୩ ନୂଆ ପାର୍କ ସହ ମ୍ୟୁଜିକାଲ ଫାଉଣ୍ଟେନକୁ ଲୋକାର୍ପିତ
ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ବିଡିଏ ଅଧକ୍ଷ ମାନ୍ୟବର ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ସୋମବାର ଭୁବନେଶ୍ୱରରେ ୩ ନୂଆ ପାର୍କ ସହ ଏପିଜେ ଅବଦୁଲ କଲାମ ପାର୍କ ଠାରେ ମ୍ୟୁଜିକାଲ୍ ଫାଉଣ୍ଟେନକୁ ଲୋକାର୍ପିତ କରିଛନ୍ତି।
ଉଦଘାଟନୀ ଉତ୍ସବରେ ମାନ୍ୟବର ଏକାମ୍ର ବିଧାୟକ, ବାବୁ ସିଂହ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟାକ୍ଷ ଡ଼. ଏନ୍. ତିରୁମାଲା ନାଏକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଏପିଜେ ଅବଦୁଲ କଲାମ ପାର୍କରେ ମ୍ୟୁଜିକାଲ ଫାଉଣ୍ଟେନ୍ ସୋ ଦେଖିବା ସହ ପାର୍କରେ ଦର୍ଶକଙ୍କ ସହ ଆଲୋଚନା କରିଥିଲେ।
ସହରର ଏକ ଅବ୍ୟବହୃତ ସ୍ଥାନକୁ ଉପଯୋଗ କରି କେ-୭ କଳିଙ୍ଗ ନଗର ପାର୍କ ମନୋରଞ୍ଜନ ଏବଂ ଆରାମ ପାଇଁ ଏକ ଜୀବନ୍ତ ପରିବେଶ ତିଆରି କରାଯାଇଛି। ୪.୭ ଏକରରେ ବ୍ୟାପ୍ତ, ଏହି ପାର୍କରେ ଫୁଲଶଯ୍ୟା ଏବଂ ଫଳବଗିଚା ରହିଛି, ଯାହା ପରିଦର୍ଶକମାନଙ୍କୁ ପ୍ରକୃତି ସହିତ ଜଡିତ ହେବା ପାଇଁ ଏକ ଅପୂର୍ବ ସୁଯୋଗ ଆଣିବ। ଅନୁରୂପ ଆଧୁନିକ ସୁବିଧାରେ ସୁସଜ୍ଜିତ ଶିଶୁ ଖେଳ ପଡିଆ ସୃଜନଶୀଳତାର ବିକାଶ କରିବା ସହ ଶାରୀରିକ ସୁସ୍ଥତା ବୃଦ୍ଧିରେ ମଧ୍ୟ ସହାୟକ ହେବ। ଏଠି ନିର୍ମିତ ଏକ ମୁକ୍ତାକାଶ ବ୍ୟାୟାମଶାଳା ପରିଦର୍ଶକଙ୍କୁ ଆକୃଷ୍ଟ କରିବ।
ସେହିପରି ପାର୍କରେ ଏକ ଜଗିଂ ଟ୍ରାକ୍ ଏବଂ ବହୁମୁଖୀ କ୍ରୀଡ଼ା କୋର୍ଟ ମଧ୍ୟ ରହିଛି । ବାସ୍କେଟ ବଲ୍ ଏବଂ ସ୍କେଟିଂ କରିବାରେ ଇଛୁକ ଖେଳାଳୀଙ୍କୁ ଏହା ଉତ୍ସାହିତ କରିବ। ସମାଜର ବିଭିନ୍ନ ଗୋଷ୍ଠୀଙ୍କୁ ଏକତ୍ରିତ କରିବା ନିମନ୍ତେ ପାର୍କଟି ପରିକଳ୍ପିତ ହୋଇଛି। ଯେଉଁଠି ସେମାନେ ପରିବାର ସହିତ ଏକତ୍ରିତ ହୋଇ ଏହାର ପରିବେଶକୁ ଉପଭୋଗ କରିପାରିବେ। ସହରୀ ଜୀବନରେ ସବୁଜିମାକୁ ସାମିଲ କରିବା ନିମନ୍ତେ ଏହି ସ୍ଥାନଗୁଡିକ ଏକ ମଡେଲ୍ ଭଳି କାର୍ଯ୍ୟ କରିବ।
ଏଜି କଲୋନୀ ନିକଟରେ ୨ ଏକର ଜାଗାରେ ନିର୍ମାଣ ହୋଇଥିବା ପାର୍କଟି ସାଂସ୍କୃତିକ କାର୍ଯ୍ୟକଳାପ ବୃଦ୍ଧି, ଶାରୀରିକ ସୁସ୍ଥତାକୁ ତ୍ୱରାନ୍ୱିତ ଏବଂ ବିଭିନ୍ନ ଗୋଷ୍ଠୀଙ୍କୁ ଏକତ୍ରିତ କରିବା ଆଦି ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଲୋକମାନେ ବିଭିନ୍ନ ପର୍ବ ପାଳନ ଓ କାର୍ଯ୍ୟକ୍ରମ କରିବା ନିମନ୍ତେ ବ୍ୟବସ୍ଥା ରହିଛି। ଦ୍ଵିତୀୟରେ କୁନି ପିଲାମାନଙ୍କ ଶାରୀରିକ ବିକାଶ, ଏବଂ ସୁରକ୍ଷିତ ପରିବେଶରେ ଖେଳିବା ନିମନ୍ତେ ସ୍ପୋଟ୍ସ କୋର୍ଟ ରହିଛି।
ସେହିପରି କସରତ ଓ ଖେଳ ନେଇ ଅତ୍ୟାଧୁନିକ ଖେଳ ଭିତ୍ତିଭୂମିର ସୁବିଧା ରହିଛି। ଯାହା ଅଞ୍ଚଳବାସୀଙ୍କ ସୁସ୍ଥ ରଖିବାରେ ସହାୟକ ହେବ। ପ୍ରାକୃତିକ ପରିବେଶରେ ସାମାଜିକ ସୌହାର୍ଯ୍ୟ ବୃଦ୍ଧି ନିମନ୍ତେ ଏଠାରେ ଏକ ଅପୂର୍ବ ପରିବେଶ ତିଆରି ହୋଇଛି।
ପୋଖରୀପୁଟ ସ୍ଥିତ ୦.୮ ଏକରରେ ସୀମିତ ଏହି ପକେଟ-ପାର୍କଟି ଏକ ସାମାନ୍ୟ ସହରୀ ଜୀବନକୁ ଏକ ଶାନ୍ତ ସବୁଜ ଅଞ୍ଚଳରେ ପରିଣତ କରୁଛି। ଏହି ପାର୍କରେ ଶିଶୁ ଖେଳ କ୍ଷେତ୍ର, ମୁକ୍ତାକାଶ ବ୍ୟାୟା୍ମଶାଳା, ଏବଂ ଏକ ଯୋଗିଂ ଟ୍ରାକ୍ ରହିଛି। ଯାହା ସବୁ ବୟସର ଲୋକଙ୍କ ପାଇଁ ଏକ ଉନ୍ନତ ଜୀବନଶୈଳୀ ଅତିବାହିତ ନେଇ ଉତ୍ସାହିତ କରୁଛି। ଏହାର ସୁନ୍ଦର ସବୁଜିମା ଏବଂ ଋତୁକାଳୀନ ଫୁଲ ସମ୍ଭାର ପାର୍କର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି। ସହରୀ କୋଳାହଳ ଜୀବନରୁ ଟିକିଏ ଶାନ୍ତି ନିମନ୍ତେ ଧ୍ୟାନ, ବ୍ୟାୟାମ ଓ ନିରୋଳାରେ ସମୟ ଅତିବାହିତ କରିବା ପାଇଁ ସହରର ଛୋଟ ଜାଗା ଗୁଡିକୁ ଉନ୍ନତି ଆଣିବାରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାୟସରେ କରଯାଇଛି।
ଏପିଜେ ଅବଦୁଲ କଲାମ ପାର୍କର ମ୍ୟୁଜିକାଲ ଫାଉଣ୍ଟେନ୍
ଏପିଜି ଅବଦୁଲ କଲାମ ପାର୍କରେ ଲୋକାର୍ପିତ ହୋଇଥିବା ମ୍ୟୁଜିକାଲ୍ ଫାଉଣ୍ଟେନ୍ ଆଜି ଦିନର ମୁଖ୍ୟ ଆକର୍ଷଣ ଥିଲା। ଏହି ନିଆରା ପାର୍କରେ ସଙ୍ଗୀତକୁ ତାଳଦେଇ ପରିଚାଳିତ ଜଳ, ଆଲୋକର ପ୍ରଦର୍ଶିତ ଅପୂର୍ବ ସଙ୍ଗମ ପରିଦର୍ଶକଙ୍କୁ ଆକର୍ଷିତ କରିବ। ଖୋଲା ଆକାଶ ତାଳେ ଫାଉଣ୍ଟେନର ଯୁଗଳବନ୍ଦୀ ଏହି ପାର୍କର ଶୋଭାକୁ ଦ୍ବିଗୁଣିତ କରୁଛି। ପାର୍କର ନିଆରା ମନଲୋଭା ପରିବେଶ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ସେହିପରି ଲୋକଙ୍କୁ ଆକୃଷ୍ଟ କରି ଏକତ୍ରିତ କରିବା ପାଇଁ ମୁକ୍ତାକାଶ ପାଠଗାରା, କାଫେଟେରିଆ ଭଳି ବ୍ୟବସ୍ଥା ରହିଛି। ସ୍ୱାସ୍ଥ୍ୟ ଓ ସଂସ୍କୃତିର ଅପୂର୍ବ ସମନ୍ୱୟ ଏହି ପାର୍କକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ଦେଉଛି । କଲାମଙ୍କ ସମ୍ମାନର୍ଥେ ନିର୍ମାଣ ହୋଇଥିବା ଏହି ପାର୍କଟି ସହରବାସୀଙ୍କୁ ପ୍ରେରଣା ଯୋଗାଇବା ସହ ତାଙ୍କ ଜୀବନଶୈଳୀରେ ଅନୁପ୍ରାଣିତ ହେବା ନେଇ ଉତ୍ସାହିତ କରିବ।