ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି କ୍ଷମା ପ୍ରାର୍ଥନା କରିଥିଲେକଂସ ଭୂମିକାରେ ଅଭିନୟ କରିଥିବା ସୁଶିଲ ମେହେର
କଂସ ବଦ୍ଧ ସହ ଶଷ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ତେବେ ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ ଧନୁଯାତ୍ରାର ପରମ୍ପରା ସରି ନାହିଁ। କାରଣ କଂସ ମହାରାଜ ଶ୍ରୀକ୍ଷେତ୍ର ରେ ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ଆସିଛନ୍ତି ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ। ଯାତ୍ରା ସମୟରେ ପ୍ରଭୃ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ କଟୁ ବାକ୍ୟ ପ୍ରୟୋଗ କରିଥିବାରୁ ଏବେ କ୍ଷମା ପ୍ରାର୍ଥନା ମାଗିଛନ୍ତି ମହାପ୍ରଭୁଙ୍କ ନିକଟରେ। ଏଥିାପଇଁ କଂସ ଭୂମିକାରେ ଅଭିନୟ କରିଥିବା ସୁଶିଲ ମେହେର ପ୍ରଥମେ ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ। ସେଠାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି କ୍ଷମା ପ୍ରାର୍ଥନା କରିଥିଲେ। ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ସମସ୍ତଙ୍କର ଭକ୍ତି ଏବଂ ଭଲପାଇବା ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ଶଙ୍କରାଚାର୍ଯ୍ୟ।

ପରେ ମହୋଦଧିରେ ସ୍ନାନ କରି ସୂର୍ଯ୍ୟପୂଜା କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦେଶ୍ୟରେ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି। ବିଶ୍ୱାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ସବୁ ପାପରୁ ମୋକ୍ଷ ମିଳିଥାଏ। ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣଙ୍କର ଅବତାର ହୋଇଥିବାରୁ କଂସ ମହାରାଜ ପ୍ରତିବର୍ଷ ପୁରୀକୁ ଆସି ପ୍ରାୟଶ୍ଚିତ କରିବାର ପରଂପରା ରହିଛି। ଏଣୁ କଂସ ମହାରାଜ ପୁରୀ ଆସି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ। ଶ୍ରୀଜୀଉଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ତେବେ ଯୁବ ସମାଜ ନିଜ ପିତା ମାତାଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ବୃଦ୍ଧ ଅବସ୍ଥାରେ ଘରେ ରଖିବାକୁ ପରାମର୍ଶ ଦେଇଛନ୍ତି। ବୃଦ୍ଧ କାଳରେ ପିତାମାତାଙ୍କ ସେବା କରିବା ସହ ସେମାନଙ୍କୁ କୌଣସି ବୃଦ୍ଧାଶ୍ରମକୁ ଛାଡ଼ନ୍ତୁ ନାହିଁ ବୋଲି କଂସ ମହାରାଜ ବାର୍ତ୍ତା ଦେଇଛନ୍ତି। ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ କଂସ ମହାରାଜଙ୍କ ଶ୍ରୀମନ୍ଦିର ଦର୍ଶନ ହେଉଛି ଧନୁଯାତ୍ରାର ଅନ୍ତିମ ପର୍ବ। ସବୁଠାରୁ ଶକ୍ତିଶାଳୀ କଂସ ମହାରାଜଙ୍କ ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ ହୋଇ ପ୍ରାୟଶ୍ଚିତ କରିବା ଧନୁଯାତ୍ରାର ଏକ ଅଭିନବ ପରପଂରା।
