଜେରା କରିଥିଲା ଭିଜିଲାନ୍ସ ।
କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇଥିଲେ ଉପଜିଲ୍ଲାପାଳ।
ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା (ଆଇଏଏସ୍)ଙ୍କୁ ଭିଜିଲାନ୍ସ କାବୁ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଜୟପାଟଣା ବ୍ଲକ୍ ଆମଯୋର୍ ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରବିବାର ସନ୍ଧ୍ୟାରେ ଉପଜିଲ୍ଲାପାଳ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ତଲାସୀ ସମୟରେ ସରକାରୀ ବାସଭବନରୁ ଜବତ ହେଲା ନଗଦ ୪୭ଲକ୍ଷ ଟଙ୍କା
ଅଭିଯୋଗକାରୀଙ୍କୁ ଉପଜିଲ୍ଲାପାଳ ଧର୍ମଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଡାକି ଲାଞ୍ଚ ରାଶି ଯାଞ୍ଚ କରିଥିଲେ ଏବଂ ତାଙ୍କ ବାସଭବନ ଅଫିସ ଟେବୁଲ୍ ଡ୍ରୟର ଭିତରେ ରଖିଥିଲେ। ଭିଜିଲାନ୍ସ ଚଢ଼ଉ କରି ଉପଜିଲ୍ଲାପାଳଙ୍କ ହାତ ଧୋଇବା ଏବଂ ଟେବୁଲ ଡ୍ରୟର ଧୋଇବାରୁ ଉଭୟ ସକାରାତ୍ମକ ରାସାୟନିକ ପ୍ରତିକ୍ରିୟା ଦେଇଥିବା ଜଣାପଡ଼ିଛି।
ଏହା ପରେ ତାଙ୍କ ସରକାରୀ ବାସଭବନରେ ଯାଞ୍ଚ କରାଯିବା ବେଳେ ଆହୁରି ନଗଦ ୪୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏ ସମ୍ପର୍କରେ ଭିଜିଲାନ୍ସ ସେଲ୍ ପିଏସ୍ କେସ୍ ନମ୍ବର ୬/୨୦୨୫, ୭ପିସି ଆଇନ, ୧୯୮୮ ପିସି (ସଂଶୋଧନ) ଆଇନ, ୨୦୧୮ ଦ୍ୱାରା ପଞ୍ଜୀକୃତ ହୋଇଛି। ଘଟଣାର ଅଧିକ ତଦନ୍ତ ପାଇଁ ରାତିରେ ଶ୍ରୀ ଚକ୍ମାଙ୍କୁ ଭବାନୀପାଟଣା ଅଣାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ୨୦୨୧ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଶ୍ରୀ ଚକ୍ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ। ଅଗରତାଲା ଏନ୍ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ଶ୍ରୀ ଚକ୍ମା ୟୁପିଏସ୍ସି ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ଆଇଏଏସ୍ ୪୮୨ ରାଙ୍କ ପାଇଥିଲେ । ପୂର୍ବରୁ ଆଇଏଫଏସ୍ ପାଇଥିଲେ ଧୀମାନ ଚକମା । ବାରିପଦାରେ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟ କରିସାରିଛନ୍ତି । ଫରେଷ୍ଟ ଅଫିସର ଥିବାବେଳେ ଆଇଏଏସ୍ ପାଇଥିଲେ।
ଏପଟେ ଭିଜିଲାନ୍ସ ର ଏକ ଦଳ ଆଜି ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ବିଭିନ୍ନ ଫାଇଲ ପତ୍ର ଯାଞ୍ଚ କରିଛନ୍ତି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )